ଖୋର୍ଦ୍ଧା: ଆଜି ଖାଦ୍ୟଯୋଗାଣ, ହସ୍ତତନ୍ତ ଓ ସମବାୟ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବା ସହ ବିଭାଗୀୟ କାର୍ଯ୍ୟର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ଜୟଦେବ ବିଧାୟକ ଅରବିନ୍ଦ ଢାଲୀ, ସଦସ୍ୟ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କମିଟିର ଅନ୍ୟତମ ସଦସ୍ୟ ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏହି ଗସ୍ତରେ ଅନୁପସ୍ଥିତ ଥିଲେ। ଏହାପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କମିଟି ତିନିଟି ବିଭାଗର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଯୋଗାଣ ବିଭାଗ ଅଧିକାରୀ ସୁରଡା ମୁର୍ମ୍ମୁ, ସମବାୟ ବିଭାଗର ଏଆର୍ସି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ସମୀକ୍ଷା କରିବା ପରେ କମିଟି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ପଲ୍ଲା ଠାରେ ଥିବା ହସ୍ତତନ୍ତର ଟସର କେନ୍ଦ୍ରର ପରିଦର୍ଶନ କରିଥିଲେ।
ଧଉଳିମୁହଁ ଠାରେ ଧାନମଣ୍ଡି ଗସ୍ତ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ନଳିପଡ଼ା-ଅର୍ଜୁନପୁରରେ ସାଧାରଣ ବଂଟନ କାର୍ଯ୍ୟକ୍ରମର ସରଜମିନ ସମୀକ୍ଷା କରିଥିଲେ। ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ରାସନକାର୍ଡର ଯାଞ୍ଚ କରିଥିଲେ। ଗୋଦାମ ଗୃହରେ ଥିବା ଚାଉଳର ମାନ ପରୀକ୍ଷା କରିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ପରିଦର୍ଶନ ବେଳେ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁଚରଣ ପରିଡ଼ା, ନରସିଂହ ପଣ୍ଡା, ଯୋଗାଣ ନିରୀକ୍ଷକ ସ୍ମୃତିଶିଖା ସାମନ୍ତ, ଯୋଗାଣ ସହାୟକ ଆଶୁତୋଷ ମହାନ୍ତି, ଜିଆର୍ଏସ୍ ଦିପିକା ଜଗଦେ୍ଦବ, ନାଏବ ସରପଞ୍ଚ ସୁବାସିନୀ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲ୍ଲାରେ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ ପରେ କମିଟି ଜଗତସିଂହପୁର ଗସ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Assembly-Standing-Committee-Khordha-Dist-visit-1.jpeg)