ତାଳଚୁଆ ସାମୁଦ୍ରିକ ଥାନାକୁ ଆସିଲା ସ୍ପିଡ୍‌ ବୋଟ୍‌

ବେଆଇନ ଟ୍ରଲର ଚଳାଚଳ ଉପରେ ରଖିବ ନଜର; ବନବିଭାଗ ସହ କଇଁଛ ସୁରକ୍ଷାରେ ସାମିଲ ହେବ

ରାଜନଗର: ୨୦୧୪ରେ ତାଳଚୁଆ ଫାଣ୍ତି ତାଳଚୁଆ ସାମୁଦ୍ରିକ ଥାନା ହୋଇଥିଲା। ସ୍ଥଳପଥରେ ୭ଟି ପଂଚାୟତ ସହିତ ଜଳପଥରେ ୧୪ ନଟିକାଲ ମାଇଲ ଯାଏ ନଜର ରଖିବାକୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା। ବିଶେଷକରି ଜଳପଥରେ ହେଉଥିବା ଅନୁପ୍ରବେଶ, ଆତଙ୍କବାଦୀ କାର୍ଯ୍ୟକଳାପ ଓ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଥାନା କରାଯାଇଥିଲା। ଜଳପଥରେ ହେଉଥିବା ବେଆଇନ କାରବାର ଉପରେ ନଜର ରଖିବାକୁ ଥାନା ନିର୍ମାଣ ହୋଇଥିଲେ ମଧ୍ୟ ଥାନାରେ ବୋଟ୍‌ଟିଏ ନଥିଲା। ସାମୁଦ୍ରିକ ଥାନା ପୁଲିସ ଜଳପଥରେ ହେଉଥିବା ଅଘଟଣ ଓ ଅସାମାଜିକ କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେଉଥିଲା।

ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ତାଳଚୁଆ ସାମୁଦ୍ରିକ ଥାନାକୁ ସ୍ପିଡ‌୍ ବୋଟ୍‌ ଯୋଗାଇ ଦିଆଯାଇଛି। ଆଜି ସ୍ପିଡ୍‌ ବୋଟ୍‌ ପାରାଦୀପରୁ ଜଳପଥରେ ଆସି ତାଳଚୁଆରେ ପହଁଚିଛି। ପ୍ରଥମ ଦିନ କେନ୍ଦ୍ରାପଡା ଏସ୍‌.ପି ମଦକର ସମ୍ପଦ, ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ମିଳିତ ଭାବେ ଜଳପଥରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ଗତମାସ ୧୫ ତାରିଖ ରାତିରେ ବନବିଭାଗ ପାଟ୍ରୋଲିଂ ଟିମ ଉପରେ ଗଭୀର ସମୁଦ୍ରରେ ଆକ୍ରମଣ କରିଥିବା ଟ୍ରଲରଗୁଡିକୁ ଧରିବା ପାଇଁ ପ୍ରଥମ ଦିନରୁ ପୁଲିସ ପକ୍ଷରୁ ଜଳପଥରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବୋଟ ସହିତ ବୋଟର ୭ଜଣ କର୍ମଚାରୀ ଓ ଗୋଟିଏ ସେକ୍ସନ ସଶସ୍ତ୍ର ଫୋର୍ସ ଯୋଗାଇ ଦିଆଯାଇଛି।

ବିରଳ ଅଲିଭରିଡଲେ କଇଁଛ ପରିବେଶ ସନ୍ତୁଳନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏମାନଙ୍କ ପ୍ରଜନନ ଋତୁ ସମୟରେ ସୁରକ୍ଷା ଯୋଗାଇ ଦେବା ପାଇଁ ବନବିଭାଗ, କୋଷ୍ଟଗାର୍ଡ୍‌, ମତ୍ସ୍ୟବିଭାଗ ମିଳିତ ଭାବେ ପାଟ୍ରୋଲିଂ କରୁଥିବା କୁହାଯାଉଛି। ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ଶହ ଶହ ଟ୍ରଲର ବେଆଇନ ଭାବେ ମାଛ ମାରିବା ସହିତ କଇଁଛ ମାରୁଛନ୍ତି। ଗତମାସ ୧୫ ତାରିଖ ରାତି ପ୍ରାୟ ୧୦ଟା ୩୦ରେ ବନବିଭାଗ ପାଟ୍ରୋଲିଂ ଟିମ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଟ୍ରଲରରେ ଥିବା ବ୍ୟକ୍ତି ପାଟ୍ରୋଲିଂ କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ର ଦ୍ବାରା ଆକ୍ରମଣ କରିଥିଲେ। ଆକ୍ରମଣରେ ୫ଜଣ ବନକର୍ମଚାରୀ ଆହତ ହୋଇଥିଲେ।

ସଂପୃକ୍ତ ଟ୍ରଲର ଆଉ ୧୦ଟି ଟ୍ରଲରକୁ ଘଟଣାସ୍ଥଳକୁ ଡାକି ପାଟ୍ରୋଲିଂ ବୋଟ ଓ ଏଥିରେ ଥିବା କର୍ମଚାରୀଙ୍କୁ ବୁଡ଼ାଇ ମାରିଦେବାକୁ ଚେଷ୍ଟା କରିଥିଲେ। ପାଟ୍ରୋଲିଂ ବୋଟ୍‌ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଏ ନେଇ ତାଳଚୁଆ ସାମୁଦ୍ରିକ ଥାନାରେ ମାର୍ଚ୍ଚ ୧୭ରେ ମାମଲା ରୁଜୁ ହୋଇଛି। ଘଟଣା ଘଟାଇଥିବା ଅଭିଯୁକ୍ତ ଓ ସେମାନଙ୍କ ପରିବାର ସଦସ୍ୟ ଅଭ୍ୟାସଗତ ଅପରାଧୀ ଓ ସେମାନଙ୍କ ବିରୁଦ୍ଧରେ ୧୧ଟି ମାମଲା ବିଚାରାଧୀନ ରହିଛି। କିନ୍ତୁ ଅଭିଯୁକ୍ତମାନେ ଗିରଫ ହୋଇନାହାନ୍ତି। ମାଛ ମାରିବା ଉପରେ କଟକଣା ସମୟ‌ରେ ଜବତ ବୋଟ ମଧ୍ୟ ଜିମାରେ ଛାଡି ଦିଆଯାଇଛି।

ଏହି ଘଟଣା ପାଟ୍ରୋଲିଂ ଦଳର ନୈତିକ ମନୋବଳକୁ ପ୍ରଭାବିତ କରିଛି। ଏଭଳି ସ୍ଥିତିରେ ତାଳଚୁଆ, ତନ୍ତିଆପାଳ, ଜମ୍ବୁ ମେରାଇନ ଥାନାକୁ ଅଧିକ ସଶସ୍ତ୍ର ବଳ ଯୋଗାଇ ଦିଆଯାଉ। ମାମଲାର ତଦାରଖ ପାଇଁ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଉ। ଘଟଣାରେ ସଂପୃକ୍ତ ଟ୍ରଲର ସହିତ ଏଥିରେ ସାମିଲ ଅନ୍ୟ ଟ୍ରଲର ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଆମିକସକ୍ୟୁରି ମୋହିତ ଅଗ୍ରୱାଲ ମାନ୍ୟବର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧିକ ଏନଫୋର୍ସମେଣ୍ଟ୍‌ ଟିମ, ସରଞ୍ଜାମ, ଯାନ ଯୋଗାଇ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏହି ସମ୍ବେଦନଶୀଳ ଘଟଣାରେ କେନ୍ଦ୍ରାପଡ଼ା ଏସ.ପି ନିଜେ ତଦାରଖ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ବିରଳ କଇଁଛଙ୍କ ସୁରକ୍ଷା ପାଇଁ ସାମୁଦ୍ରିକ ଥାନା ପୁଲିସ ପାଟ୍ରୋଲିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଡିସନାଲ ଡିଜି ରେଲଓ୍ବେ ଆଣ୍ତ କୋଷ୍ଟାଲ ସିକ୍ୟୁରିଟି ପାରାଦୀପ ମେରାଇନ ବେସରୁ ୧୨ ଟନର ଏକ ସ୍ପିଡ୍‌ ବୋଟ୍‌ ତାଳଚୁଆ ସାମୁଦ୍ରିକ ଥାନାକୁ ଯୋଗାଇ ଦେଇଛନ୍ତି। ଆଜି ସାମୁଦ୍ରିକ ଥାନାରେ ସ୍ପିଡ୍‌ ବୋଟ୍‌ ପହଁଚିଛି। ବୋଟ୍‌ଟି ପାରାଦୀପରୁ ବରୁଣେଇ ମୁହାଣ ଦେଇ ରାଜନଗର ହଂସୁଆ ନଦୀରେ ପହଁଚିଥିଲା। ରାଜନଗର ଜେଠୀରୁ ଏସପି ଓ ଆଇଆଇସି ବୋଟରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର