ବିନା ଭକ୍ତରେ ପରଦା ଆଢୁଆଳରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କ ଆରାଧନା

ମା ବିରଜାଙ୍କ ଆଜି ମହାଷ୍ଟମୀ ପୂଜା

ଯାଜପୁର/ଅନୁଗୁଳ/ଗଞ୍ଜାମ/କେନ୍ଦ୍ରପଡ଼ା/ସମ୍ବଲପୁର: ପବିତ୍ର ନବରାତ୍ରୀ ଅବସରରେ ଆଜି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ମହାଷ୍ଟମୀ ପୂଜା ପାଳନ ହେଉଛି । ଆଜି ସକାଳୁ ପବିତ୍ର ବୈତରଣୀ ଜଳରେ ମା’ଙ୍କର ପ୍ରଥମ ସ୍ନାନ କାର୍ଯ୍ୟ ଆରମ୍ଭ ହୋଇ ସମସ୍ତ ପୂଜା ରୀତି ଚାଲୁ ରହିଛି । ପ୍ରତ୍ୟେକ ଦିନ ଏହି ନବରାତ୍ରି ସମୟରେ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥାଏ । ମା’ ବିରଜାଙ୍କ ମହାଷ୍ଟମୀରେ ହଜାରହଜାର ଶ୍ରଦ୍ଧାଳୁ ମା’ ଦୁର୍ଲଭ ବେଶରେ ଦର୍ଶନ ଦେବା ସହ ପାଦଦର୍ଶନର ସୁଯୋଗ ଦେଇଥାନ୍ତି । ଏଥିପାଇଁ ଭାରତ ବର୍ଷର କୋଣ ଅନୁକୋଣରୁ ହଜାର ହଜାର ଦର୍ଶକ ବିରଜା ପୀଠକୁ ଧାଇଁ ଥାନ୍ତି । ଚଳିତ ବର୍ଷ କୋଭିଡ କଟକଣାଯୋଗୁ ପୀଠରେ ୧୪୪ ଲାଗୁ କରାଯିବା ସହ ସାଧାରଣ ଦର୍ଶନ ଉପରେ କଟକଣା ରହିଛି । ଆଜି ସଂନ୍ଧ୍ୟାରେ ମା’ଙ୍କର ମହାସ୍ନାନ କରାଯାଇ ୩ ଦିନ ଧରି ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି କରାଯିବ ।

ସେହିପରି ଅନୁଗୁଳ ଧରାପୃଷ୍ଠରେ ବିରାଜିଲେ ଜଗତଜନନୀ ମା’ ଦୁର୍ଗା। ସହରର ପୂଜା ମଣ୍ଡପଗୁଡ଼ିକରେ ସିଂହବାହିନୀ ଦେବୀଦୁର୍ଗାଙ୍କୁ ଆବାହନ କରି ଅଧିଷ୍ଠିତ କରାଯାଇଛି। ପାରମ୍ପରିକ ଷଷ୍ଠୀ ପୂଜାରେ ମଣ୍ଡପଗୁଡ଼ିକ ଚଳଚଂଚଳ ହୋଇଉଠିଛି। ତେବେ ଗହଳଚହଳ ନାହିଁ କି ଧୁମଧାମ୍ ନାହିଁ। ସହରବାସୀଙ୍କ ମଧ୍ୟରେ ପାର୍ବଣର ଉତ୍ସାହ ବି ସେଭଳି ନାହିଁ। ବିନା ଭକ୍ତରେ ସହରର ୧୧ଟି ପୂଜା ମଣ୍ଡପରେ କେବଳ ବିଧିରକ୍ଷା ଲାଗି ପରଦା ଆଢୁଆଳରେ ଚାଲିଛି ଦେବୀଙ୍କ ଆରାଧନା।

ପ୍ରତିବର୍ଷ ଭଳି ଏଥର ବି ଅନୁଗୁଳ ସହରବାସୀ ତଥା ସହର ଉପକଣ୍ଠବାସୀ ମା’ଙ୍କ ପୂଜା ଧୂମ୍‌ଧାମ୍‌ରେ ପାଳନ କରିବେ ବୋଲି ଅପେକ୍ଷା କରି ରହିଥିଲେ। ହେଲେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଲୋକଙ୍କର ସବୁ ଆଶା ପାଣିଚିଆ ହୋଇଯାଇଛି। ପୂଜା ପେଣ୍ଡାଲରେ ମା’ଙ୍କ ମୂର୍ତ୍ତି ଆଗରେ ପଡ଼ିଛି ପରଦା। ଏପରିକି ସାଧାରଣ ଲୋକଙ୍କ ପାଇଁ ଦର୍ଶନ ମଧ୍ୟ ବନ୍ଦ ହୋଇଯାଇଛି। ଚଳିତ ବର୍ଷ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ ଅନୁଗୁଳ ସହରରେ ୧୧ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ହୁଲୁରିସିଂହା, ଗାନ୍ଧୀ ଛକ, ହେମସୁରପଡ଼ା, ଶିମିଳିପଡ଼ା, ପିଟିସି, ସୁସୁଡ଼ା, ବସ୍‌ଷ୍ଟାଣ୍ଡ, ଅମଲାପଡ଼ା, ବଜାର ଦଶହରା ପଡ଼ିଆ, ରାଣୀଗୋଡ଼ା, ଷ୍ଟେସନ ରୋଡ଼, ଗୀତାଗ୍ରାମର ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ପାରମ୍ପରିକ ରୀତିରେ ଆରମ୍ଭ ହୋଇଛି।

ଏନେଇ କେନ୍ଦ୍ରୀୟ ପୂଜା କମିଟିର ସଭାପତି ଅକ୍ଷୟ ସାମନ୍ତ କହିଛନ୍ତି, ଚଳିତ ବର୍ଷ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସହରରେ ହେଉଥିବା ୧୧ଟି ମଣ୍ଡପରେ ସାଢ଼େ ୪ ଫୁଟରୁ ଅଧିକ ଉଚ୍ଚର ମା’ଙ୍କ ପ୍ରତିମା ତିଆରି କରାଯାଇନାହିଁ। ମା’ଙ୍କ ମଣ୍ଡପର ଚାରିପାଖରେ ପରଦା ପଡ଼ିବା ସହିତ କେବଳ ସାତ ଜଣ ପୂଜକ ରହି ପୂଜା କରୁଛନ୍ତି। ସାଜସଜ୍ଜା, ମାଇକ୍ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି।

କୁଚିଣ୍ଡା ପ୍ରସିଦ୍ଧ ଶାରଦୀୟ ୯୩ ତମ ସାର୍ବଜନୀନ ଦୁର୍ଗାପୂଜା ମହାସପ୍ତମୀ ପୂଜାଅର୍ଚ୍ଚନା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି। ସହରର ଦୁଇଟି ସ୍ଥାନରେ ମନ୍ଦିର ଛକ ଓ ପଞ୍ଚମୁଖୀ ଛକରେ ମାଁ ଦୁର୍ଗାଙ୍କ ମହିଷାମର୍ଦ୍ଦନୀ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରି ମା’ଙ୍କ ପୂଜାର୍ଚ୍ଚନା ବିଧି ଅନୁସାରେ କରାଯାଉଛି। କଟକଣା ଯୋଗୁଁ ପୂଜା ମଣ୍ଡପ ସମ୍ମୁଖରେ ବାଡ ବନ୍ଧା ଯାଇଛି। ମଣ୍ଡପ ଭିତରେ କର୍ତ୍ତା ସହିତ ସାତଜଣରୁ ଅଧିକ ଲୋକଙ୍କୁ ପ୍ରବେଶ ନିଷେଧ ରହିଛି। ଶ୍ରଦ୍ଧାଳୁମାନଙ୍କୁ ପୂଜା ସ୍ଥାନରେ ପ୍ରବେଶ ଓ ପୂଜାର୍ଚ୍ଚନା ଉପରେ କଟକଣା ଲାଗୁ କରାଯାଇଛି।

ରାଜନଗରରେ ଶାରଦୀୟ ଦୁର୍ଗାପୂଜା ଗଣପର୍ବ । କୋଭିଡ କଟକଣା ଯୋଗୁଁ ଦେବୀଘରେ ମା’ଙ୍କ ପୂଜାର୍ଚ୍ଚନା ବିଧି ଅନୁସାରେ କରାଯାଉଛି। କଟକଣା ଯୋଗୁଁ ମନ୍ଦିର ସମ୍ମୁଖରେ ପାଲ ବନ୍ଧା ଯାଇଛି। ଶ୍ରଦ୍ଧାଲୁମାନଙ୍କୁ ମନ୍ଦିର ପ୍ରବେଶ ଓ ପୂଜାର୍ଚ୍ଚନା ଉପରେ କଟକଣା ଲାଗୁ କରାଯାଇଛି। ଦୁର୍ଗା ଷ୍ଟମୀ ବ୍ରତ ରଖିଥିବା ମା’ ମାନେ ମନ୍ଦିର ନିକଟକୁ ଆସି ପୂଜାର୍ଚ୍ଚନାରୁ ବଂଚିତ ହେବା ପରେ ମନ୍ଦିର ସମ୍ମୁଖ ରାସ୍ତା ଉପରେ ମା’ ଙ୍କୁ ପୂଜାର୍ଚ୍ଚନା କରିବା ସହ ଭୋଗ ଲଗାଇଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ଆସିକାର ଅଧିଷ୍ଠାତ୍ରୀ ମା’ ଖମ୍ବେଶ୍ୱରୀଙ୍କ ମହାଷ୍ଟମୀରେ ପୂଜା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର