ସମ୍ବଲପୁର: ବରିଷ୍ଠ ନାଟ୍ୟବିତ ତଥା ମଞ୍ଚ ଅଭିନେତା କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କର ଶନିବାର ରାତି ୧୦ଟା ୪୫ରେ ପରଲୋକ ହୋଇଯାଇଛି। ଶେଷ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ବାସନ୍ତୀ, ଦୁଇ ଝିଅ ରୁପା ଓ ନିପା, ଦୁଇ ଭାଇ ଓ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ। ସେ କିଡ୍ନି ରୋଗରେ ଆକ୍ରାନ୍ତ ଥିଲେ ଗତ କିଛି ମାସ ହେଲା ଗୁରୁତର ଅସୁସ୍ଥ ଥିଲେ। ରବିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କୃଷ୍ଣଚନ୍ଦ୍ରଙ୍କ ବିୟୋଗରେ ସମ୍ବଲପୁର, ବରଗଡ଼ ସମେତ ସାରା ଓଡ଼ିଶାର ନାଟ୍ୟପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି।
ସ୍କୁଲ୍ ସମୟରୁ ଅଭିନୟ ସହ ଜଡ଼ିତ ଥିବା କୃଷ୍ଣଚନ୍ଦ୍ରଙ୍କ ପରିପକ୍ବ ନାଟ୍ୟ ଜୀବନ ସମ୍ବଲପୁର ସହରର ଧନୁପାଲିରୁ ଆରମ୍ଭ ହୋଇଥିଲା। ଧନୁପାଲିରେ ରହିବା ପରେ ନାଟ୍ୟ ଅନୁଷ୍ଠାନ ‘ଗାଇଡ୍’ର ସେ ନିୟମିତ ସଦସ୍ୟ ଓ ଅଭିନେତା ପାଲଟିଥିଲେ। ୧୯୭୧ ମସିହାରେ ପ୍ରମୋଦ ତ୍ରିପାଠୀଙ୍କ ଲିଖିତ ନାଟକ ‘ଅମାବାସ୍ୟାର ଅନ୍ଧକାର’ରେ ସେ ପ୍ରଥମେ ଅଭିନୟ କରିଥିଲେ। ୧୯୭୪ ମସିହାରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ହୋଇଥିବା ନାଟକ ‘ପୁନଶ୍ଚ ପୃଥିବୀ’ରେ ଅଭିନୟ କରି ଜନାର୍ଦ୍ଦନ ପୂଜାରୀ ସ୍ମୃତି ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ଚାକିରି କାଳ ବରଗଡ଼ରେ କଟିଥିଲା ବେଳେ ସେ ସୌଖୀନ କଳାକାର ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ। ଉକ୍ତ ଅନୁଷ୍ଠାନ ପକ୍ଷରୁ ସେ ଶତାଧିକ ନାଟକରେ ଅଭିନୟ କରିଥିଲେ ବି ‘ବୁଲା କୁକୁରର ଜନ୍ମ ବୃତ୍ତାନ୍ତ’, ‘ଶୁଣ ପରୀକ୍ଷ ଦଣ୍ଡଧାରୀ’, ‘ଜଠର’ ଆଦିରେ ତାଙ୍କର ଅଭିନୟ ସର୍ବୋଚ୍ଚ ଆଦୃତି ଲାଭ କରିଥିଲା। ପରବର୍ତ୍ତୀ ସମୟରେ ସେ ସମ୍ବଲପୁର ଫେରି କ-ଖ-ଗ ନାଟ୍ୟ ଅନୁଷ୍ଠାନ ସହ ଜଡ଼ିତ ହୋଇଥିଲେ ଓ ବହୁ ନାଟକରେ ଅଭିନୟ କରିଥିଲେ। ତନ୍ମଧ୍ୟରୁ ‘ସିଦ୍ଧାର୍ଥ’ ଅନ୍ୟତମ ପ୍ରମୁଖ ନାଟକ ଥିଲା। ସବୁ ପ୍ରକାର ଚରିତ୍ରରେ ଅଭିନୟ କରିବାର ଦକ୍ଷତା ତାଙ୍କୁ ଲୋକପ୍ରିୟ କରିଥିଲା। ସେ ମଧ୍ୟ କିଛି ନାଟକରେ ନିର୍ଦ୍ଦେଶନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/sbp1.jpg)
