୭ ବର୍ଷ ବତିଲା, ଖୋର୍ଦ୍ଧା ସହରରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଏକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ହେବ, ଏହି କଥା ଗତ ଦଶନ୍ଧି ଧରି ଶୁଣାଯାଉଛି । ତେବେ ଏନେଇ ସ୍ଥାନ ଚିହ୍ନଟ ଗତ ୩ ବର୍ଷ ଧରି ଶେଷ ହୋଇଥିବା ବେଳେ ଏବେ ସୁଦ୍ଧା ଏହାର ପ୍ରାଚୀର କାର୍ଯ୍ୟ ଶେଷ ହୋଇନାହିଁ ।

ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ, କ୍ରୀଡ଼ା ପ୍ରତିଭାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣର ସୁଯୋଗ ଓ ଯୁବକଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟ ସରକାର ରାଜ୍ୟର ଏକାଧିକ ସହରରେ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଯୋଜନା କରିଥିଲେ । ଏହି ଯୋଜନାରେ ଖୋର୍ଦ୍ଧା ସହର ଓ ପଡ଼ୋଶୀ ଜିଲ୍ଲା ପୁରୀ ଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରସ୍ତାବକୁ ସରକାର ଅନୁମତି ଦେଇଥିଲେ । ପୁରୀ ଜିଲ୍ଲାରେ ମାତ୍ର ୧୦ ଏକର ଅଂଚଳରେ ୪୫ କୋଟି ଟଙ୍କା ଅନୁଦାନ ଖର୍ଚ୍ଚ କରାଯିବାକୁ ରାଜ୍ୟ ସରକାର ଯୋଜନା ରଖିଥିଲେ । ଏହା ମଧ୍ୟରେ ପୁରୀର ସ୍ପୋର୍ଟସ କମ୍ପ୍ଲୋକ୍ସ କାର୍ଯ୍ୟ ୨୫-୩୦ ପ୍ରତିଶତ ଶେଷ ହୋଇ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଖୋର୍ଦ୍ଧା ସହରରେ ପ୍ରସ୍ତାବିତ ସ୍ପୋର୍ଟସ କମ୍ଲେକ୍ସର ଜବରଦଖଲ ଉଚ୍ଛେଦ ଶେଷ ହୋଇପାରିନାହିଁ କି ପାଚେରୀ ନିର୍ମାଣ ସଂପୂର୍ଣ୍ଣ ହୋଇପାରିନାହିଁ ।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ବାଜପୁର ରାସ୍ତାର ଯୋଗାଣ ବିଭାଗର ନୂତନ କାର୍ଯ୍ୟାଳୟ ନିକଟରେ ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ୨୦୧୪ରେ ଜାଗା ଚିହ୍ନଟ ହୋଇଥିଲା । ତେବେ ଚିହ୍ନଟ ସ୍ଥାନର ଦକ୍ଷିଣ-ପୂର୍ବ ଦିଗର ୪୦-୫୦ ଭାଗ ଜବରଦଖଲ ଓ ବେଆଇନ ବସ୍ତି ସ୍ଥାପିତ ହୋଇଯାଇଥିଲା । ଏହାର ଉଚ୍ଛେଦ ପାଇଁ ପ୍ରଶାସନକୁ ଦୀର୍ଘ ୪ ବର୍ଷ ସମୟ ଲାଗିଥିଲା । ଏନେଇ ବହୁ ସମୟ ଧରି ରାଜନୈତିକ ଛକାପଞ୍ଝା ଲାଗି ରହିଥିଲା । ଶେଷରେ ୨୦୨୦ ଡିସେମ୍ବର ୧୪ ତାରିଖରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ଜବରଦଖଲ ହଟାଇବା ପାଇଁ ଦୀର୍ଘ ୧୫ ଦିନ ସମୟ ଲାଗିଥିଲେ ମଧ୍ୟ ପ୍ରଶାସନ ସଂପୂର୍ଣ୍ଣ ହଟାଇପାରିନଥିଲା । ଶେଷରେ ଅଧିଗ୍ରହଣ ହୋଇଥିବା ଜମିରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ୨୦୨୧ ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ବେଳେ ଏଯାଏଁ ଏହା ଶେଷ ହୋଇନାହିଁ ।

ଜିଲ୍ଲା କ୍ରୀଡ଼ା ବିଭାଗର ସୂଚନାନୁସାରେ, ଖୋର୍ଦ୍ଧା ସହରରେ ସ୍ପୋର୍ଟସ କମ୍ଲେକ୍ସ ନିର୍ମାଣ ପାଇଁ ୧୮.୬୯୩ ଏକର ଜମି ଚିହ୍ନଟ କରାଯାଇଥିଲା । ଏହି ଜମିକୁ ୨୦୧୮ରେ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ତେବେ ଜବରଦଖଲ ଯୋଗୁଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ବର୍ତ୍ତମାନ ୯୦ ପ୍ରତିଶତ ଜବରଦଖଲ ମୁକ୍ତ ହୋଇସାରିଛି । ଚାରିପଟରେ ପାଚେରୀ ନିର୍ମାଣ ପାଇଁ ୧ କୋଟି ୫୫ ଲକ୍ଷ ଟଙ୍କା ଅନୁଦାନ ମିଳିଛି ଓ ଏହି ଅନୁଦାନରେ ପାଚେରୀ କାମ ଚାଲିଛି ।

ସୂଚନାଯୋଗ୍ୟ ଏଠାରେ ଏକ ମଲ୍ଟି ପରପୋଜ୍ ସ୍ପୋର୍ଟ ହଲ୍ ନିର୍ମାଣ କରାଯିବ ଏଥିରେ ଭଲିବଲ୍, ବ୍ୟାଡ୍ମିଂଟନ୍, ଟେବୁଲ୍ ଟେନିସ୍, ୱେଟ୍ ଲିଫିଟିଂ ପାଇଁ ସ୍ୱତନ୍ତ୍ର ଜିମ୍, କସରତ ପାଇଁ ସ୍ୱତନ୍ତ୍ର କକ୍ଷ ରହିବ । ସେହିଭଳି ଗ୍ୟାଲେରି ସହ ଏକ କ୍ରିକେଟ୍ ଷ୍ଟାଡିଅମ୍, ଏକ ସୁଇମିଂ ପୁଲ ଓ ଏକ ଫୁଟବଲ୍ ପଡ଼ିଆ ମଧ୍ୟ ନିର୍ମାଣ କରାଯିବ ।

ସମ୍ବନ୍ଧିତ ଖବର