ସୁରଟର ଓଡ଼ିଆ କାରିଗର ଏବେ ଆଠଗଡ଼ ମୁହାଁ: ଯୁବ ଉଦ୍ୟୋଗୀ ଶ୍ରୀକାନ୍ତଙ୍କ ଟେକ୍ସଟାଇଲ୍‌ ଫ୍ୟାକ୍ଟ୍ରି

କଟକ: ସୁରଟରେ ବିଭିନ୍ନ ସୂତା କଳ ଓ ପୋଷାକ ପ୍ରସ୍ତୁତ କାରଖାନାରେ କାମ କରୁଥିବା ଓଡ଼ିଆ କାରିଗର ଏବେ ନିଜ ମାଟିରେ ସମାନ ରୋଜଗାରର ସୁଯୋଗ ପାଇ ସେଠାରୁ ଫେରିବା ଆରମ୍ଭ କରିଛନ୍ତି। ଆଠଗଡ଼ର ନୂଆପାଟଣା ସ୍ପିନିଂ ମିଲ୍‌, ଦୋରଡ ସୂତା ରଙ୍ଗ କାରଖାନା ବନ୍ଦ ହୋଇଯିବା ପରେ ସୁରଟ ଚାଲିଯାଇଥିବା କାରିଗରଙ୍କୁ ଏବେ ନିଜ ଅଞ୍ଚଳରେ କାମ ଯୋଗାଇ ଦେଉଛନ୍ତି ଜଣେ ଓଡ଼ିଆ ଯୁବ ଉଦ୍ୟୋଗୀ। ଓଡିଶାର ପାରମ୍ପରିକ ଇକ୍‌ତ ଡିଜାଇନ୍‌ର ଟେକ୍ସଟାଇଲ୍‌ ଫ୍ୟାକ୍ଟ୍ରି ମାଧ୍ୟମରେ ସେ ଏବେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଶାଢୀ, ଡ୍ରେସ୍‌ ଯୋଗାଉଛନ୍ତି। କଟକ ଆଠଗଡ଼ ବ୍ଲକ୍‌ ଭୋଗରା ଗ୍ରାମର ଯୁବ ଉଦ୍ୟୋଗୀ ଶ୍ରୀକାନ୍ତ କୁମାର ରାଉତ୍‌(୩୧) ୩ ବର୍ଷ ତଳେ ମାତ୍ର ୨/୩ ଲକ୍ଷ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ବେଳେ ବେପାର ଏବେ ଅଧ କୋଟି ଛୁଇଁଲାଣି। ତାଙ୍କ ପାୱାର ଲୁମ୍‌ରେ ଏବେ ଚାକିରି କରୁଛନ୍ତି ୧୦ ଜଣ ସୁରଟ୍‌ ଫେରନ୍ତା। ସେଥିରୁ ଆଠଗଡ଼ ଅଞ୍ଚଳର ୪ ଜଣ ଥିବା ବେଳେ ଗଞ୍ଜାମର ୪ଜଣ ଓ ଯାଜପୁରର ୨ଜଣ କାରିଗର ଅଛନ୍ତି। ଶ୍ରୀକାନ୍ତ ଏମ୍‌ବିଏ କରି ଦିଲ୍ଲୀର ଏକ କମ୍ପାନିରେ ଭଲ ଦରମାରେ ଚାକିରି କରୁଥିଲେ। କିନ୍ତୁ ନିଜେ କିଛି କରିବାର ଉତ୍ସାହ ଓ ଯୋଜନା ହିଁ ତାଙ୍କୁ ଆଜି ଦେଇଛି ସଫଳତା। ଚାକିରି ଛାଡି ସେ କପଡା ବ୍ୟବସାୟ ବା ଗାରମେଣ୍ଟ ଫ୍ୟାକ୍ଟ୍ରି କରିବାକୁ ମନ ବଳାଇଥିଲେ। ଏଥିପାଇଁ ଏକ ବର୍ଷ ଧରି ଭାରତର ବିଭିନ୍ନ ରାଜ୍ୟ ବୁଲିଥିଲେ। ସୁରଟ, କୋଲକାତା, ଲୁଧିଆନା ବୁଲିବା ପରେ ସୂତା ବା‌ କର୍ଟନ କପଡା ଉପରେ ଓଡିଶାର ପାରମ୍ପରିକ(ଟ୍ରାଡିସ୍‌ନାଲ)ଲୁକ୍‌ ଦେଇ ଏକ ଗାରମେଣ୍ଟ ଫ୍ୟାକ୍ଟ୍ରି ବା ମେସିନ୍‌ ବୁଣା କପଡା କାରଖାନା (ପାୱାର ଲୁମ୍‌) ଆରମ୍ଭ କଲେ। ସେଥିପାଇଁ ନିଜ ଗାଁ ଭୋଗଡାରେ ଘର ତିଆରି କରି ଡିଜାଇନ୍‌ ଅନୁସାରେ ୨୦୧୮ରୁ ଆରମ୍ଭ କଲେ ବ୍ୟବସାୟ। ଯେହେତୁ ଓଡିଶାରେ ସୂତା, ରଙ୍ଗ ସବୁ ସୁବିଧାରେ ମିଳୁଛି ଓ କୁଶଳୀ କାରିଗର ମଧ୍ୟ ଅଛନ୍ତି, ସେମାନଙ୍କୁ ନେଇ ନିଜସ୍ବ ଡିଜାଇନ୍‌ ପ୍ରସ୍ତୁତ କରି ପାରମ୍ପାରିକ ହାତୀ, ଟେରାକୋଟା, ମୟୂର, ଟ୍ରାଇବାଲ ଡିଜାଇନ୍‌, କୋଣାର୍କ ଚକ୍ର ତଥା ସମ୍ବଲପୁରୀ, ମାଣିଆବନ୍ଧର ଛାପକୁ ମିଶାଇ ସେ ଆରମ୍ଭ କଲେ ଭଳି ଭଳିକି ଏମ୍ବ୍ରୋଡୋରି କାମ। ତାଙ୍କ ପାଖରେ କାମ କରୁଥିବା ୩୦ଜଣ ମହିଳା ଓ ପୁରୁଷ ମେସିନ୍‌ରେ ବୁଣିଲେ ଶାଢୀ, ଡ୍ରେସ୍‌ କପଡା।

Sambad

ତାଙ୍କ କମ୍ପାନି ଏମ୍‌ଏସ୍‌ଏମ୍‌ଇ ମାଧ୍ୟମରେ ପଞ୍ଜିକରଣ ହୋଇଥିବାବେଳେ ମାତ୍ର ୨/୩ ଲକ୍ଷ ଟଙ୍କାରେ ବେପାର ଆରମ୍ଭ କରିଥିଲେ। କିନ୍ତୁ ଆରମ୍ଭରୁ ଚାହିଦା ରହିବାରୁ ୨୦ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଓ ୧୦ ଲକ୍ଷର ନିଜସ୍ବ ପାଣ୍ଠି ବିନିଯୋଗ କରି ମାତ୍ର ୩ ବର୍ଷରେ ଅଧା ଓଡିଶା ବଜାରରେ ପ୍ରବେଶ କରି ସାରିଲେଣି। ତାଙ୍କ ଶାଢୀଗୁଡିକରେ ଓଡିଶାର ପାରମ୍ପରିକ ଡିଜାଇନ୍‌କୁ ନୂଆ ଲୁକ୍‌ ଦେଇ ସେ ପ୍ରସ୍ତୁତ କରୁଛନ୍ତି ଭଳି ଭଳିକି ଶାଢୀ ଓ ଡ୍ରେସ୍‌ କପଡା। ହାତୀ, ଟେ‌ରାକୋଟା ତଥା ସମ୍ବଲପୁରୀ ଓ ମାଣିଆବନ୍ଧ ଡିଜାଇନ୍‌କୁ ନେଇ ଏମ୍ବ୍ରୋଡୋରୀ କାମ ସବୁ ତାଙ୍କ ପ୍ରସ୍ତୁତ ପାୱାରଲୁମ୍‌ର ବାହାରୁଛି। ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ବ୍ୟବସାୟ କିଛିଟା ପ୍ରଭବିତ ହୋଇଥିବାବେଳେ ଏବେ ପୁଣି ବଜାର ବ୍ୟବସ୍ଥା ଭଲ ଚାଲିଥିବା ସେ କହିଛନ୍ତି। ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ସମ୍ବଲପୁର, ବରଗଡ, ବଲାଙ୍ଗୀର, କଣ୍ଟାବାଞ୍ଜି, ବ୍ରହ୍ମପୁର, କଟକ, ବାଲେଶ୍ବର ସମେତ ଅଧା ଓଡିଶା ବଜାରରେ ଏବେ ତାଙ୍କ କପଡା ଚମକୁଛି। ଆଗକୁ ପାଟ ଓ ଟସର ହସ୍ତତନ୍ତକୁ ଅଧିକ ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଓଡିଶାର ଭାଇମାନେ ‌ସୁରଟ ଓ ରାଜ୍ୟ ବାହାରେ କାମ କରୁଛନ୍ତି। ‌ଓଡିଶାରେ ଭିତ୍ତିଭୂମିର ଅଭାବ ରହିଛି। ତେଣୁ କିପରି ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରି ସେମାନଙ୍କୁ ନିଜ ମାଟିକୁ ଫେରାଇ ଅଣାଯିବ ତାହା ହିଁ ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀକାନ୍ତ। ସୁରଟରେ ଗଲା ୧୫ ବର୍ଷ ହେଲା କାମ କରୁଥିବା ଆଠଗଡ଼ର ମନ୍ନତ ବେହେରା ଗାଁକୁ ଫେରି ଆସି ଏଠାରେ ଏବେ ଏମ୍ବ୍ରୋଡୋରୀ ଅପରେଟରଭାବେ କାମ କରୁଛନ୍ତି। ସୁରଟରୁ ଫେରି ଆସିଥିବା ଜ୍ଞାନ ରଞ୍ଜନ ମଲ୍ଲିକ୍‌ କହିବା ଅନୁଯାୟୀ ସେଠାରେ ସେ ଯେତିକି ଟଙ୍କା ପାଉଥିଲେ, ଏଠି ତା’ଠୁ ଅଧିକ ବି ପାଉଛନ୍ତି।

ସମ୍ବନ୍ଧିତ ଖବର