ମାରାଥନ୍, ଲମ୍ବା ଦୌଡ଼ରେ ଉଜ୍ଜ୍ବଳମୟ ସମ୍ଭାବନା: କୋଚ୍ ନାହାନ୍ତି କି ସାଧନ ନାହିଁ, ୟୁଟ୍ୟୁବରୁ ଦେଖି ଚଳୁଛି କାମ

ନିଜ ଦମରେ ଆଗେଇ ଚାଲିଛନ୍ତି ଦୁଇ ଆଦିବାସୀ ଭାଇ

ବାରିପଦା: କୋଚ୍ ନାହାନ୍ତି। ସାଧନ ମଧ୍ୟ ନାହିଁ। ଘରର ରୋଜଗାର ସମ୍ପୂର୍ଣ୍ଣ ଭାବେ ବାପାଙ୍କ ଉପରେ ନିର୍ଭରଶୀଳ। ଆଉ ଚାଷ କାମ କରୁଥିବାରୁ ନିଜ ପିତାଙ୍କଠାରୁ ଲମ୍ବା ଦୌଡ଼ ଏବଂ ମାରାଥନ୍ ପାଇଁ ଆବଶ୍ୟକ କରୁଥିବା ସାଧନ ଆଶା କରିବା ମଧ୍ୟ ବୃଥା। ତେବେ ନିଜ ଉଦ୍ୟମରେ, ଘରଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ବାରିପଦା ଷ୍ଟାଡିୟମ୍ ଏବଂ ଛଉ ପଡ଼ିଆକୁ ଅଭ୍ୟାସ କରିବାକୁ ଆସି ଲମ୍ବ ଦୌଡ଼ରେ ଏକ ଉଜ୍ଜ୍ବଳମୟ ସମ୍ଭାବନା ସୃଷ୍ଟି କରିଛନ୍ତି ଜନଜାତି ସମ୍ପ୍ରଦାୟର ଦୁଇ ଭାଇ ନରେଶ ଏବଂ ଚନ୍ଦ୍ରମୋହନ ହେମ୍ବ୍ରମ୍। ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ସିରିଶବଣୀ ଗାଁରେ ଭାରତୀ ଏବଂ ରବୀନ୍ଦ୍ର ହେମ୍ବ୍ରମଙ୍କ ବଡ଼ ପୁଅ ହେଉଛନ୍ତି ନରେଶ(୨୩)। ପିତା ରବୀନ୍ଦ୍ର ଚାଷବାଷ କରି ଗୁଜୁରାଣ ମେଣ୍ଟାନ୍ତି।

ତିନି ପୁଅଙ୍କ ମଧ୍ୟରୁ ନରେଶ ପ୍ରଥମେ ୧୦ ହଜାର ଓ ୫ ହଜାର ମିଟର ଭଳି ଲମ୍ବଦୌଡ଼ରେ ଭାଗ ନେବାକୁ ମନ ବଳାଇଥିଲେ। ଆଉ ତାଙ୍କ ଦେଖାଦେଖି ସାନ ପୁଅ ଚନ୍ଦ୍ରମୋହନ(୧୮) ମଧ୍ୟ ଏହି ବର୍ଗରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ବଡ଼ ଭାଇ ନରେଶ ଏବେ ବାରିପଦା ମହାବିଦ୍ୟାଳୟରେ ପଢ଼ୁଥିବାବେଳେ ଘରେ ବାପାଙ୍କୁ ଚାଷ କାମ ଆଦିରେ ସାହାଯ୍ୟ କରନ୍ତି। ତେବେ ଘର ପାଖରେ ଦୌଡ଼ିବା ପାଇଁ ପଡ଼ିଆ ନଥିବାରୁ ପ୍ରତିଦିନ ପ୍ରାୟ ୧୦ କିମି ଦୂରରେ ଥିବା ବାରିପଦା ଷ୍ଟାଡିୟମକୁ ଅଭ୍ୟାସ ପାଇଁ ଆସନ୍ତି। ସ୍କୁଲରେ ପଢ଼ିବାବେଳୁ ନରେଶଙ୍କର ଦୌଡ଼ିବାରେ ଆଗ୍ରହ ଥିଲା। ତେବେ ତାଙ୍କ ପାଖରେ ଲମ୍ବା ଦୌଡ଼ ନିମନ୍ତେ ଥିବା ସାମର୍ଥ୍ୟକୁ ଦେଖି ଜଣେ ଶିକ୍ଷକ ନରେଶଙ୍କୁ ୫ହଜାର ଏବଂ ୧୦ହଜାର ମିଟର ଦୌଡ଼ରେ ଭାଗ ନେବାକୁ ପ୍ରବର୍ତ୍ତାଇଥିଲେ। ସେବେଠାରୁ ସେ ଏହି ଦୁଇ ବର୍ଗରେ ଦୌଡ଼ୁଛନ୍ତି।

ଚଳିତ ମାସରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୬୮ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ନରେଶ ରୌପ୍ୟ ପଦକ ହାସଲ କରିଛନ୍ତି। ଆଉ ତାଙ୍କୁ ଦେଖି ଏହି ବିଭାଗରେ ମାତ୍ର କିଛି ମାସ ତଳୁ ଦୌଡ଼ିବା ଆରମ୍ଭ କରିଥିବା ସାନ ଭାଇ ଚନ୍ଦ୍ରମୋହନ ଜିତିଛନ୍ତି ସ୍ବର୍ଣ୍ଣ ପଦକ। ଦୁଇ ଭାଇଙ୍କ ପାଇଁ ଏହି ସଫଳତା ଅନେକ ପ୍ରତିକୁଳ ପରିସ୍ଥିତିରେ ଆସିଥିବାରୁ ସେ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି। ତେବେ ଲମ୍ବ ଦୌଡ଼ ବିଭାଗରେ ଆବଶ୍ୟକ ହେଉଥିବା ବିଭିନ୍ନ ଟେକ୍ନିକ ଆଦି ସମ୍ବନ୍ଧରେ ସୂଚନା ଦେବା କିମ୍ବା ତାଲିମ ଦେବାକୁ ତାଙ୍କର କେହି କୋଚ୍ ନାହାନ୍ତି। ସେହିପରି ଏହି ବିଭାଗରେ ଆଥ୍ଲେଟ୍ ପାଇଁ ଶାରିରୀକ ସାମର୍ଥ୍ୟର ଜରୁରୀ। ମାତ୍ର ଏଥିପାଇଁ ଆବଶ୍ୟକ ଡାଏଟ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀରୁ ବଞ୍ଚିତ ହେଉଛନ୍ତି ସେ। ଏପରିକି ସିନ୍ଥେଟିକ୍ ଟ୍ରାକରେ ଦୌଡ଼ିବା ପାଇଁ ଦୁଇ ଭାଇଙ୍କର ସ୍ପାଇକ୍ ଜୋତା ମଧ୍ୟ ନାହିଁ। ଅଭ୍ୟାସରେ ଦୌଡ଼ୁଥିବା ଶସ୍ତା ଜୋତାରେ କଳିଙ୍ଗ ଷ୍ଟାଡିୟମରେ ଦୌଡ଼ିଥିଲେ ଦୁଇ ଭାଇ। ଯାହାଫଳରେ ଯେଉଁଭଳି ବେଗର ସେ ଆଶା କରିଥିଲେ ତାହା ମିଳିନଥିଲା। ଟାଇମିଂ କମିଥିଲା। ତଥାପି ସେ ରୌପ୍ୟ ଜିତିଥିଲେ। ଆଉ ଚନ୍ଦ୍ରମୋହନ ଜିଣିଥିଲେ ସ୍ବର୍ଣ୍ଣ। ତେଣୁ ଯଦି ତାଲିମ ନିମନ୍ତେ କୋଚ୍, ଆବଶ୍ୟକୀୟ ଡାଏଟ୍ ସହିତ ଦୌଡ଼ିବା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ମିଳିପାରନ୍ତା ତେବେ ସେ ଏବଂ ତାଙ୍କ ସାନ ଭାଇ ନିଶ୍ଚୟ ଏହି ବିଭାଗରେ ଜାତୀୟ ସ୍ତରରେ ନାମ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଦୁଇ ବର୍ଗକୁ ଛାଡ଼ି ମାରାଥନରେ ମଧ୍ୟ ରୁଚି ରଖିଛନ୍ତି ଉଭୟ ନରେଶ ଏବଂ ଚନ୍ଦ୍ରମୋହନ।

ଏଯାବତ୍ ଅନେକ ସମ୍ମାନଜନକ ତଥା ଜଣାଶୁଣା ମାରାଥନରେ ଅଂଶଗ୍ରହଣ କରି ଦୁଇ ଭାଇ ସଫଳତା ହାସଲ କରିଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ୨୦୨୦ରେ ଆୟୋଜିତ ବିଜୁ ପଟ୍ଟନାୟକ ମିନି ମାରାଥନରେ ଅଂଶଗ୍ରହଣ କରି ଅନେକ ପ୍ରତିଷ୍ଠିତ ମାରାଥନ୍ ଦୌଡ଼ାଳୀଙ୍କ ଉପସ୍ଥିତି ସତ୍ତ୍ବେ ୫ମ ସ୍ଥାନରେ ରହିଥିଲେ ନରେଶ। ଏହି ମିନି ମାରାଥନର ୨୦୧୯ ସଂସ୍କରଣରେ ସେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରନ୍ ଫର୍ ହକି ମିନି ମାରାଥନରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଏଥିସହିତ ଟାଟା ଷ୍ଟିଲ୍ ମିନି ମାରାଥନ୍, ପୁରୀ ମିନି ମାରାଥନ୍, ଅଶୋକ ଦାସ ମିନି ମାରାଥନ୍, ପାରାଦୀପ ମାରାଥନ୍, ମୟୂରଭଞ୍ଜ ମିନି ମାରାଥନ୍, ପଶ୍ଚିମବଙ୍ଗରେ ଅନୁଷ୍ଠିତ ରନ୍ ଫର୍ ଫ୍ରିଡମ୍ ଫାଇଟର୍ସ, ନରସିଂହପୁର ମିନି ମାରାଥନରେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରିଛନ୍ତି।

ଏହା ବାଦ୍ ମୟୂରଭଞ୍ଜ ଆଥ୍ଲେଟିକ ଆସୋସିଏସନ ଜିଲ୍ଲା ସ୍ତରୀୟ ମିଟରେ ସ୍ବର୍ଣ୍ଣ ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରତିଯୋଗିତାରେ ପଦକ ଜିତିଛନ୍ତି। ନରେଶଙ୍କ ପରି ସାନ ଭାଇ ଚନ୍ଦ୍ରମୋହନ ମଧ୍ୟ ୧୦ ଓ ୫ ହଜାର ମିଟର ବର୍ଗରେ ବେଶ୍ ପ୍ରତିଭାଶାଳୀ। ବଡ଼ ଭାଇକୁ ଦେଖି ଲମ୍ବ ଦୌଡ଼ ବର୍ଗରେ ଚଳିତ ବର୍ଷ ହିଁ ଅଭ୍ୟାସ ଆରମ୍ଭ କରିଥିବା ଚନ୍ଦ୍ରମୋହନ ଚଳିତ ୬୮ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ୧୦ହଜାର ମିଟର ବିଭାଗରେ ମାତ୍ର ୧୮ ବର୍ଷ ବୟସରେ ସିନିୟର ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ନିପଟ ମଫସଲରେ ଅନେକ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ବଢ଼ିଚାଲିଥିବା ଏହି ଦୁଇ କଢ଼ି ଯେପରି ବଣରେ ନଝଡ଼ି ନିଜର ପ୍ରତିଭା ମାଧ୍ୟମରେ ମୟୂରଭଞ୍ଜ ତଥା ରାଜ୍ୟ ପାଇଁ ଗୌରବ ଆଣିବେ ସେନେଇ ଉପଯୁକ୍ତ ପରିବେଶ ଯୋଗାଇ ଦେବା ଆବଶ୍ୟକ। ନଚେତ୍ ବଣ ମଲ୍ଲୀ ବଣରେ ଫୁଟି ହିଁ ଝରିଯିବ, ଏହା ଅବଶ୍ୟମ୍ଭାବୀ।

ସମ୍ବନ୍ଧିତ ଖବର