ଭଞ୍ଜନଗର: ଜାତୀୟସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ମନୋନୀତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ବିଭିନ୍ନ ଥାନା ଅଧିକାରୀ ମାନଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ଶ୍ରେଷ୍ଠ ଅଧିକାରୀ ମାନଙ୍କୁ ଚୟନ କରାଯାଇଥିଲା। ଥାନା ଗୁଡ଼ିକରେ ହେଉଥିବା ମାମାଲା ଗୁଡ଼ିକର ଉତ୍କୃଷ୍ଟ ତଦନ୍ତ ସହ ଅପରାଧୀ ମାନଙ୍କୁ ଦଣ୍ଡ ବିଧାନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଓଡ଼ିଶାର ୪ ଜଣ ଅଧିକାରୀଙ୍କୁ ଉକ୍ତ ମେଡାଲ ପ୍ରଦାନ କରାଯିବ ନିମନ୍ତେ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଶ୍ରୀ ପ୍ରଧାନ ରହିଥିବାରୁ ଜିଲ୍ଲାରେ ଖୁସୀର ଲହରି ଖେଳି ଯାଇଛି।
ଏସଂର୍ପକରେ ଓଡ଼ିଶା ପୁଲିସ୍ ପକ୍ଷରୁ ଟୁଇଟ୍ କରି ଶ୍ରୀ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଶ୍ରୀ ପ୍ରଧାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ସୋରଡ଼ା ଥାନା ଇଲାକାରେ ଘଟିଥିବା ବହୁ ଅପରାଧିକ ମାମଲାର ସଠିକ ଓ ନରିପେକ୍ଷ ତଦନ୍ତ ଶ୍ରୀ ପ୍ରଧାନ ନିଜେ କରିଥିବା ବେଳେ ହତ୍ୟା ଓ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ସହ ଅଜଣା ମୃତଦେହ ଠାବ ଘଟଣାରେ ପରିଚୟ ଚିହ୍ନଟ ଭଳି ମାମଲା ଗୁଡ଼ିକର ଉତ୍କୃଷ୍ଟ ତଦନ୍ତ କରିଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ଏଭଳି ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି। ବ୍ୟକ୍ତିଗତ ଭାବେ ଏଭଳି ସମ୍ମାନ ଜନକ ପୁରସ୍କାର ମିଳିବା ନେଇ ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ୍ କରାଯାଇଛି। ସୋରଡ଼ା ଥାନା ଇଲାକାରେ ଗତ ୨୦୨୦ ମସିହା ଡିସେମ୍ବର ମାସରେ ନୂଆଗଡ଼ ପଞ୍ଚାୟତର ବଜରଗୁମା ଗ୍ରାମ ଠାରୁ କିଛି ଦୂର ଏକ ପୋକଶୁଙ୍ଗା ବୁଦାମୂଳରେ ଅଧା ପୋଡା ହୋଇ ପଡିଥିବା ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଥିଲା।
ଶରୀର ଅଧିକାଂଶ ଅଂଶ ପୋଡି ଯାଇଥିବାରୁ ଚିହ୍ନଟ କରିବା ଏକ ପ୍ରକାଣ ଅସମ୍ଭବ ହୋଇଥିବା ବେଳେ ଏହାର ତଦନ୍ତ କରି ଘଟଣାର ୨୦ ଦିନ ଭିତରେ ମୃତ ମହିଳା ଜଣଙ୍କ ସୋରଡା ଥାନା ଲକ୍ଷ୍ମୀପୁର ଗ୍ରାମର ରାଜେନ୍ଦ୍ର ନାଇକଙ୍କ ସ୍ତ୍ରୀ ଅର୍ଚ୍ଚନା ନାଇକ ଜଣାପଡିବା ସହ ତାର ପ୍ରେମିକ ତଥା ସର୍ମ୍ପକୀୟ ଦିଅର ସୀମାଞ୍ଚଳ ନାଇକ ହିଁ ହତ୍ୟା କରିଥିବା ଶ୍ରୀ ପଧାନ ତଦନ୍ତ କରି ପର୍ଦ୍ଦାଫାସ୍ କରିଥିଲେ। ସେହପରି ୨୦୨୧ ଜୁନ୍ ୨୨ ତାରିଖରେ ନୂଆଗଡ ପଞ୍ଚାୟତର ପୁଷ୍ପନଗର ନିକଟ ଋଷିକୂଲ୍ୟା ନଦୀପଠାରୁ ଏକ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ଏହି ଘଟଣାର ମଧ୍ୟ ତଦନ୍ତ କରି ମୃତକ ଜଣକ ଗୁଡିଢେପ ଗ୍ରାମର ଭଗବାନ ନାୟକ ଏବଂ ତାର ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପୁଲିସ୍ ଗିରଫ କରିବାରେ ସଫଳ ହୋଇଥିଲା। ଏଥିସହ ଏକ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ମାମଲାରେ ସଠିକ୍ ତଦନ୍ତ କରିଥିବାରୁ ଅପରାଧୀ ମାନଙ୍କୁ ୨୦ ବର୍ଷ ଦଣ୍ଡାଦେଶ ହୋଇଛି। ଏଭଳି ଅନେକ ମାମଲା ଗୁଡିକର ତଦନ୍ତ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବେ ତ୍ବରାନ୍ବିତ କରି ଉତ୍ତମ ପ୍ରଦର୍ଶନ କରିବାରୁ ଏଭଳି ସମ୍ମାନ ପାଇବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି। ଜିଲ୍ଲା ପୁଲିସ୍ ପକ୍ଷରୁ ତାଙ୍କୁ ଅଭିନନ୍ଦନର ସୂଅ ଛୁଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/BNJ-BJ-ramesh-kumar-pradhan.jpg)