ଜଙ୍କିଆ ନାବାଳକ ସୌମ୍ୟରଂଜନଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ଗିରଫ କରିବାକୁ ଏସପି ଅଫିସ ଘେରାଉ

ଖୋର୍ଦ୍ଧା: ଚଳିତ ମାସ ୧ ତାରିଖରେ ଜଙ୍କିଆ ଠାରେ ରଣପୁରର ଜଣେ ନାବାଳକ ସୌମ୍ୟରଂଜନଙ୍କୁ ସେ କାମ କରୁଥିବା ଗ୍ୟାରେଜ ମାଲିକ ରାଜୁ ପାଣ୍ଡି ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ଗ୍ୟାରେଜ୍ ମାଲିକ ପାଣ୍ଡି ନିଜର ଦୋଷ ସ୍ୱୀକାର କରିଛି ଓ ପୁଲିସ ତାକୁ ଗିରଫ କରିଛି । ତେବେ ଏହି ହତ୍ୟା ଘଟଣାରେ ରାଜୁ ସହ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଓ ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଆଜି ମୃତ ସୌମ୍ୟରଂଜନଙ୍କ ପରିବାର ଓ ଗାଁ ଲୋକ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି ।

ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ବେଳେ ମୃତ ସୌମ୍ୟରଂଜନଙ୍କ ଶତାଧିକ ସମ୍ପର୍କୀୟ ଓ ଗାଁ ଲୋକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ପ୍ରାୟ ୩୦-୪୦ ମିନିଟ ଧାରଣା ଦେଇଥିଲେ । ଏହାପରେ ପୁଲିସ ଅଧିକାରୀମାନେ ସେଠାରେ ପହଂଚି ସେମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ସୌମ୍ୟରଂଜନଙ୍କ ପରିବାର ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରାଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ ।

ସେମାନଙ୍କ କହିବାନୁସାରେ, ଘଟଣା ଦିନ ସୌମ୍ୟରଂଜନ ଗ୍ୟାରେଜର ମାଲିକ ଓ ଅନ୍ୟମାନଙ୍କ ଏକ ଭୋଜି ହୋଇଥିବା କଥା କହିଥିଲା । ପରେ ତା’ର ମୃତ ଦେହକୁ ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ନିକଟ ଖେଳପଡ଼ିଆ ଠାରେ ମିଳିଥିଲା । ସେ କାମ କରୁଥିବା ଗ୍ୟାରେଜ ମାଲିକ ରାଜୁ ଏହି ହତ୍ୟା କରିଥିବା ସ୍ୱୀକାର କରିଥିଲେ ମଧ୍ୟ ଘଟଣା ପଛରେ ସତ୍ୟତା ପଦାକୁ ଆସିନାହିଁ । ଏକାଧିକ ବ୍ୟକ୍ତିଙ୍କ ସହଯୋଗ ନଥିଲେ ତାକୁ ହାତଗୋଡ଼ ବାନ୍ଧି ଗାଡ଼ିରେ ବସାଇ ଆଣିବା ସମ୍ଭବ ନୁହେଁ । ଏଣୁ ଅନୁସନ୍ଧାନକୁ ତ୍ୱରାନ୍ୱିତ କରି ଭୋଜି ଓ ଭୋଜିରେ ଘଟଣାବଳୀ ଓ ସେଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ ।

ସୂଚନାଯୋଗ୍ୟ, ଚଳିତ ମାସ ୧ ତାରିଖ ସକାଳେ ଜଙ୍କିଆ ଫୁଟବଲ ପଡ଼ିଆ ନିକଟରେ ନୟାଗଡ଼ ରଣପୁର ବ୍ଲକର ଭେରୁପଡ଼ା ଗାଁର ସୌମ୍ୟରଂଜନଙ୍କ କ୍ଷତବିକ୍ଷତ ମୃତ ଦେହ ମିଳିଥିଲା । ନିକଟରେ ସେ କାମ କରୁଥିବା ଗ୍ୟାରେଜ ମାଲିକ ରାଜୁ ବସିଥିଲା । ପୁଲିସ ପହଂଚିବା ପରେ ସେ ପ୍ରଥମେ ଦୁର୍ଘଟଣାରେ ଆହତ ହୋଇଥିବା କହିଥିଲା । ତେବେ ପୁଲିସ କ୍ଷତ ଚିହ୍ନ ଓ ମୃତ ସୌମ୍ୟର ଶରୀରର ଅବସ୍ଥାରୁ ସନ୍ଦେହ ହେବାରୁ ଅଧିକ ପଚରାଉଚୁରା କରିଥିଲା । ଏଥିରେ ରାଜୁ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

ସମ୍ବନ୍ଧିତ ଖବର