ଚିତା ହରିଣ ଉଦ୍ଧାର; ଗ୍ରାମବାସୀ ଉଦ୍ଧାର କରି ବନ ବିଭାଗକୁ କଲେ ହସ୍ତାନ୍ତର

ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର ମୁଜାଗଡ଼ ଗ୍ରାମ ଭିତରୁ ଆଜି ଏକ ଚିତା ହରିଣକୁ ଉଦ୍ଧାର କରାଯାଇଛି। ହଠାତ୍ ଆଜି ସକାଳ ସମୟରେ ନିକଟସ୍ଥ କାଳିପଙ୍କା ଜଙ୍ଗଲରୁ ହରଣଟି ଏକାକୀ ଗ୍ରାମ ନିକଟ ଏକ ପୋଖରୀକୁ ଚାଲି ଆସିଥିଲା। ହରିଣକୁ ଦେଖି କିଛି ବୁଲା କୁକୁର ଭୋ୍କିବା ସହି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ପ୍ରାଣ ବିକଳରେ ହରିଣଟି ମୁଜାଗଡ଼ ଗ୍ରାମର ଖଦାଳ ସାହି ଦେଇ ବଡ଼ଦାଣ୍ଡକୁ ପ୍ରବେଶ କରିଥିଲା। ତୁରନ୍ତ ଗ୍ରାମବାସୀ ମାନେ ହରିଣଟିକୁ କାବୁ କରିବା ସହ ବନ ବିଭାଗକୁ ଖବର ଦେଇଥିଲେ।

ମୁଜାଗଡ଼ ବନପାଳ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ବରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ହରିଣଟି ବିରାଟ କାୟ ହେବା ସହ ପୁରୁଷ ଚିତା ହରିଣ ବୋଲି ଜଣାପଡ଼ିଛି। ସମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇ କିଛି ସମୟ ରଖିବା ପରେ ମୁଜାଗଡ଼-ଗାଲେରୀ ରାସ୍ତାର ଡାଳଖାଇ ଜଙ୍ଗଲରେ ଛଡ଼ାଯାଇଥିଲା। ଅନେକ ସମୟରେ ହରିଣ ଭଳି କୋମଳମତି ବନ୍ୟପ୍ରାଣୀ ଗାଁମୁହାଁ ହେଉଥିବା ସମୟରେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଆହାତ ହେଉଛନ୍ତି। ବନ ବିଭାଗ ସମେତ ଜନସାଧାରଣ ଏସଂର୍ପକରେ ଅଧିକ ସଚେତନ ହୋଇ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର