ଥୁଆମୂଳ ରାମପୁର ଗସ୍ତରେ ନୀତି ଆୟୋଗର ବିଶେଷଜ୍ଞ

ବିଭିନ୍ନ ସମସ୍ୟାର କଲେ ସମୀକ୍ଷା

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରକୁ ବୁଧବାର କେନ୍ଦ୍ରୀୟ ନୀତି ଆୟୋଗର ବିଶେଷଜ୍ଞ ରଣଧୀର ସିଂହଙ୍କ ଗସ୍ତ କରିଛନ୍ତି। ପ୍ରଥମେ ଗୁଣପର ସାଇସୁରନିସ୍ଥିତ ମା’ ଗୃହ, ସିରିମସ୍କା ହାଇସ୍କୁଲ, ଗୋପାଳପୁର ହାଇସ୍କୁଲ ପରିଦର୍ଶନ କରିଥିଲେ। ଥୁଆମୂଳ ରାମପୁରରେ ଅନ୍‌ଲାଇନ ଶିକ୍ଷା ତଥା, ନେଟ୍‌ୱର୍କ ସଂଯୋଗ ଉପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶ୍ରୀ ସିଂହ ଆଶ୍ୱାସନା ଦେଇଛନ୍ତି। ସିଏଚ୍‌ସି ପରିଦର୍ଶନ କରି ସେ ନୀତିଶ ଝା (ମେଡିକାଲ୍‌ ଅଫିସର)ଙ୍କ କାର୍ଯ୍ୟ ତଦାରଖ କରିଥିଲେ। ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ତଥା ଉନ୍ନତମାନର ଚିକିତ୍ସା ପଦ୍ଧତିର ଅଭାବ ଥିବାରୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।

ଏହାପରେ ବିଡିଓଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ଇନ୍ଦ୍ରାବତୀ ଡ୍ୟାମ୍‌ ଭିତରେ ଥିବା ପୋଡ଼ପଦର ଅଧିବାସୀ ଯେମିତି ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପାଇଁ ଯତ୍ନବାନ ହେବାକୁ ସ୍ଥାନୀୟ ପ୍ରଶାସନ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ବାଲିସରାସ୍ଥିତ ଟେରାକୋଟା, ମୃତ୍ତିକା ଶିଳ୍ପ, ଗ୍ରାମୀଣ ଜୀବିକା କିଭଳି ଉନ୍ନତି ହେବ, ସେ ବିଷୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ଆଗାମୀ ଦିନରେ ମୌଳିକ ସୁବିଧାରୁ ଥୁଆମୂଳ ରାମପୁରବାସୀ ଯେମିତି ବଞ୍ଚିତ ନହେବେ ସେଥିପାଇଁ ନୀତି ଆୟୋଗର ଚେଷ୍ଟା ରହିବ ବୋଲି ସାମ୍ବାଦିକଙ୍କୁ କହିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଡିପିଏମ୍‌ ଅବନୀକାନ୍ତ ମହାପାତ୍ର, ଜିଲ୍ଲା ଯୋଜନା କାର୍ଯ୍ୟାଳୟରୁ ଡେପୁଟି ନିର୍ଦେଶକ ଶ୍ରୀକାନ୍ତ ଦଳେଇ, ଏବିଡିଓ ଅଧିକାରୀ ମେହର, ଜ୍ଞାନ ଭୋଇ, ଡବ୍ଲୁଇଓ ଗଙ୍ଗାଧର ବେହେରାଙ୍କ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର