ଘରେ ପୁରୁଣା ଜିନିଷ ସାଇତି ରଖିବା ପଡ଼ିଲା ମହଙ୍ଗା, ପୁଅର ଛୁରାମାଡ଼ରେ ବାପାଙ୍କ ମୃତ୍ୟୁ

ଗୋପାଳପୁର: ନୃଶଂସ ପୁଅର ଛୁରାମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଛି। ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଭକ୍ତସାଳବେଗ ନଗରରେ ଆଜି ପୂର୍ବାହ୍‌ଣ ୧୧ଟା ୩୦ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସରୋଜ କୁମାର ନନ୍ଦ (୬୪)। ଅଭିଯୁକ୍ତ ପୁଅ ଆଶିଷ ନନ୍ଦ (୩୨)କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସୂଚନା ଅନୁସାରେ ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ସରୋଜ କୁମାର ନନ୍ଦ ନିଜ ଘରେ ପୁରୁଣା ଜିନିଷ ପତ୍ରକୁ ସାଇତି ରଖୁଥିଲେ। ବାପାଙ୍କର ଏଭଳି କାମକୁ ପୁଅ ଆଶିଷ ନନ୍ଦ ବାରମ୍ବାର ବିରୋଧ କରୁଥିଲେ। ବାପା ଯେଉଁ ପୁରୁଣା ଜିନିଷ ପତ୍ର ଘରେ ସାଇତିକି ରଖୁଥିଲେ, ପୁଅ ଏହାକୁ ଅଳିଆ କହୁଥିଲେ। ଫଳରେ ବାପା-ପୁଅଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ଲାଗୁଥିଲା। କିନ୍ତୁ ଏହି ଯୁକ୍ତିତର୍କ ଆଜି ହିଂସାର ରୂପ ନେଇଥିଲା।

ପୁଲିସ କହିବା ଅନୁସାରେ ଆଶିଷ ଆଜି ଉତ୍ତେଜିତ ହୋଇ ବାପାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ବାପା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ପୁଅ ଚିନ୍ତାରେ ପଡ଼ି ଯାଇଥିଲା। ଶେଷରେ ସେ ଆମ୍ବୁଲାନ୍ସ ଡାକି ଗୁରୁତର ଅବସ୍ଥାରେ ବାପାଙ୍କୁ ନେବା ସମୟରେ ମୃତ୍ୟୁ ଘଟିଥିଲା।  ସରୋଜଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼‌ ମେଡିକାଲ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ବଡ଼ମେଡିକାଲର ଡାକ୍ତର ଅଜୟ ନାରାୟଣ ଦାସଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଚପଲ, ମାରଣାସ୍ତ୍ର ଛୁରୀ ଓ ରକ୍ତଭିଜା ଲୁଗା ଜବତ କରି ଅଭିଯୁକ୍ତ ପୁଅକୁ ଅଟକ ରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ଅଧିକ ତଦନ୍ତ କରୁଛି। ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି ଯେ, ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର