ରାଉରକେଲା: କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି। ବ୍ୟାପକ ବିଶୋଧନ, ସଚେତନତା ସୃଷ୍ଟି, କୋଭିଡ୍ ନିୟମାବଳୀର କଡ଼ା ପାଳନ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି।

Advertisment

ଏହାସହ ଟିକାକରଣ ମାତ୍ରାକୁ ମଧ୍ୟ ବ୍ୟାପକ କରାଯାଇଛି। ବିଶେଷକରି ୧୮ରୁ ୪୪ ବର୍ଷୀୟ ଯୁବକଙ୍କ ଟିକାଦାନ ପ୍ରକ୍ରିୟା ଜୋର୍ ଧରିଛି। ସଂପ୍ରତି ସହରରେ ଥିବା ଦିବ୍ୟାଙ୍ଗମାନଙ୍କୁ ଟିକାଦାନ ପାଇଁ ରାଉରକେଲା ମହାନଗର ନିଗମ କର୍ତୃପକ୍ଷ ପଦକ୍ଷେପ ନେଇଛି।

ଏହି କ୍ରମରେ, ଆସନ୍ତା ରବିବାର ଦିନ ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଟିକା ଦିଆଯିବ। ସକାଳ ୮ଟାରୁ ଦିନ ୧ଟା ଯାଏଁ ଏହା ଚାଲିବ। ସହରର ୬ ଟି କେନ୍ଦ୍ର, ଯଥା-ୟୁପିଏଚ୍ସି, ତିଲକାନଗର(ବନ୍ଧମୁଣ୍ଡା), ୟୁପିଏଚସି ଡିଏଭି(ଡିଏଲ ଛକ, ବାସନ୍ତୀକଲୋନି), ଛେଣ୍ଡ୍ ୟୁପିଏଚ୍ସି(ଧାମରା ବସ୍ତି ପାଖ), ନେହେରୁ ଓପିଡି(ଇସ୍ପାତ ଜେନେରାଲ ହସପିଟାଲ) ଓ ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ୍)ରେ ଟିକା ଦିଆଯିବ।
ଦିବ୍ୟାଙ୍ଗମାନେ ନିଜ ନିଜ ଆଧାର କାର୍ଡ ଓ ଦିବ୍ୟାଙ୍ଗ ପରିଚୟ ପତ୍ର ଆଣି ଟିକା ନେଇପାରିବେ। ଏହି ସ୍ବତନ୍ତ୍ର ବ୍ୟବସ୍ଥାର ଭରପୂର ସେବା ନେବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଆହ୍ବାନ କରାଯାଇଛି।