ଖୋର୍ଦ୍ଧା: ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ମାମଲାର ତଦନ୍ତରେ ପୁଲିସର ପଦକ୍ଷେପ କେବଳ ଆଇନ ଆଖିରେ ଧୂଳି ପକାଇବା ଭଳି ଲାଗୁଛି । ଖୋର୍ଦ୍ଧା ବ୍ରାଉନସୁଗାର ମାଫିଆଙ୍କ ଗଡ଼ ପାଲଟି ଥିବା ବେଳେ ପୁଲିସର ଏଭଳି ମନ୍ଥରତା ନିଶ୍ଚିତ ଭାବେ ସନେ୍ଦହଜନକ, ଏଭଳି କଥା ବର୍ତମାନ ସହରର ବରିଷ୍ଠ ଆଇନଜୀବୀ, ବୁଦ୍ଧିଜୀବୀମାନେ ଆଲୋଚନା କରିବା ଆରମ୍ଭ କଲେଣି ।

Advertisment

ବ୍ରାଉନସୁଗାର ମାଫିଆ ସୋମନାଥକୁ ଚଳିତ ମାସ ୭ ତାରିଖ ରାତିରେ ଅଜଣା ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଗୁଳି କରିଥିଲେ । ଗୁଳିକାଣ୍ଡର ଦୁଇ ଦିନ ପରେ ୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ସୋମନାଥର ମୃତ୍ୟୁ ଘଟିଥିଲା । ସୋମନାଥର ପରିବାର ଏହି ହତ୍ୟା ପଛରେ ଅନ୍ୟ ଏକ ବ୍ରାଉନସୁଗାର ମାଫିଆର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି । ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲିପ କୁମାର ଦାସଙ୍କ ନେତୃତ୍ୱରେ ୩-୪ଟି ଟିମ୍ ଗଠିତ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି । ପ୍ରତିଦିନ ୨-୩ ଜଣଙ୍କୁ ଧରି ପଚରାଉଚୁରା କରି ଛାଡିଦେଉଛନ୍ତି ।

ଏନେଇ ପୁଲିସର ଗତ ୭ ଦିନ ଧରି ଏକମାତ୍ର ପ୍ରତିକ୍ରିୟା ହେଲା ଯେ ତଦନ୍ତ ଚାଲିଛି । ପୁଲିସର ଏଭଳି ପ୍ରତିକ୍ରିୟା ଏହି ଗୋଟିଏ ମାମଲାରେ ନୁହେଁ ଖୋର୍ଦ୍ଧାରେ ବେଧଡ଼କ ଚାଲୁଥିବା ବ୍ରାଉନସୁଗାର କାରବାର ନିୟନ୍ତ୍ରଣରେ ହୋଇଥିବା ବିଫଳତାକୁ ଘୋଡ଼ାଇବାକୁ ଚେଷ୍ଟା କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ଏନେଇ ବରିଷ୍ଠ ଆଇନଜୀବୀ ତଥା ଖୋର୍ଦ୍ଧା ଓକିଲ ସଂଘର ପୂର୍ବତନ ସଭାପତି ଶିଶିର ପରିଡ଼ା କହିଛନ୍ତି ଯେ ନିକଟରେ ଘଟିଥିବା ଦୁଇଦୁଇଟି ଗୁଳିକାଣ୍ଡରେ ବ୍ରାଉନସୁଗାର କାରବାର କରୁଥିବା ଗୋଷ୍ଠୀର ସଦସ୍ୟ ହିଁ ସମ୍ପୃକ୍ତ । ସୋମନାଥ ହତ୍ୟାକାଣ୍ଡ ମାମଲାରେ ପୁଲିସ ପ୍ରତିଦିନ ଚଢ଼ଉ କରୁଛି, କେତେକ ଲୋକଙ୍କୁ ଧରି ପଚରାଉଚୁରା କରି ଛାଡ଼ି ଦେଉଛି । କିନ୍ତୁ ଯେଉଁଭଳି ତଦନ୍ତର ପରିସରକୁ ବ୍ୟାପକ କରିବା କଥା ତାହା କରୁନାହିଁ । ସେହିଭଳି ଅନ୍ୟତମ ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘର ପୂର୍ବତନ ସଭାପତି ଅଜିତ ପଟ୍ଟନାୟକ କହିଛନ୍ତି ଯେ ଖୋର୍ଦ୍ଧାରେ କିଛି ବର୍ଷ ପୂର୍ବେ ଯେଉଁ ଭଳି ବ୍ରାଉନସୁଗାର ମାଫିଆଙ୍କ ଉପରେ ପୁଲିସ କଠୋର ପଦକ୍ଷେପ ନେଉଥିଲା ସଂପ୍ରତି ସେଭଳି ନେଉନାହିଁ ।

କେବଳ ଆଖିଦୃଶିଆ ଭାବେ ଜଣେ ଦୁଇଜଣଙ୍କୁ ଧରି ୧୦-୧୫ ଗ୍ରାମ ବ୍ରାଉନସୁଗାର ଜବତ କରୁଛି, କିନ୍ତୁ ଯେଉଁମାନେ ଏହି କାରବାରର ମୁଖ୍ୟ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ । ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘର ଆଉଜଣେ ପୂର୍ବତନ ସଭାପତି ବିଜୟ କୁମାର ସାମନ୍ତସିଂହାର କହିଛନ୍ତି ଯେ ଖୋର୍ଦ୍ଧା ପୁଲିସ ବ୍ରାଉନସୁଗାର କାରବାର ନିୟନ୍ତ୍ରଣ ଓ ମାଫିଆଙ୍କୁ ଜବତ କରିବାରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ । ଯଦି ନିଜେ ଏହାକୁ ନିୟନ୍ତ୍ରଣ କରିପାରୁନାହିଁ ଏସ୍ଟିଏଫ୍ କିମ୍ବା କ୍ରାଇମ୍ବ୍ରାଂଚକୁ ଦାୟିତ୍ୱ ହସ୍ତାନ୍ତର କରିଦେବା କଥା । ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ତଥା ଖୋର୍ଦ୍ଧା ବରିଷ୍ଠ ନାଗରିକ ମଂଚର ଉପଦେଷ୍ଟା ଦେବପ୍ରସାଦ ମଜୁମଦାର ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ ଜିଲ୍ଲାରେ ଜିଲ୍ଲାପାଳ ଓ ଏସ୍ପି ଅଭାବେ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ ନିଯୁକ୍ତି ପାଇଛନ୍ତି । ଏଭଳି ଘଟଣାଗୁଡ଼ିକରେ ସେମାନେ ଯେଉଁଭଳି ଭାବେ ପଦକ୍ଷେପ ନେବା କଥା ସେଇଭଳି ନେଉନାହାନ୍ତି, ଏହାଦ୍ୱାରା ଜନସାଧାରଣଙ୍କ ଆସ୍ଥା କମିଯାଉଛି । ଖୋର୍ଦ୍ଧା ଭଳି ଏକ ଛୋଟ ସହରରେ ଯଦି ଏତେ ପରିମାଣରେ ବ୍ରାଉନସୁଗାର କାରବାର, ବେଆଇନ ବନ୍ଧୁକ ଓ ବ୍ରାଉନସୁଗାର ପାଇଁ ଗ୍ୟାଙ୍ଗୱାର ହୋଇପାରୁଛି ତେବେ ଏହା ପୁଲିସ ଓ ଗୁଇନ୍ଦା ବିଭାଗର ବିଫଳତା ବୋଲି ଧରିନିଆଯିବ ।