ସମ୍ବଲପୁର: ହୋଲି ଉତ୍ସବ ସମୟରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପାଞ୍ଚ ଯୋଡି ହୋଲି ସ୍ବତନ୍ ଟ୍ରେନ୍ ପୁଣେ, ପାଟଣା ଏବଂ ନିଜାମୁଦ୍ଦିନ ଷ୍ଟେସନକୁ ଚଳାଚଳ କରିବ। ସମ୍ବଲପୁର-ପୁଣେ ହୋଲି ବିଶେଷ ଟ୍ରେନ(୦୮୩୨୭/୦୮୩୨୮) ମାର୍ଚ୍ଚ ୧୭ ତାରିଖରୁ ୩୧ ମାର୍ଚ୍ଚ ମଧ୍ୟରେ ପ୍ରତ୍ୟେକ ରବିବାର ସମ୍ବଲପୁରରୁ ରାତ୍ରି ୧୦ଟାରେ ଛାଡିବ। ସେଭଲି ପୁଣେ ପାର୍ଶ୍ବରୁ ମାର୍ଚ୍ଚ ୧୯ରୁ ଏପ୍ରିଲ୍‌ ୨ ତାରିଖ ମଧ୍ୟରେ ପୂର୍ବାହ୍ଣ ୯ଟା ୧୫ରେ ଛାଡ଼ିବ।

Advertisment

ଏହି ଟ୍ରେନ୍ ବରଗଡ ରୋଡ୍, ବଲାଙ୍ଗୀର, ଟିଟିଲାଗଡ, କାଣ୍ଟାବାଞ୍ଜୀ, ଖରିଆର ରୋଡ, ରାୟପୁର, ନାଗପୁର, ଅହମଦନଗର ଭଳି ୨୧ଟି ଷ୍ଟେସନ୍‌ରେ ରହଣି କରିବ। ଟ୍ରେନ୍‌ରେ ଗୋଟିଏ ଏସି-୨ ଟାୟାର, ୪ଟି ଏସି -୩ ଟାୟାର, ୯ଟି ସ୍ଲିପର କ୍ଲାସ, ୬ଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍‌ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି। ସେଭଳି ସମ୍ବଲପୁର ସିଟି ଷ୍ଟେସନ୍‌ ଦେଇ ପୁରୀ-ନିଜାମୁଦ୍ଦିନ ହୋଲି ସ୍ବତନ୍ତ୍ର ଟ୍ରେନ୍‌(୦୮୪୭୫/୦୮୪୭୬) ଚାଲିବ।

ଏହି ଟ୍ରେନ୍‌ ମାର୍ଚ୍ଚରୁ ୨୨ରୁ ମାର୍ଚ୍ଚ ୨୯ ମଧ୍ୟରେ ପୁରୀ ଠାରୁ ପ୍ରତ୍ୟେକ ଶୁକ୍ରବାର ଭୋର ୪ଟା ୫୦ରେ ଛାଡିବ। ଫେରିବା ବେଳେ ଏହି ଟ୍ରେନ ନିଜାମୁଦ୍ଦିନ ଠାରୁ ୨୩ ମାର୍ଚ୍ଚରୁ ୩୦ ମାର୍ଚ୍ଚ ମଧ୍ୟରେ ପ୍ରତି ଶନିବାର ରାତି ୧୧ଟା ୩୫ରେ ଛାଡିବ। ଏହି ଟ୍ରେନ୍ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ସମ୍ବଲପୁର ସିଟି, ବିଳାଶପୁର, ଗ୍ୱାଲିୟର ଭଳି ୧୮ଟି ଷ୍ଟେସନ୍‌ରେ ରହଣି କରିବ।