ସ୍ୱତନ୍ତ୍ର ଖୋର୍ଦ୍ଧା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ପାଇଁ ଦାବି 

ଖୋର୍ଦ୍ଧା: ୧୯୯୩ରେ ଖୋର୍ଦ୍ଧା ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଏହାର ବିକାଶ ଭୁବନେଶ୍ୱର ମହାନଗର ନିଗମର ଛାଇରେ ହଜିଯାଇଛି। ସ୍ୱତନ୍ତ୍ର ଜିଲ୍ଲା ଓ ଜିଲ୍ଲାର ସଦର ମହକୁମା ହେବା ପରେ ଯେଉଁଭଳି ବିକାଶ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଥିଲା ସେଭଳି ହୋଇନାହିଁ। ଏଣୁ ଖୋର୍ଦ୍ଧା ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଢାଞ୍ଚାରେ ଏକ ସ୍ୱତନ୍ତ୍ର ଉନ୍ନୟନ କର୍ତ୍ତୃପକ୍ଷ କରିବା ପାଇଁ ଦାବି କରାଯାଇଛି। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସହରର ବରିଷ୍ଠ ନାଗରିକ, ଆଇନଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ର ସମ୍ପର୍କରେ ଆଇନଜୀବୀ ସତ୍ୟ ରଂଜନ ଲାଲା କହିଛନ୍ତି ଯେ ସ୍ୱତନ୍ତ୍ର ଜିଲ୍ଲା ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋର୍ଦ୍ଧାରେ ରହିଛି କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ବର୍ତମାନ ମଧ୍ୟ ଭୁବନେଶ୍ୱରରେ ରହିଛି। ସହରର ବିକାଶ ମଧ୍ୟ ବ୍ୟବସ୍ଥିତ ଢଙ୍ଗରେ ହୋଇ ପାରୁନାହିଁ। ଗୃହନିର୍ମାଣ, ରାସ୍ତାଘାଟ ଆଦିର ଯୋଜନା ପାଇଁ ଭୁବନେଶ୍ୱର ଉପରେ ହିଁ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟ ସରକାର ବାର୍ଷିକ ୨ କୋଟି ଟଙ୍କା ଦେଉଥିବା ବେଳେ ଖୋର୍ଦ୍ଧାର ବିକାଶ ବିଡିଏର ନାଲିଫିତାରେ ବାନ୍ଧି ହୋଇ ରହିଛି। ସହରର ଜନସଂଖ୍ୟାରେ ବୃଦ୍ଧି ସହ ଘରଦ୍ୱାର, ଗାଡ଼ିମୋଟର ଓ ଭିତ୍ତିଭୂମିର ଆବଶ୍ୟକତା ମଧ୍ୟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପାଇଁ ଏକ ସ୍ୱତନ୍ତ୍ର ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବାର ନିହାତି ଆବଶ୍ୟକତା ସୃଷ୍ଟି ହୋଇଛି। ଆଜି ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳସଚିବ ଡ ନାରାୟଣ ରାଓ, ଉମାଶଙ୍କର ପ୍ରସାଦ, ଆଇନଜୀବୀ ପ୍ରଫୁଲ୍ଲ ଦାସ, ଅମିତ ବକ୍ସ, ସୁରଜ ଖାଁନ୍‌, ଅଶୋକ କୁମାର ନନ୍ଦ ପ୍ରମୁଖଙ୍କ ସହ ଅନ୍ୟ ଆଇନଜୀବୀ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର