ଏଥର ପୁଲିସ ବିରୋଧରେ ନୁହେଁ, ଏସପିଙ୍କ ବଦଳିକୁ ପ୍ରତିବାଦ

ମାଲକାନଗିରି: ଦେଶ ସ୍ବାଧୀନ ହୋଇଥିଲେ ମଧ୍ୟ ସାତ ଦଶନ୍ଧିପରେ ଆମେ ସ୍ବାଧୀନ ହେଲୁ, ଆମକୁ ନକ୍ସଲ ଦାଉରୁ ରକ୍ଷା କଲେ, ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଂଚଳ ବୋଲି ପରିଚୟ ଦେଲେ, ଗାଁକୁ ରାସ୍ତା କଲେ, ଗୋଟିଏ ଦିନରେ ଆମେ ମାଲକାନଗିରି ଯାଇ ନିଜ ଘରକୁ ଫେରି ପାରୁଛୁ ବୋଲି କୋହଭରା କଣ୍ଠରେ ଆଜି ସ୍ବାଭିମାନ ଅଂଚଳର ମହିଳା ପୁରୁଷ କହୁଥିବା ଦେଖିବାକୁ ମିଳିଥିଲା।

ଆଜି ସ୍ବାଭିମାନ ଅଂଚଳର ଯଡାମ୍ବ ଠାରେ ୫ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକତ୍ରୀତ ହୋଇ ପ୍ରଜାମେଳି କରିଥିଲେ। ଏହି ପ୍ରଜାମେଳି କିନ୍ତୁ ପୁଲିସ ବିରୋଧରେ ନଥିଲା। ଏସପି ରିଶିକେଷ ଖିଲାରୀଙ୍କୁ ସମର୍ଥନ କରି ଏହି ପ୍ରଜାମେଳି କରାଯାଇଥିଲା। ଗତକାଲି ମାଲକାନଗିରି ଏସପି ଶ୍ରୀ ଖିଲାରିଙ୍କ ମୟୁରଭଞ୍ଜ ବଦଳି ହୋଇଥିବା କଥା ସ୍ବାଭିମାନ ଅଂଚଳବାସୀ ଜାଣିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ। କାରଣ ଏସପି ସବୁବେଳେ ସ୍ଭାଭିମାନ ଅଂଚଳରେ ପହଞ୍ଚି ଲୋକଙ୍କୁ ଭୟଭିତ ନହେବା ପାଇଁ ପରାମର୍ଶ ଦେବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ଏପରିକି ସ୍ବାଭିମାନ ଅଂଚଳକୁ ନକ୍ସଲ ଦାଉରୁ ମୁକ୍ତ କରିବାରେ ତାଂକର ଅବଦାନ ଅତୁଳନୀୟ। ତେଣୁ ତାଂକ ଭଳି ଭଗବାନଙ୍କୁ ଆମେ କେବେ ମଧ୍ୟ ଜିଲ୍ଲାରୁ ଛାଡିବୁ ନାହଁ ବୋଲି ଜିଦ ଧରିଥିଲେ। ତାଂକୁ ଆଉ କିଛି ଦିନ ଏଠାରେ ରଖିବା ପାଇଁ ଦାବି କରିଥିଲେ। ଯେଉଁ ଏସପି ଆସିବେ ସେ ଆମକୁ କେତେ ସୁରକ୍ଷା ଦେବେ ଆମେ ଜାଣି ନାହୁଁ। ଦଶନ୍ଧି ଦଶନ୍ଧି ଧରି ନକ୍ସଲ ସ୍ବାଭିମାନ ଅଂଚଳବାସୀଙ୍କୁ ଅତ୍ୟାଚାର କରିଆସୁଥିଲେ।

ସେମାନଙ୍କୁ ରକ୍ଷା କରିବା ପାଇଁ ନା ସରକାର ଆଗେଇ ଆସୁଥିଲା ନା ପ୍ରଶାସନ। ଏବେ କିନ୍ତୁ ଏସପି ଶ୍ରୀ ଖିଲାରୀ ଆମକୁ ଭଗବାନ ଭଳି ଆସି ସବୁ ସହଯୋଗ କଲେ। ସବୁ ଦୁଃଖ ସୁଖରେ ସେ ସାମିଲ ହେଉଥିଲେ। ସରକାରଙ୍କର ଏହି ବଦଳିକୁ ଏହି ଅଂଚଳର ଲୋକେ ବିରୋଧ କରିଛନ୍ତି। ଏହି ବଦଳିକୁ ତୁରନ୍ତ ରଦ୍ଦ କରିବା ପାଇଁ ଦାବି କରିଛନ୍ତି। ସ୍ବାଭିମାନ ଅଂଚଳରେ କିପରି ବିକାଶ ହୋଇପାରିବ ସେନେଇ ଏସପି ସରକାର ଏବଂ ପ୍ରଶାସନ ନିକଟରେ ସମସ୍ତ ରିପୋର୍ଟ ରଖିଥିଲେ। ସ୍ବାଭିମାନ ଅଂଚଳରେ ଛତ୍ରଭଙ୍ଗ ଦେଇଥିବା ନକ୍ସଲ ପୁଣି ଫେରି ଆସିବେ ବୋଲି ଲୋକେ ଭୟ କରୁଥିଲେ। ସରକାର ଆମ କଥାକୁ ବୁଝନ୍ତୁ ଏବଂ ଏସପିଙ୍କ ବଦଳିକୁ ରଦ୍ଦ କରନ୍ତୁ ବୋଲି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର