ରାୟଗଡ଼ା: ରାୟଗଡ଼ା ବହୁମୂଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ଷ୍ଟାଡ଼ିୟମ ନିର୍ମାଣ ପାଇଁ ଆମ୍ବାଗୁଡ଼ା ହାଇସ୍କୁଲ ପଡ଼ିଆ ଚିହ୍ନଟ ହୋଇଥିବା ବେଳେ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ମୃର୍ତ୍ତିକା ପରୀକ୍ଷଣ ସମୟରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଗ୍ରାମବାସୀ। ହାଇସ୍କୁଲ ପଡ଼ିଆରେ କ୍ରୀଡ଼ାବିତ୍ କ୍ରୀଡ଼ାଭ୍ୟାସ କରୁଥିବାରୁ ଆମ୍ବାଗୁଡ଼ା ବଦଳରେ ଜୟରାମଗୁଡ଼ାକୁ ବହୁମୂଖୀ ଇନଡୋର ଷ୍ଟାଡ଼ିୟମ ସ୍ଥାନାନ୍ତର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍ କରିବାକୁ ଚେତାବନୀ ଦେଇଛନ୍ତି। ରାୟଗଡ଼ା ସହରରେ ବହୁମୂଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୬ କୋଟି ୫୫ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଷ୍ଟାଡ଼ିୟମ ପାଇଁ ୭୦ ମିଟର ଲମ୍ବ ଓ ୭୦ ମିଟର ଓସାର ଥିବା ଜାଗାକୁ ଚିହ୍ନଟ କରିବାର ନିୟମ ରହିଛି।
ପ୍ରଥମେ ଏହି ଷ୍ଟାଡିୟମ ବ୍ରାହ୍ମଣ ସାହି ଶ୍ମଶାନ ନିକଟସ୍ଥ ନଦୀକୂଳ ପରେ ଅଶୋକ କଲ୍ୟାଣ ମଣ୍ଡପ, ରାୟଗଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଚିହ୍ନଟ କରାଯାଇଥିଲା। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁ ଜାଗା ଚିହ୍ନଟ ନ ହୋଇପାରିବା ପରେ ପ୍ରଶାସନର ନିର୍ଦେଶକ୍ରମେ ତହସିଲ କର୍ତ୍ତୃପକ୍ଷ ଆମ୍ବାଗୁଡ଼ା ଗ୍ରାମରେ ଥିବା ହାଇସ୍କୁଲ ପଡ଼ିଆକୁ ଚିହ୍ନଟ କରିଥିଲେ। ୨୦୨୧ ଅକ୍ଟୋବର ୨୭ ତାରିଖରେ ସ୍କୁଲ ପରିଚାଳନା କମିଟି ବୈଠକରେ ଜାଗା ଚିହ୍ନଟକୁ ଚୂଡ଼ାନ୍ତ ମଞ୍ଜୁରି ମିଳିଥିଲା। ଯାହାକୁ ଆମ୍ବାଗୁଡ଼ାବାସୀ ବିରୋଧ କରି ନଭେମ୍ବର ୧୫ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କ୍ରୀଡ଼ାଭ୍ୟାସ ପାଇଁ ଜୟରାମଗୁଡ଼ାରେ ଷ୍ଟାଡ଼ିୟମ ନିର୍ମାଣ କରାଯିବାକୁ ପ୍ରତିଶ୍ରୁତି ଦେଇ ଆନ୍ଦୋନଳରୁ ଓହରି ଯିବାକୁ ଗ୍ରାମବାସୀଙ୍କୁ ପ୍ରଶାସନ ପରାମର୍ଶ ଦେଇଥିଲା। ଏଥି ସହିତ ୨୦୨୨ ଜାନୁଆରି ୭ ତାରିଖରେ ପୂର୍ତ୍ତ ବିଭାଗ ଷ୍ଟାଡ଼ିୟମ ନିର୍ମାଣ ପାଇଁ ଟେଣ୍ଡର ଡାକିଥିଲା। ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ପରେ ଆଜି ମୃର୍ତ୍ତିକା ପରୀକ୍ଷଣ ଆରମ୍ଭ ହୋଇଛି।
ସଂଗ୍ରହ ହୋଇଥିବା ମୃର୍ତ୍ତିକା ପୂର୍ତ୍ତ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ। ମୃତ୍ତିକା ପରୀକ୍ଷଣ ରିପୋର୍ଟ ଆସିବା ପରେ ଟେଣ୍ଡର ହାତେଇଥିବା ସଂସ୍ଥା ନିର୍ମାଣ କାମ ଆରମ୍ଭ କରିବ ବୋଲି ପୂର୍ତ୍ତ ବିଭାଗ ଯନ୍ତ୍ରୀ ମୁନା ସ୍ବାଇଁ କହିଛନ୍ତି। ମୃର୍ତ୍ତିକା ପରୀକ୍ଷଣ ଆଜି ଆରମ୍ଭ ହେବା ପରେ ଆମ୍ବାଗୁଡାବାସୀ ପହଞ୍ଚି ବିରୋଧ କରିବା ଆରମ୍ଭ କରିଥିଲେ। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ୧ ପ୍ଲାଟୁନ୍ ପୁଲିସ ଷ୍ଟାଡ଼ିୟମ ନିକଟରେ ମୁତୟନ ହେବା ପରେ କାମ ଆରମ୍ଭ ହୋଇଥିଲା।
ରାୟଗଡ଼ା ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ପୌର ନିର୍ବାହୀ ଅଧିକାରୀ ୟାସିର୍ ବିଲାଲ୍ ଅହମ୍ମଦ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେକ୍ ଅଲ୍ଲୀ ନୁର୍ ପ୍ରମୁଖ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ। କ୍ରୀଡ଼ାବିତ୍ ବୁଲି ହୁଇକା ନେତୃତ୍ବରେ ଶତାଧିକ ଗ୍ରାମବାସୀ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଘେରାଉ କରିବା ସହ ଷ୍ଟାଡ଼ିୟମ ସମ୍ମୁଖରେ ହୋ ହାଲ୍ଲା କରିଥିଲେ। ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ଭିତରେ ମୃର୍ତ୍ତିକା ସଂଗ୍ରହ କରାଯାଇଛି। ଏ ସଂପର୍କରେ ରାୟଗଡ଼ା ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ ଚିହ୍ନଟ ସ୍ଥାନ ସରକାରୀ ଜାଗାରେ ଥିବାରୁ ଷ୍ଟାଡ଼ିୟମ ନିର୍ମାଣରେ କୌଣସି ଅସୁବିଧା ନାହିଁ। ଗ୍ରାମବାସୀଙ୍କ ଦାବିନୁଯାୟୀ ଖେଳ ପାଇଁ ଜୟରାମଗୁଡ଼ାରେ ପଡ଼ିଆ ନିର୍ମାଣ କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି। ସୂଚନାଯୋଗ୍ୟ, ନିର୍ମାଣ ହେବାକୁ ଥିବା ବହୁମୂଖୀ ଷ୍ଟାଡ଼ିୟମ ଜି+୨ ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ୪ଟି ବ୍ୟାଡମିଣ୍ଟନ କୋର୍ଟ ରହିବ। ସେହିପରି ପ୍ରଥମ ମହଲାରେ ୩ଟି ଟେବୁଲ୍ ଟେନିସ୍ କୋର୍ଟ, ଗୋଟିଏ ଜିମ୍ନାସିୟମ୍ ଏବଂ ଦ୍ବିତୀୟ ମହଲାରେ କ୍ରୀଡ଼ାବିତଙ୍କ ପାଇଁ ୨ଟି ଜିମ୍ନାସିୟମ୍ ନିର୍ମାଣ କରାଯିବ।