ପୁରୀ: ଶ୍ରୀମନ୍ଦିରକୁ ଅନ୍ଧକାର କରି ଲାଗିଥିବା ଫୋକସ୍ ଲାଇଟ୍ କାଢ଼ିନେବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଆମିକସ୍‌କ୍ୟୁରି ଏନ୍‌ ସି ମହାନ୍ତି। ଏହା ଦୁଃଖଦ ଓ ନିନ୍ଦନୀୟ ବୋଲି କହିଛନ୍ତି ଶ୍ରୀ ମହାନ୍ତି। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ନାଟମଣ୍ଡପ ବିମ୍‌ କାମ ଶେଷ ପରେ ଅନ୍ୟାନ୍ୟ ମରାମତି କାମ ଚାଲିଛି। ଶ୍ରୀ ମହାନ୍ତି ଆଜି ଏହାର ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଖୋଲିବ ବୋଲି ଏନ୍‌ ସି ପାଲ୍‌ କହିଥିବା ସେ କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶପଥ ନେବେ ଓ ପରଦିନ ଓଡ଼ିଶାରେ ନୂଆ ସରକାର ଗଠିତ ହେବ। ଏଭଳି ଶ୍ରୀମନ୍ଦିରରୁ ଲାଇଟ୍ କାଟିଦେବା ଦୁର୍ଭାଗ୍ୟଜନକ। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ଲାଇଟ୍‌ ପୁନଃଚାଲୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ। ଯେଉଁମାନେ ଲାଇନ୍‌ କାଟିଥିଲେ, ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏଣୁ ଆଜି ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିଲି। ଲାଇଟ୍‌ ଲାଗୁଥିବା ଦେଖିବାକୁ ପାଇଲି। ଏହା ଦେଖି ଖୁସି ଲାଗିଲା ବୋଲି ସେ କହିଛନ୍ତି। ଓଡ଼ିଶାରେ ଏଭଳି ଲାଇଟ୍ ମିଳୁଥିବା ବେଳେ ଦିଲ୍ଲୀରୁ କାହିଁକି ଲାଇଟ୍ ଆସିଥିଲା ପ୍ରଶ୍ନରେ ଶ୍ରୀ ମହାନ୍ତି କହିଛନ୍ତି, ତୃତୀୟ ମହଲା ନିର୍ଦ୍ଦେଶରେ ଏସବୁ ହୋଇଥିଲା ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ଏବେ ତ ତୃତୀୟ ମହଲା ନାହିଁ। ତେଣୁ ଆଗାମୀ ଦିନରେ ତଦନ୍ତ ହେଲା ପରେ ସତ କ'ଣ, ମିଛ କ'ଣ ଜଣାପଡ଼ିବ। ମୁଖ୍ୟ ଶାସନ ସଚିବ ମଧ୍ୟ ଏନେଇ ଏତଲା ଦେଇଥିବା ସେ ସୂଚନା ଦେଇଛନ୍ତି।

Advertisment