ଶ୍ରୀମନ୍ଦିର ପରିଚାଳନା କମିିଟିର ଗୁରୁତ୍ବପୂର୍ଣ୍ଣ ବୈଠକ: ପୁରୀରେ ୬୦ହଜାର ଲୋକଙ୍କ ରହଣୀ ପାଇଁ ଭକ୍ତନିବାସ ନିର୍ମାଣ ହେବ

ପୁରୀ: ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା  କମିିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ  ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ନିର୍ଦ୍ଦେଶାବଳୀର ୨୩ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ ଦ୍ବାରଫିଟା ନୀତି ବିଭ୍ରାଟ ନେଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉପ‌ରେ ବି ଚର୍ଚ୍ଚା ହୋଇଥିଲା।

ଦ୍ବାରଫିଟା ନୀତି ବିଭ୍ରାଟ ନେଇ ଦୁଇଜଣ ସେବାୟତ କାରଣ ଦର୍ଶାଅ ନୋଟିସର ଉତ୍ତର ଦେଇଥିବା ବେଳେ ତିନିଜଣ ସେବାୟତଙ୍କୁ ନୋଟି ଜାରି କରାଯାଇଛି। ତିନିଜଣ ସେବାୟତଙ୍କ ଉତ୍ତର ମିଳିବା ପରେ ଜାନୁଆରି ୪ ତାରିଖରେ ଏହା ଉପରେ ଆଲୋଚନା ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ୍ କୁମାର।

ଏଥିସହ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କ ନୀତି ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ଲାଗି ଶ୍ରୀମଦ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ ନିଆଯିବ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମତ ବି ମନ୍ଦିର ପ୍ରଶାସନ ଲୋଡିବ ବୋଲି  ସେ କହିଥିଲେ।

ଏତଦ୍‌ବ୍ୟତୀତ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି କି, ସେବକଙ୍କ ପିଲାଙ୍କ ପଢ଼ିବା ଲାଗି  ଗୁରୁକୁଳ ନିର୍ମାଣ  ପାଇଁ ୧୫ଏକର ଜମି ଚିହ୍ନଟ ହୋଇଛି। ପୁରୀର ମାଟିତୋଟାରେ ଆପାତତଃ ଏହି ପ୍ରକଳ୍ପ କରାଯିବ। କେବଳ ଏତିକି ନୁହେଁ, ପୁରୀରେ ୬୦,୦୦୦ ଲୋକଙ୍କ ରହଣୀ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ କରାଯିବ। ୬ଟି ଭକ୍ତନିବାସ ନିର୍ମାଣ ହେବ ଓ ପ୍ରତ୍ୟକଟିରେ ୧ହଜାର କୋଠରୀ ରହିବ। ଏଥିସହ  ଖୁବଶୀଘ୍ର ମହାପ୍ରସାଦ ଦର ନିରୁପଣ କରାଯାଇ  ଦର ତାଲିକା ଆ‌ନନ୍ଦ ବଜାରରେ ଲଗାଯିବ। ଏତଦ୍‌ ବ୍ୟତୀତ ଚଳିତ ମାସ ଶେଷ ସୁଦ୍ଧା ସିଂହଦ୍ୱାର ସମ୍ମୁଖ ଚାଲିଥିବା କାର୍ଯ୍ୟକୁ ଶେଷ କରାଯିବା ସହିତ ପାନୀୟ ଜଳ ଟ୍ୟାପ ଓ ଜୋତା ଷ୍ଟାଣ୍ଡ ତୁରନ୍ତ ନିର୍ମାଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର