ବାପାଙ୍କୁ କଟୁରିରେ ହାଣି ହତ୍ୟା, କଟୁରି ସହିତ ପୁଅ ଗିରଫ

ଝାରସୁଗୁଡ଼ା:ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀ ଠାରେ ଗତ କାଲି ବିଳମ୍ବିତ ରାତିରେ ବାପାଙ୍କୁ ହତ୍ୟା କରିଛି ପୁଅ। ପୁଲିସ ଆଜି ସକାଳେ ଅଭିଯୋଗ ପାଇବା ପରେ ପୁଅକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଜବତ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ଗତ କାଲି ରାତ୍ର ସାଢ଼େ ୧୨ ଟାରେ ଉଭୟ ବାପା ଲକ୍ଷ୍ମଣ ବେହେରା( ୫୨) ଓ ତାଙ୍କ ପୁଅ ମାଣିକ ବେହେରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା।

ଏଥିରେ ଉତ୍ୟକ୍ତ ହୋଇ ପୁଅ ମାଣିକ ଏକ କଟୁରିରେ ତାର ବାପାର ପେଟ, ହାତ, କାନ୍ଧ, ଛାତି ପ୍ରଭୃତି ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା। ଗଭୀର ଆଘାତ ପାଇ ଲକ୍ଷ୍ମଣ ବେହୋସ ହୋଇ ପଡ଼ିଥିଲେ। ପରେ ତାଙ୍କ ସ୍ତ୍ରୀ ଓ ପୁତୁରା ବିରେନ୍ଦ୍ର ବେହେରା ଗୁରୁତର ଆହତ ଅବସ୍ଥାରେ ଲକ୍ଷ୍ମଣଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ନେଉଥିବା ବେଳେ ବଡ଼ମାଲ ନିକଟରେ ତାଙ୍କ ମୃତ୍ୟୁ ଘଟିଥିଲା।

ଫଳରେ ପରିବାର ଲୋକୋ ତାଙ୍କୁ ପୁଣି ମୁଖ୍ୟ ଚିକତ୍ସାଳୟକୁ ଫେରାଇ ନେଇଥିଲେ। ଆଜି ସକାଳେ ପୁତୁରା ବିରେନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଥାନା କେସ୍ ନମ୍ବର ୧୧ରେ ଦଫା୍ ୩୦୨ରେ ପୁଅ ମାଣିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର