ରାୟଗଡ଼ା: କାଠ ଫାଳିଆରେ ମାଡ଼ ମାରି ଶ୍ବଶୁରକୁ ହତ୍ୟା କରିବା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୀନା ଚୌଧୁରୀ। ରାୟରେ ଅଭିଯୁକ୍ତ ଜ୍ବାଇଁକୁ ୧୦ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। କାଶୀପୁର ବ୍ଲକ୍ ଟିକିରି ଥାନା ଗୋବରଘାଟି ଗ୍ରାମର କିଆ ମାଝି ତେନ୍ତୁଳିପଦର ଗ୍ରାମର ଶାନ୍ତି ମାଝିକୁ ବିବାହ କରିଥିଲେ। ବିବାହ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଶାନ୍ତି ଘର ଛାଡ଼ି ପଳାଇ ଆସିଥିଲେ। ୨୦୨୦ ମାର୍ଚ୍ଚ ୩୧ ତାରିଖରେ କିଆ ମାଝି ନିଜ ସ୍ତ୍ରୀକୁ ନେବା ପାଇଁ ଶ୍ବଶୁର ଘର ତେନ୍ତୁଳିପଦରରେ ପହଞ୍ଚିଥିଲେ। ଶାନ୍ତିକୁ ନିଜ ଘରକୁ ନେବା ପାଇଁ କିଆ ଜିଦ୍ ଧରିଥିଲେ। କିନ୍ତୁ ଶ୍ବଶୁର ଘର ଲୋକ ରାଜି ନ ହେବା ପରେ କିଆ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ଶାଶୁ, ଶ୍ବଶୁର, ଶାଳୀ ଓ ସ୍ତ୍ରୀକୁ ଆକ୍ରମଣ କରିଥିଲେ।

Advertisment

ଆକ୍ରମଣ ସମୟରେ କାଠ ଫାଳିଆ ଶ୍ବଶୁର କନ୍ତାରୁ ମାଝିଙ୍କ ମୁଣ୍ଡରେ ବାଜିବା ଯୋଗୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଟିକିରି, ପରେ ରାୟଗଡ଼ା ଏବଂ ଉଚ୍ଚ ଚିକିତ୍ସା ପାଇଁ କୋରାପୁଟ ମେଡ଼ିକାଲ କଲେଜକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟରେ କନ୍ତାରୁଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ପରିବାର ଲୋକ ଟିକିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ କିଆ ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଚାଲିଥିବା ବେଳେ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୀନା ଚୌଧୁରୀ ଆଜି ରାୟ ପ୍ରକାଶ କରିଛନ୍ତି। ରାୟରେ ଅଭିଯୁକ୍ତ କିଆ ମାଝିକୁ ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ୍ବର ମହାପାତ୍ର, ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଉମାକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।