ମିଛ ବିଲ କରି ୧୦ ଜଣଙ୍କ ଶୌଚାଳୟ ଅର୍ଥ ଆତ୍ମସାତ କଲେ ବିଡିଓ

କୋରାପୁଟ: କାଗଜ କଲମରେ ହୋଇଛି ଶୌଚାଳୟ। କିନ୍ତୁ ହିତାଧିକାରୀ ପାଇ ନାହାନ୍ତି। ସେମାନଙ୍କ ନାମରେ ବିଲ କରାଇ ଲକ୍ଷାଧିକ ଟଙ୍କା ଖାଇ ଦେଇଥିବା କୋରାପୁଟ ଜିଲ୍ଲା ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥୀଙ୍କ ନାଁ‌ରେ ଆସିଛି ଅଭିଯୋଗ। ଏନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଦଶମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ସୁରୁଗୁଡା ଗାଁର ୧୦ ଜଣ ହିତାଧିକାରୀ।

ମିଳିଥିବା ସୂଚନା ମୁତାବକ ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ଫାଇଲ ନମ୍ବର ୩୮/୦୨/୦୫-୨୦୨୦ରେ ୯ଜଣ ହିତାଧିକାରୀଙ୍କୁ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ଶୌଚାଳୟ ଯୋଗାଇ ଦେବାକୁ ନିର୍ମାଣ ଆଦେଶ ଦିଆଯାଇଛି। ହେଲେ ବାସ୍ତାବରେ ଏହି ହିତାଧିକାରୀଙ୍କୁ ଶୌଚାଳୟ ପ୍ରଦାନ କରାଯାଇ ନ ଥିବାବେଳେ ଏଥିରେ ଆସୁଥିବା ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ହରିଲୁଟ କରିଛନ୍ତି ‌ବିଡିଓ।

ତଥ୍ୟ ଅନୁସାରେ ମୁକୁନ୍ଦ ଖୀଲ, ପଦଲାମ ଗୌଡ, ହୀରନ ଗଲରୀ, ନରସିଂହ ଖୀଲ, ଡମ୍ବରୁ ଗୌଡ, ଦୀନବନ୍ଧୁ ଖୀଲ, କୃପା ଗୌଡ, ଶୁବର୍ଣ୍ଣା ଗୌଡ, ଚମ୍ପା‌ ଗୌଡ ଓ ବାଲା ହନ୍ତାଳଙ୍କ ଶୌଚାଳୟ କରାଯିବାକୁ ୱାର୍କ ଅଡର ଦିଆଯାଇଛି। ହେଲେ ସେମାନେ କୌଣସି ଶୌଚାଳୟ ପାଇ ନ ଥିବାବେଳେ ତାଙ୍କ ନାମରେ ବିଲ କରାଯାଇ ଅର୍ଥ ହଡପ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଇଥିବାବେଳେ ଦୁର୍ନୀତି ବିଭାଗ ଓ ୫ଟି ମୋ ସରକାରଙ୍କୁ ମଧ୍ୟ ଅଭିଯୋଗ ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର