କୋରାପୁଟ : କୋରାପୁଟର ଉପାନ୍ତ ଅଞ୍ଚଳରୁ ଏବେ ଶତାଧିକ ଲିଟର ପୋଡ଼ା ମୋବିଲ୍ ସଂଗୃହୀତ ହେଉଛି। ପୁନଃ ବ୍ୟବହାର ଯୋଗ୍ୟ ହେବାକୁ କହି କିଛି ଖଣ୍ଡି ହିନ୍ଦୀ ଓ ତେଲୁଗୁ କହୁଥିବା ଲୋକ ଏହାକୁ ସଂଗ୍ରହ କରୁଛନ୍ତି। ତେବେ ଏହା ଅଦକାରୀ ହୋଇଥିବାବେଳେ ଏତେ ପୋଡା ମୋବିଲ କୁଆଡ଼େ ଯାଉଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବଜାରରେ ଇଞ୍ଜିନ ଅଏଲ କମ୍ ଦାମରେ ବିକ୍ରି ହେଉଥିବାରୁ ସାଧାରଣରେ ସନ୍ଦେହ ଦେଖାଦେଇଛି। ତେବେ ଏହି ଗୁମର ପଦାକୁ ଆସିବା ପରେ ନାମିଦାମି କମ୍ପାନୀର ମୋହର ମାରି ଏହି ପୋଡା ମୋବିଲ୍କୁ ନକଲି ଇଞ୍ଜିନ ଅଏଲ କରାଯାଉଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି। ଜିଲ୍ଲାରେ ଏତେବଡ କେଳେଙ୍କାରୀ ଚାଲିଥିବା କୁହାକୁହି ହେଉଥିବାବେଳେ ପୋଲିସ ବି ନୀରବ ରହୁଥିବାରୁ ତାକୁ ନେଇ ଜାଣିବା ଶୁଣିବା ମହଲରେ ପ୍ରଶ୍ନ ଉଠିଛି।
କୋରାପୁଟ ମୁଖ୍ୟାଳୟ ସହ ଜୟପୁର, ବୋରିଗୁମ୍ମା, ଦାମନଯୋଡି, ଲକ୍ଷ୍ମୀପୁର, ସୁନାବେଢା, ସେମିଳିଗୁଡା ପରି ସହରରୁ ପ୍ରତି ସପ୍ତାହରେ ଶତାଧିକ ଲିଟର ପୋଡା ମୋବିଲ୍ ସଂଗ୍ରହ ହେଉଛି। ପୋଡା ମୋବିଲ୍ ପୁନଃ ବ୍ୟବହାରଯୋଗ୍ୟ ହେବା କଷ୍ଟସାଧ୍ୟ ହୋଇଥିବାବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଏହା ସଂଗ୍ରହ କରାଯାଉଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ମିଳିଥିବା ସୂଚନା ମୁତାବକ ଜିଲ୍ଲାରେ ରହିଥିବା ଛୋଟବଡ ସର୍ଭିସିଂ ସେଣ୍ଟର, ଗ୍ୟାରେଜ୍ରୁ ଏହି ପୋଡା ମୋବିଲକୁ ସଂଗ୍ରହ କରୁଛି କୋରାପୁଟ ନମ୍ବର ରହିଥିବା ଏକ କଣ୍ଟେନର। ଖଣ୍ଡି ହିନ୍ଧୀ ଓ ତେଲଗୁ ଭାଷାରେ କଥା ହେଉଥିବା କିଛି ଲୋକ ଏହାକୁ ସଂଗ୍ରହ କରୁଛନ୍ତି। ପୋଡା ମୋବିଲ୍ ମାତ୍ର ୩୦ ଟଙ୍କା ଲିଟର ପ୍ରତି କିଣୁଛନ୍ତି। ସର୍ଭିସିଂ ସେଣ୍ଟର, ଗ୍ୟାରେଜ୍ ମାଲିକଙ୍କୁ ଏହା ମୌକା ଜୁଟାଇଛି। ଯେଉଁ ଜିନିଷକୁ ଫୋପାଡି ଦେଉଥିଲେ ତାହା ଯଦି ବିକ୍ରି ହେବ ସେମାନେ ବି ବହୁତ ଖୁସି। ଏହାକୁ ନେଇ ପୁନଃ ବ୍ୟବହାର ଯୋଗ୍ୟ କରିବାକୁ କହି କଣ୍ଟେନରରେ ବୋହି ନିଆଯାଉଥିବା ଜଣାପଡିବା ପରେ ଏହି କଥା ପଦାକୁ ଆସିଛି।
ତେବେ ଜିଲ୍ଲାରେ ନାମୀଦାମୀ କମ୍ପାନୀର ଲୋଗୋ ଥାଇ ଇଞ୍ଜନ ଅଲଏ ବିକ୍ରି ହେଉଥିବା ବେଳେ ଦାମ କମ୍ ରହିଥିବାରୁ ଲୋକେ ବି କିଣି ନେଉଛନ୍ତି। ତେବେ ସବୁ ଜାଣି ପୁଲିସ ଓ ଜିଲ୍ଲା ପ୍ରଶାସନ ଚୁପ ରହିଥିବାରୁ ଏବେ ଚାରିଆଡେ ଏହି ଲୋକମାନେ ଖେଦି ଯାଇଛନ୍ତି। ପ୍ରତ୍ୟେକ ଦିନ ଗ୍ୟାରେଜ ଓ ସର୍ଭିସିଂ ସେଣ୍ଟରଗୁଡିକ ବୁଲୁଛନ୍ତି।
ଏନେଇ ଗ୍ୟାରେଜ୍ ମାଲିକ ପି.ସାଇ ରାଜୁ କହିଛନ୍ତି ଯେ ଶହ ଶହ ଲିଟର ପୋଡା ଇଞ୍ଜିନ ଅଏଲ(ମୋବିଲ୍) ବାହାରୁଛି । ଏହାକୁ କେଉଁଠାରେ ପିଙ୍ଗିବୁ, ଏହାକୁ କିଛି ଖଣ୍ଡି ହିନ୍ଦି ଓ ତେଲଗୁ ଭାଷା କହୁଥିବା ଲୋକେ ନେଇ ଯାଉଛନ୍ତି। କେବେ ଲିଟର ପ୍ରତି ୩୦ ଟଙ୍କା ତ କେବେ ୪୦ ଟଙ୍କା ଦେଉଛନ୍ତି। ଏଥିରୁ ଦୁଇ ପଇସା ଆସୁଥିବାରୁ ଆମେ ଏହାକୁ କ’ଣ କରିବୁ ଭାବି ଦେଇ ଦେଉଛୁ ବୋଲି ସେ କହିଛନ୍ତି ।