ଚୌଦ୍ବା‌ର : ଏକ୍‌ମୋ ଚିକିତ୍ସା ପାଇଁ ଗଲାଣି ୧କୋଟି ଟଙ୍କା। ଚେନ୍ନାଇ ଏମ୍‌ଜିଏମ୍‌ ହସ୍ପିଟାଲରେ ଏକ୍‌ମୋ ଚିକିତ୍ସା ପାଇଁ ଗତ ଅଢେଇ ମାସ ଭିତରେ ୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ଚୌଦ୍ବ‌ାର ଓଟିଏମ୍‌ କଲୋନିର ଇନ୍ଦ୍ରମଣି ବେଉରାଙ୍କ ପୁଅ ସୌମ୍ୟରଞ୍ଜନ। ଆଉ କେତେ ଦିନ ଚିକିତ୍ସା ଚାଲିବ, ‌ତା’ର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ୩୫ ବର୍ଷ ବୟସ୍କ ପୁଅର ଜୀବନ ପାଇଁ ସବୁ କିଛି ବାଜି ଲଗାଇ ଦେଇଛନ୍ତି ପରିବାର ଲୋକ। ସବୁ ପଛେ ଯାଉ କିନ୍ତୁ ଆମ ପୁଅର ଜୀବନ ବଞ୍ଚିଯାଉ। ଏଭଳି ପଣ କରିଛନ୍ତି ପୂରା ପରିବାର। କୌଣସି ସରକାରୀ ସହାୟତା ମିଳିନି।

Advertisment

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠି ପର୍ଯ୍ୟନ୍ତ ସବୁଠି ସହାୟତା ପାଇଁ ଆବେଦନ କରି ନିରାଶ ହୋଇଛନ୍ତି ପରିବାର ଲୋକ। ଜମିବାଡ଼ି, ସୁନା ଗହଣା ଯାହାଥିଲା ସବୁ ବିକ୍ରି କରିସାରିଲେଣି। ବଡ଼ ଭାଇ ଟ୍ରକ ବ୍ୟବସାୟ କରୁଥିଲେ। ସେଥିରୁ ସେ ଅଧା ଟ୍ରକ ବିକ୍ରି ସାରିଲେଣି। ବନ୍ଧୁ, ବାନ୍ଧବ, ପରିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ସହାୟତା ପାଇଁ ଅନୁରୋଧ କରି ଯାହାକିଛି ଅର୍ଥ ସଂଗ୍ରହ କରିଥିଲେ ସେ ସବୁ ତ କେବେଠୁ ସରିଗଲାଣି। ଏବେ ହସ୍ପିଟାଲ କର୍ତ୍ତୃପକ୍ଷ କହିବା ଅନୁଯାୟୀ ଖର୍ଚ୍ଚ ପାଖାପାଖି ଅଢେଇ କୋଟି ଛୁଇଁବ। ଏଭଳି ସ୍ଥିତିରେ ବିନା ସରକାରୀ ସହାୟତାରେ ଚିକିତ୍ସା ଖର୍ଚ୍ଚ କିଭଳି ତୁଲାଇବେ, ତାହାକୁ ନେଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାର।

publive-image Sambad

ଚୌଦ୍ବ‌ାର ଓଟିଏମ୍‌ କଲୋନିର ବାସିନ୍ଦା ହେଉଛନ୍ତି ଇନ୍ଦ୍ରମଣି ବେଉରା। ପରିବାର କହିଲେ ତାଙ୍କର ସ୍ତ୍ରୀ, ଦୁଇ ପୁଅ, ବୋହୂ ଓ ନାତି, ନାତୁଣୀ। ସାନପୁଅ ସୌମ୍ୟରଞ୍ଜନ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରନ୍ତି। ସୌମ୍ୟରଞ୍ଜନଙ୍କର ପତ୍ନୀ ଓ ମାତ୍ର ଦେଢ ବର୍ଷର ପୁଅ ଅଛନ୍ତି। ମେ’ ୬ତାରିଖରେ ସେ କରୋନା ସଂକ୍ରମିତ ହେଲେ। ଶରୀରରେ ଅମ୍ଲଜାନସ୍ତର କମିବାରୁ ତାଙ୍କୁ ସେହି ମାସ ୯ ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର ଚିକିତ୍ସା ସହ ଏକ୍‌ମୋ ଚିକିତ୍ସା ମଧ୍ୟ ଦିଆଯାଇଥିଲା। କିନ୍ତୁ ଅଧିକ ଚିକିତ୍ସା ଆବଶ୍ୟକ ପଡିବାରୁ ତାଙ୍କୁ ଜୁନ ୧୬ରେ ଏୟାରଲିଫ୍ଟ କରି ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଢେଇ ମାସ ହେଲା ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି ଓ ସେ ଏକ୍‌ମୋରୁ ବାହାରି ଭେଣ୍ଟିଲେଟରକୁ ଆସିଲେଣି ବୋଲି ତାଙ୍କର ବଡ଼ଭାଇ ସଂଗ୍ରାମ କେଶରୀ ବେଉରା ସୂଚନା ଦେଇଛନ୍ତି। କିନ୍ତୁ ଏବେ ପ୍ରତିଦିନ ତାଙ୍କର ଚିକିତ୍ସା ଖର୍ଚ୍ଚ ପାଇଁ ଗୁରୁତର ସମସ୍ୟା ଦେଖାଦେଇଛି। ବିଧାୟକ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ। କିନ୍ତୁ ତା’ ବାଦ୍ ଅନ୍ୟ ସରକାରୀ ସହାୟତା ଟଙ୍କାଟିଏ ବି ମିଳିନି। ସୌମ୍ୟରଞ୍ଜନ ଏକମୋରୁ ବାହାରି ଏବେ ଭେଣ୍ଟିଲେଟରରେ ଥିବା ବେଳେ ଆଉ କିଛି ଦିନର ଚିକିତ୍ସା ପରେ ସେ ହୁଏତ ଭଲ ହେବାର ଆଶା କରାଯାଉଛି। ଏସସିବିରେ ଏବେ ଲୋକଙ୍କୁ ସରକାର ମାଗଣା ଏକମୋ ଚିକିତ୍ସା ସହାୟତା ଦେଉଥିବା ବେଳେ ତାଙ୍କ ଭାଇଙ୍କ ଜୀବନ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ସୌମ୍ୟରଞ୍ଜନଙ୍କ ଭାଇ ସଂଗ୍ରାମ ଅନୁରୋଧ କରିଛନ୍ତି।