ଅନଲକ୍‌ ପରେ ହେଲମେଟ ପିନ୍ଧିବା ଭୁଲିଗଲେଣି, ଭୟର କାରଣ ସାଜିଛି ସ୍ପିଡ ବାଇକ୍‌

ଭଞ୍ଜନଗର: ସଡକ ସୁରକ୍ଷା ‌ନେଇ ରହିଥିବା ନିୟମକୁ ଗାଡ଼ି ଚାଳକ ଭୁଲିଗଲେଣି। ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ନୂଆ ନିୟମ ଜାରି ହୋଇଛି। ‌ଗାଡି ଚେକିଂ ସହ ଜ‌ରିମାନା ଆଦାୟ ଠାରୁ ଲାଇସେନ୍ସ ରଦ୍ଦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ ହେଉଥିଲା। କିନ୍ତୁ ବର୍ତ୍ତମାନ ରାସ୍ତାକୁ ଦେଖିଲେ ଆଖି ପଲକ ପଡିବା ପୂର୍ବରୁ ନିୟମ ଉଲ୍ଲଂଘନକାରୀଙ୍କ ଲମ୍ବା ତାଲିକା ହେବା ଭଳି ଦେଖାଯାଉଛି। କିଛି ଯୁବକ ବେପରୁଆ ଭାବେ ଦ୍ରୁତ ଗତିରେ ବାଇକ ଚଳାଉଥିବା ବେଳେ ଲୋକେ ଭୟଭୀତ ହୋଇପଡୁଛନ୍ତି। ଘରୁ ରାସ୍ତାକୁ ବାହାରିଲେ ବରିଷ୍ଠ ନାଗରିକ ଓ ମହିଳାମାନେ ଦ୍ରୁତ ଗାଡି ଚାଳକ ମାନଙ୍କୁ ଠାରୁ ସୁରକ୍ଷା ଚିନ୍ତା ଘାରୁଛି। ଏଥିସହ ଯିଏ ଯେଉଁଠି ଚାହୁଁଛି ରାସ୍ତାର ସେଠି ଗାଡିକୁ ପାର୍କିଂ କରି ପଳାଉଛି। ମୁଖ୍ୟରାସ୍ତାର ଅଧା ପର୍ଯ୍ୟନ୍ତ ଗାଡି ପାର୍କିଂ କରୁଥିବା ଯୋଗୁ ଯାତାୟତ ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି।

ଗଂଜାମ ଜିଲ୍ଲା ଭଞ୍ଜନଗର ସହରରେ ଟ୍ରାଫିକ ବ୍ୟବସ୍ଥା ଭୁଶୁଡିବା ଭଳି ପ୍ରତିୟମାନ ହେଉଛି। କରୋନା ପାଇଁ କଟକଣା ପରଠାରୁ ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟମ କୋହଳ ହୋଇଥିବା ବେଳେ ନିୟମ ଉଲଙ୍ଘନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭଞ୍ଜନଗର ସହରରେ ବିନା ହେଲ୍‌ମେଟ୍‌ରେ ବାଇକ ଚଳାଇବା, ସିଟ୍‌ ବେଲ୍ଟ ନ ପିନ୍ଧି ଗାଡି ଚଳାଇବା, ଭୁଲ ରାସ୍ତାରେ ଗାଡି ଚଳାଇବା, ତିନି ଜଣଙ୍କୁ ବସି ବାଇକ୍‌ ଚଳାଉଥିବା ଭଳି ବିଭିନ୍ନ ନିୟମ ଉଲଂଘନ କରୁଥିବାର ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ପୂର୍ବରୁ ପୁଲିସ୍‌ ପକ୍ଷରୁ ବିଭିନ୍ନ ଛକରେ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଉଥିଲା।

ଟ୍ରାଫିକ ସଚେତନ ନେଇ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଥିଲା। କିନ୍ତୁ ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ସୃଷ୍ଟି ହୋଇପାରୁ ନାହିଁ। ବହୁ ଲୋକ ଗାଡି ଚଳାଇବା ବେଳେ ମୋବାଲରେ କଥା ହୋଇ ଗାଡି ଚଳାଉଛନ୍ତି। ଖାଲି ଏତିକି ନୁହେଁ, ତିନି ଜଣ ଗୋଟିଏ ବାଇକରେ ବସି ବିପଦପୂର୍ଣ୍ଣ ଭାବେ ବସି ଗାଡି ଚଳାଉଛନ୍ତି। ଏଥିସହ ଦୁଇ ତିନିଟ ବାଇକ୍‌ରେ ଯାଉଥିବା ଚାଳକ ମାନେ ରାସ୍ତାରେ କଥା ହୋଇ ହୋଇ ଗାଡି ଚଳାଉଛନ୍ତି। ଯାହାକି ଅନ୍ୟ ଯାତ୍ରୀ ମାନଙ୍କ ପାଇଁ ଅନେକ ସମୟରେ ବିପଦ ସୃଷ୍ଟି କରୁଛି। ଏଥିସହ ସହରରେ ଏବେ ସ୍ପିଡ୍‌ ବା‌ଇକ ସଂଖ୍ୟା ବଢିବାରେ ଲାଗିଛି। ସହରର ମୁଖ୍ୟ ରାସ୍ତା ସହିତ ଖାଲାସି ସାହି, ଭେଜିପୁଟ, ମରାଠୀ ସାହି, ରେଡକ୍ରସ ରୋଡ ଓ ବାଇପାସ ସମେତ ବିଭିନ୍ନ ଗଳିକନ୍ଦିରେ ଏହି ସ୍ପିଡ ବାଇକ୍‌ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ସେମାନେ ବେପରୁଆ ଭାବେ ଗାଡି ଚଳାଉଥିବାରୁ ଅଧିକାଂଶ ସମୟରେ ଦୂର୍ଘଟଣା ଘଟୁଛି। ତେଣୁ ସ୍ପିଡ ବାଇକ ସହ ଟ୍ରାଫିକ ନିୟମ କଡାକଡି ପାଳନ କରିବା ପାଇଁ ପରିବହନ ବିଭାଗ ସହ ପୁଲିସ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ ହୋଇଛି।

ସମ୍ବନ୍ଧିତ ଖବର