ଭଞ୍ଜନଗର: ଆଜି ଗଞ୍ଜାମ ଜିଲ୍ଲା ପୁଲିସ୍ ଅଧୀକ୍ଷକ ବ୍ରିଜେଶ୍ ରାୟ ଭଞ୍ଜନଗର ଥାନା ପରିଦର୍ଶନ କରିଛନ୍ତି। ଏଥିସହ ଗତକାଲି କାଳ ବୈଶାଖୀ ପ୍ରଭାବରେ ଏସଡ଼ିପିଓ କାର୍ଯ୍ୟାଳୟରେ ହୋଇଥିବା କ୍ଷୟକ୍ଷତି ବୁଲି ଦେଖିଛନ୍ତି। ପ୍ରଥମେ ଶ୍ରୀ ରାୟ ଗାଙ୍ଗପୁର ଥାନାରେ ପହଞ୍ଚି ପୁଲିସ୍ ବିଭାଗର ସମସ୍ତ କାର୍ଯ୍ୟ ସଂର୍ପକରେ ତଦାରଖ କରିବା ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ଦୃଢ ପଦକ୍ଷେପ ନେବା ପାଇଁ କହିଥିଲେ। ଏହାପରେ ସେ ଭଞ୍ଜନଗର ଥାନାରେ ପହଞ୍ଚି ଅପରାଧ, ଅପରାଧି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଅଧପନ୍ତରିଆ ଥିବା ମାମଲା ଗୁଡ଼ିକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଠିକ୍ ସମୟରେ ଜନସାଧାରଣ କିଭଳି ନ୍ୟାୟ ପାଇପାରିବେ ସେହି ଦିଗରେ ସମସ୍ତ ଅଧିକାରୀ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ।

Advertisment

ଏଥିସହ ଥାନା ଗୁରୁତ୍ବପୂର୍ଣ୍ଣ ମାମଲା ଗୁଡ଼ିକର ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ସଠିକ୍ ତଥ୍ୟ ପ୍ରମାଣ ସଂଗ୍ରହ କରି ମାମଲା ଗୁଡ଼ିକର ତଦନ୍ତ କରିବା ପାଇଁ କହିଥିଲେ। ଏଥିସହ ବର୍ତ୍ତମାନ କରୋନାର ଦ୍ବିତୀୟ ଲହର ପାଇଁ କଟକଣା ସ୍ବରୂପ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରାଯାଇଥିବାରୁ ତାକୁ କଡ଼ାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କରୋନାର ସମସ୍ତ ନିୟମ ଯେଭଳି ପାଳନ ହେବ ତାକୁ ସମସ୍ତ କର୍ମଚାରୀ ମାନିବା ସହ ଜନସାଧାରଣ କିଭଳି ପାଳନ କରିବେ ସେ ଦିଗରେ ପଦକ୍ଷେପ ନେବା ପାଇଁ ସମସ୍ତ ଅଧିକାରୀଙ୍କୁ କହିଥିଲେ। ବିଗତ ବର୍ଷ ଏହି ଥାନାର ପ୍ରାୟ ୧୫ ଜଣରୁ ଉର୍ଦ୍ଧ୍ବ ପୁଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ବର୍ତ୍ତମାନ ସତର୍କତା ଅବଲମ୍ବନ କରିବା ପାଇଁ କହିଥିଲେ।

କୋଭିଡ଼ ନିୟମ ପାଳନ କରାଯିବା ସହ ଅପରାଧ ନିୟନ୍ତ୍ରଣ ମଧ୍ୟ ସମାନ୍ତରାଳରେ ଚାଲିବ। କଟକଣାର ସୁଯୋଗ ନେଇ ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାରୁ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ। ଏଥିସହ ପେସାଦାର ଅପରାଧିମାନଙ୍କ ଉପରେ ପୁଲିସ୍ ତିକ୍ଷ୍ନ ନଜର ରଖିଥିବା ପ୍ରକାଶ କରିଥିଲେ। ବକେୟା ଥିବା ଚୋରି,ରାହାଜାନୀ,ଲୁଟ,ହତ୍ୟାକାଣ୍ଡ,ଗୋଷ୍ଠୀ ସଂଘର୍ଷ ଭଳି ମାମଲା ଗୁଡ଼ିକୁ ତୁରନ୍ତ ସାରିବା ପାଇଁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସେ ଗତକାଲି କାଳବୈଶାଖୀ ପ୍ରଭାବରେ ଭାଙ୍ଗିଥିବା ଏସଡ଼ିପିଓ କାର୍ଯ୍ୟାଳୟର ଅବସ୍ଥା ଦେଖିବା ସହ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରି ଅଫିସ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ। ଏସପି ଗସ୍ତ ସମୟରେ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସମେତ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ,ଏସ୍ଆଇ ସମୀର କୁମାର ବେହେରା,ଲିତାରାଣୀ ପରିଡ଼ା, ଟୁନା ପିଡ଼ିକା,ଏଏସ୍ଆଇ ଦୁଲର୍ଭ ପାତ୍ର,ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।