ରାୟଗଡା: ରାୟଗଡା ଉପକଣ୍ଠରେ ଆଜି ଏକ ଆହତ କୁଟୁରାକୁ ଉଦ୍ଧାର କରାଯାଇଥିଲା।କିନ୍ତୁ ଚିକିତ୍ସିତ ଅବସ୍ଥାରେ କୁଟୁରାର ମୃତ୍ୟୁ ହୋଇଥିବା ଜଣାପଡିଛି।ଆଜି ସକାଳେ ନିକଟସ୍ଥ ଜଂଗଲରୁ ଏକ କୁଟୁରା ଛୁଆ ସହର ଭିତରକୁ ପଶିଆସିଥିଲା। ତେବେ କିଛି କୁକୁର ଦଳ କୁଟୁରାକୁ ଦେଖିବା ପରେ ତାକୁ ଚାରିପଟୁ ଘେରି କାମୁଡିବା ଆରମ୍ଭ କରିଥିଲେ।ତେବେ କୁଟୁରାଟି ଭୟରେ ବନ୍ଦ ହୋଇ ପଡିଥିବା ଚିନିକଳର ଗୋଦାମ ମଧ୍ୟରେ ପଶିଯାଇଥିଲା। ଏହି ଖବର ସମାଜସେବୀ ଆପାଲସ୍ବାମୀ କାଡ୍ରାକା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁଟୁରାକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁଟୁରାକୁ ସ୍ଥାନୀୟ ପଶୁଚିକିତ୍ସାଳୟକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ତେବେ କୁକୁରମାନେ କୁଟୁରାଟିକୁ ଶରୀର ସାରା କ୍ଷତାକ୍ତ କରିଦେଇଥିଲେ।
ଡାକ୍ତରଙ୍କ ଦ୍ବାରା ସମସ୍ତ କ୍ଷତକୁ ସିଲେଇବା ପରେ ଔଷଧ ଲଗାଇଥିଲେ। କିନ୍ତୁ କିଛି ସମୟ ପରେ କୁଟୁରାର ପ୍ରାଣବାୟୁ ଉଡିଯାଇଥିଲା। ଏହି କୁଟୁରାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି କୁହାଯାଉଛି। ତେବେ କୁଟୁରା ଛୁଆଟି ବାଟ ଭୁଲି ଅଥବା ଖାଦ୍ୟ ଅନ୍ୱେଷଣରେ ସହର ଭିତରକୁ ଚାଲିଆସିଥିବା ଅନୁମାନ କରାଯାଉଛି । ତେବେ ଏନେଇ ରାୟଗଡା ବନାଞ୍ଚଳ ଅଧିକାରୀ ସଂଜୟ ଦାସଙ୍କୁ ପଚାରିବାରୁ କୁଟୁରାଟି ଜଂଗଲରୁ ବାଟ ଭୁଲି ଚାଲିଆସିଥିବା ବେଳେ କୁକୁରଙ୍କ ସାମ୍ନାରେ ପଡିଥିଲା। କୁକୁରମାନେ ତାକୁ କାମୁଡି ଦେବା ଫଳରେ ତାର ମୃତ୍ୟୁ ହୋଇଯାଇଥିବା କହିଥିଲେ।