ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ବିଜେପି ଯୁବମୋର୍ଚ୍ଚାର ଏସ୍‌.ପି ଅଫିସ ଘେରାଉ 

ଧସେଇ ପଶିଲେ, ପୁଲିସ ସହ ଠେଲାପେଲାରେ ୫ ଆହତ

ଫୁଲବାଣୀ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଘରୋଇ ମହାବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଆଜି କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସ୍‌.ପିଙ୍କ ଅଫିସ ଘେରାଉ କରାଯାଇଛି। ଶତାଧିକ କର୍ମୀ ଏସ୍‌ପିଙ୍କ ଅଫିସକୁ ଧସେଇ ପଶିବା ସହ ପୁଲିସ ସହ କିଛି ସମୟ ପାଇଁ ଠେଲାପେଲା ହୋଇଥିଲା। ମମିତା ମେହେରଙ୍କୁ ନିର୍ମମ ଭାବେ ହତ୍ୟା କରି ଖଣ୍ଡ ଖଣ୍ଡ କରି କାଟି ମାଟି ଭିତରେ ପୋଡ଼ି ପୋତି ଦେବା ଭଳି ଜଘନ୍ୟ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି।
ଆଜି ବିଜେପି ଯୁବ ମୋର୍ଚ୍ଚା ସଭାପତି ଗୋଲୋକ ବିହାରୀ କହଁରଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ମାଦିକୁନ୍ଦା ଛକଠାରୁ ବାହାରି ସହର ପରିକ୍ରମା କରିବା ସହ ଏସ୍‌ପିଙ୍କ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଗେଟ୍‌ ଚଢ଼ି ଅଫିସ ମଧ୍ୟକୁ ଧସେଇ ପଶିବାକୁ ଚେଷ୍ଟା କରିବା ବେଳେ ବିଜେପି କର୍ମୀ ଏବଂ ପୁଲିସ ମଧ୍ୟରେ କିଛି ସମୟ ଠେଲାପେଲା ହୋଇଥିଲା। ଠେଲାପେଲା ମଧ୍ୟରେ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସଭାପତି ରଘୁପତି କହଁର, ସୁଧାଂଶୁ ଗୁରୁ, ମୁକ୍ତିକାନ୍ତ ମହାନ୍ତି, ଅନନ୍ତ ଦିଗାଲ ଓ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସାମାନ୍ୟ ଆହତ ହୋଇଥିଲେ।
ମମିତା ମେହେର ହତ୍ୟା ଘଟଣାର ସିବିଆ‌ଇ ତଦନ୍ତ କରା ନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନକୁ ଜୋର୍‌ଦାର୍‌ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ବିକ୍ଷୋଭରେ ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ନାରାୟଣ କର୍ମୀ, ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ସାଂସଦ ପ୍ରାର୍ଥୀ ଐର ଖାରବେଳ ସ୍ବାଇଁ, ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ଦେବ ନାରାୟଣ ପ୍ରଧାନ, କମଳାକାନ୍ତ ପାଣ୍ଡେ, ମାନଗୋବିନ୍ଦ ପ୍ରଧାନ, ଦେବେନ୍ଦ୍ର କୁଦେ, ସ୍ମିତାରାଣୀ ମହାନ୍ତି, ସୁଶାନ୍ତ ମହାନ୍ତି, ଜଗନ୍ନାଥ ସାହୁ, ଜିତେନ କୁମାର ପ୍ରଧାନ, ଗୌତମ ମଲିକ, ବିଚିତ୍ରବୀର୍ଯ୍ୟ ପ୍ରଧାନ, ଦେବାଶିଷ ପ୍ରିୟଦର୍ଶନ ପ୍ରମୁଖ ଯୋଗ ଦେଇ ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ।
ସମ୍ବନ୍ଧିତ ଖବର