ନାହାନ୍ତି ସ୍ଥାୟୀ ଅଧିକାରୀ, ରାୟଗଡ଼ାରେ ପର୍ଯ୍ୟଟନ ବିକାଶ ବାଟବଣା
ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ପାଲଟିଛି ଭୂତକୋଠି, ପଡିଛି ୧ କୋଟି ଅନୁଦାନ, ଆଣ୍ଠେଇଛି ଇକୋ-କଟେଜ
ରାୟଗଡ଼ା: ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ବନାନି, ସୁଉଚ୍ଚ ପର୍ବତମାଳା, ଜଳପ୍ରପାତ, ନଦନଦୀ, ଝରଣା ଭଳି ଅନେକ ପ୍ରାଚୁର୍ଯ୍ୟରେ ଭରପୂର ରାୟଗଡ଼ା ଜିଲ୍ଲା। ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମିକୁ ଆଉ ଦୁଇ ପାଦ ଆଗକୁ ନେଇଛି ନିୟମଗିରି ପାର୍ବତ୍ୟମାଳା, ବିରଳ ଜନଜାତି ଡଙ୍ଗରିଆ, ଲାଞ୍ଜିଆ ସଉରାଙ୍କ ପରମ୍ପରା, ବେଶଭୂଷା ଓ ଜୀବନଶୈଳୀ। ଯାହା ରାଜ୍ୟ, ଦେଶ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ଅଥଚ ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଇଁ ଜିଲ୍ଲାରେ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟ କିମ୍ବା କୌଣସି ଅଧିକାରୀ ନାହାନ୍ତି। ଫଳରେ ପର୍ଯ୍ୟଟନ ବିକାଶ ବାଟବଣା ହେବାରେ ଲାଗିଛି। ରାୟଗଡ଼ା ଜିଲ୍ଲା ଗଠନକୁ ୩୦ ବର୍ଷ ପୂରିଲାଣି। ଜିଲ୍ଲାର ବିକାଶ ଲାଗି ସରକାରଙ୍କ ପକ୍ଷରୁ ପ୍ରଣୟନ ଯୋଜନାର କାର୍ଯ୍ୟାଳୟ ଏବଂ ସ୍ଥାୟୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଇତି ମଧ୍ୟରେ ବିକାଶ ବାବଦରେ ହଜାର ହଜାର କୋଟି ଖର୍ଚ୍ଚ ହେଲାଣି। କିନ୍ତୁ ଆଜି ସୁଦ୍ଧା ଜିଲ୍ଲାରେ ପର୍ଯ୍ୟଟନ ବିଭାଗର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ମୁଣ୍ଡ ଗୁଞ୍ଜି ଚାଲିଛି। ତାହା ପୁଣି ଗୋଟିଏ ଟେବୁଲ୍, ଚେୟାର, ଆଲମିରାକୁ ଛାଡ଼ିଲେ ଆଉ କିଛି ନାହିଁ। ଜିଲ୍ଲାରେ ପର୍ଯ୍ୟଟନ ଅଧିକାରୀ ପଦବି ବହୁ ବର୍ଷ ହେଲା ଖାଲି ପଡିଛି। କାର୍ଯ୍ୟାଳୟ ପରିଚାଳନା ପାଇଁ କିରାଣି ତ ଦୂରର କଥା ତୃତୀୟ ଶ୍ରେଣୀ କର୍ମଚାରୀ ବି ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୦ ମସିହାରେ ସରକାର ତଲିନା ପ୍ରଧାନୀଙ୍କୁ ପର୍ଯ୍ୟଟନ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। ହେଲେ ବିଭାଗର ଅବ୍ୟବସ୍ଥା ଦେଖି ସଂପୃକ୍ତ ଅଧିକାରୀ କୋରାପୁଟ ବଦଳି ହୋଇ ଚାଲିଗଲେ। ତଲିନାଙ୍କ ବଦଳି ପରଠୁ କଳାହାଣ୍ଡି ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆଙ୍କୁ ଦାୟିତ୍ବ ଦେଇ ଚୁପ ବସିଛନ୍ତି। କଳାହାଣ୍ଡିରୁ ଅତିରିକ୍ତ ଦାୟିତ୍ବ ଭାବେ ବିଭାଗ ପରିଚାଳନା ହେଉଥିବାରୁ କେବଳ ପର୍ଯ୍ୟଟନ ଦିବସ ପାଳନରେ ହିଁ ବିଭାଗର କାର୍ଯ୍ୟ ସୀମିତ ରହିଛି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କିମ୍ବା କୌଣସି ନୂତନ ପ୍ରସ୍ତାବ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପାଖକୁ ଯାଇ ପାରୁନି। ଦୀର୍ଘବର୍ଷର ଦାବି ପରେ ନିକଟରେ ରାଜ୍ୟ ସରକାର ତିନି ନଦୀ (ବଂଶଧାରା, ଚାଉଳଧୂଆ, ଫଳଫଳିଆ)ର ସଙ୍ଗମ ସ୍ଥଳ ମୀନାଝୋଲାର ବିକାଶ ପାଇଁ ୫୦ ଲକ୍ଷ ଅନୁଦାନ ଦେଇଛନ୍ତି।
ନଦୀଗର୍ଭରେ ଶିବଙ୍କ ପୀଠ ରହିଥିବାରୁ ପୀଠର ବିକାଶ, ଆଲୋକୀକରଣ, ପାନୀୟଜଳ, ପର୍ଯ୍ୟଟକଙ୍କ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଏହି ଅନୁଦାନ ରାଶି ଖର୍ଚ୍ଚ ହେବ। ବିନା ଅଧିକାରୀରେ ବିଭାଗର ଏହି କାର୍ଯ୍ୟ କିପରି ସମ୍ପାଦନ ହେବ ତାକୁ ନେଇ ପ୍ରଶ୍ନବାଚୀ ଦୃଷ୍ଟି ହୋଇଛି। ସେହିପରି ବନ ବିଭାଗ-ପର୍ଯ୍ୟଟନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ୧ କୋଟି ଅନୁଦାନ ସତ୍ତ୍ବେ ନିୟମଗିରିରେ ଇକୋ-କଟେଜ କାମ ଆଗକୁ ବଢ଼ି ପାରୁନି। ସମୟ ଗଡ଼ି ଚାଲିଥିବା ବେଳେ ଅନୁଦାନ ଟଙ୍କା ମଧ୍ୟ ବିଭାଗରୁ ବିଭାଗକୁ ଘୂରି ବୁଲୁଛି। ପର୍ଯ୍ୟଟନ ବିଭାଗର ଅବ୍ୟବସ୍ଥା ଦୂର ହେଉନଥିବା ବେଳେ ପର୍ୟ୍ୟଟକଙ୍କ ପାଇଁ ଉର୍ଦ୍ଧିଷ୍ଟ ଅଭ୍ୟର୍ଥନା କେନ୍ଦ୍ର ମଧ୍ୟ ବିଭାଗର ଦୂର ଦୃଷ୍ଟି ଅଭାବରୁ ଏବେ ଭୂତକୋଠିରେ ପରିଣତ ହୋଇଛି। ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଅଭ୍ୟର୍ଥନା କେନ୍ଦ୍ର ଆରମ୍ଭରୁ ହିଁ ପର୍ଯ୍ୟଟକଙ୍କ ସେବାରେ ଲାଗି ପାରିନି। ଜନସ୍ବାସ୍ଥ୍ୟ ବିଭାଗର ଜଳବିଶୋଧନାଗାର ତଥା ବାଲୁଙ୍କେଶ୍ବର ମନ୍ଦିର ନିକଟ ପାହାଡ଼ ଉପରେ ନିର୍ମିତ ଅଭ୍ୟର୍ଥନା କେନ୍ଦ୍ର ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି।
ଅଭ୍ୟର୍ଥନା କେନ୍ଦ୍ରର ବାହାର ଗେଟରେ ତାଲା ଝୁଲୁଥିବା ବେଳେ ସଞ୍ଜ ନଇଁବା ପରେ ଭିତରେ ଆସର ଜମୁଛି। କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଲକ୍ଷାଧିକ ଟଙ୍କାରେ ନିର୍ମିତ ଅଭ୍ୟର୍ଥନା କେନ୍ଦ୍ରର ସ୍ଥିତାବସ୍ଥା ନେଇ ବିଭାଗ ମଧ୍ୟ କୌଣସି ତତ୍ପରତା ପ୍ରକାଶ ନ କରିବା ଜିଲ୍ଲାରେ ପର୍ଯ୍ୟଟନ ବିକାଶ ପ୍ରତି ଉପହାସ ସଦୃଶ୍ୟ ହୋଇଛି। ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି ପ୍ରସ୍ତାବିତ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର, ପାଇକପଡା ଶିବ ମନ୍ଦିର, ଥେରୁବାଲିର ଲକ୍ଷ୍ମୀନାରାୟଣ ମନ୍ଦିର, କୁମୁଡ଼ାବାଲି ଦୁଇ ନଦୀର ମିଳନ ସ୍ଥଳ, ନିୟମଗିରି କୁର୍ଲି ପାହାଡ଼, ଗୁଣପୁରର ଶେଫାଳି ପାହାଡ଼, ବିଷମକଟକ ଝିଗିଡିର ଆଦିବାସୀ ଅଳଙ୍କାର ହାଟ, ଗୁଣପୁର ବ୍ଲକର ପୁଟାସିଂହ (ଲାଞ୍ଜିଆ ସଉରାଙ୍କ ବାସସ୍ଥଳୀ) ଅଞ୍ଚଳକୁ ପର୍ଯ୍ୟଟନ ବିଭାଗର ମାନ୍ୟତା ମିଳିପାରୁନି। ଜିଲ୍ଲାରେ ଆହୁରି ଅନେକ ପର୍ଯ୍ୟଟନସ୍ଥଳୀ ରହିଥିଲେ ମଧ୍ୟ ଜିଲ୍ଲା ଆରମ୍ଭରୁ ବିଭାଗ ଯେଉଁ ମାନ୍ୟତା ଦେଇଥିଲେ ସେଥିରେ ଆଉ କିଛି ପରିବର୍ତ୍ତନ ହୋଇପାରିନି।