ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୧ ବାର୍ଷିକ କ୍ରୀଡ଼ା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁକ୍ତ ଦୁଇର ପ୍ରଦୀପ୍ତା କୁମାରୀ କର ଏବଂ ଯୁକ୍ତ ତିନିର ବୀଣାପାଣି ନାୟକ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରି ଚାମ୍ପିଅନ ହୋଇଛନ୍ତି। ଗତ ଦୁଇ ଦିନ ଧରି ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, କୌତୁକିଆ ପୋଷାକ, ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଆଜି ଶେଷ ହୋଇଥିଲା।
କଲେଜ ଅଧ୍ୟକ୍ଷ ଡ଼.ଜୟରାମ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ ମୁଖ୍ୟ ଅତିଥି ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟବକ୍ତା ଏବଂ ପରିଚାଳନା କମିଟି ସଭାପତି ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ସଂସଦ ଉପସଭାପତି ଅଧ୍ୟାପିକା ସନ୍ଧ୍ୟାରାଣୀ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରଶ୍ଚିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅଧ୍ୟାପକ ପ୍ରେମଚାନ୍ଦ ମଲ୍ଲିକ, ମୋନାଲିସା ସାହୁ, ପ୍ରଭାତି ମିଶ୍ର, ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଉପସ୍ଥିତ ରହିଥିବା ବେଳେ ମାନସ ପ୍ରହରାଜ, ପି ରମେଶ, ପି ଆନନ୍ଦ ରାଓ, ମୋଚିରାମ ରଣସିଂ, ପ୍ରବୀଣ କୁମାର ଖାଡଙ୍ଗା ଓ ବିଚିତ୍ର ଜେନା ପ୍ରମୁଖ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମେତ କର୍ମଚାରୀ ଉପସ୍ଥିତ ଥିଲେ।