ବିଭିନ୍ନ ଦାବି ନେଇ ସାଉଥକୋ କର୍ମଚାରୀଙ୍କ ଧାରଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସାଉଥକୋ କର୍ମଚାରୀଙ୍କ ଦରମା ଗତ ୬ ମାସ ହେଲା ମିଳିନଥିବାରୁ କର୍ମଚାରୀମାନେ ବହୁ ହଇରାଣ ହେବା ପରେ ଆଜି ସାଉଥକୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କରୋନା ମହାମାରୀ ବେଳେ ମଧ୍ୟ ଏହି କର୍ମଚାରୀମାନେ ନିଜ ଘରେ ନରହି କାମ କରିଆସୁଥିଲେ। ନିଜର ଜୀବନ ଏବଂ ପରିବାରର ଜୀବନ ସହ ଖେଳି ଏମାନେ ଲୋକଙ୍କୁ ଆଲୁଅ ପ୍ରଦାନ କରିବାରେ ଅହରହ ପରିଶ୍ରମ ଜାରି ରଖିଥିଲେ।

ତେବେ ଗତ ୬ ମାସ ହେବ ଦରମା ବିନା କିପରି ପରିବାରକୁ ପୋଷିବେ ବୋଲି ଅଭିଯୋଗ କରିଛନ୍ତି। ଏହି କର୍ମଚାରୀମାନଙ୍କୁ ଅତି କମରେ ଯେତିକି ଅଧିକାର ମିଳିବା କଥା ସେତିକି ପ୍ରଦାନ କରାଯାଉନଥିବା ମଧ୍ୟ ଅଭିଯୋଗ କରାଯାଇଛି। ବିଶେଷକରି ପ୍ରତିମାସରେ ଦରମା ଦେବା,ସୁରକ୍ଷା କିଟ ପ୍ରଦାନ କରିବା,କାମରେ ସୁରକ୍ଷା ବ୍ୟବସ୍ଥା ରହିବା ଇତ୍ୟାଦି ଦାବି ରହିଛି। ଲୋକମାନଙ୍କର ସେବା ପାଇଁ ଏହି କର୍ମଚାରୀମାନେ ଲଗାତାର କାର୍ଯ୍ୟ କରିଆସୁଛନ୍ତି। ଯଦି କେବେ ଗୋଟିଏ ଦିନ ଯଦି ଏମାନେ କାମ କରିବା ବନ୍ଦ କରିଦିଅନ୍ତି ତେବେ ସମଗ୍ର ଜିଲ୍ଲା ଅନ୍ଧାରକୁ ଚାଲିଯିବ।ସେଥିପାଇଁ ସମସ୍ତ ପ୍ରଶଂସା ଏବଂ ଧନ୍ୟବାଦର ପାତ୍ର ଏହି ପ୍ରକୃତ ଯୋଦ୍ଧାମାନଙ୍କୁ ଦିଆଯାଉ ବୋଲି ଦାବି କରାଯାଇଛି।

ଯଦି ଦେଖିବା ମାଲକାନଗିରି ଡିଭିଜନରେ ମାତ୍ର ୨୦ ଜଣ କର୍ମଚାରୀ ରହିଛନ୍ତି। ଉପଭୋକ୍ତା ରହିଛନ୍ତି ଦେଢ ଲକ୍ଷ। ତେବେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ମାତ୍ର କୋଡିଏ ଜଣ କର୍ମଚାରୀ କିପରି ଦିନରାତି କାମ କରୁଥିବେ ତାହା ସହଜରେ ଅନୁମେୟ।ତେବେ ବିଭାଗୀୟ ଅଧିକାରୀ ଏବଂ କଣ୍ଟ୍ରାକ୍ଟରମାନେ ଏମାନଙ୍କୁ ନେଇ କାମ କରୁଛନ୍ତି କିନ୍ତୁ ଏମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସୁବ୍ୟବସ୍ଥା କରିନାହାନ୍ତି, ଯାହାକୁ ନେଇ କର୍ମଚାରୀ ସଂଘ ଆଜି ଧାରଣା ପ୍ରଦର୍ଶନ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର