ରାଉରକେଲା: କୃଷିକ୍ଷେତ୍ରରେ ପରିବେଶ ଅନୁକୂଳ ଗୋବର ଖତ ଓ ଗୋମୁତ୍ର ଭଳି ଜୈବିକ ପଦାର୍ଥର ବ୍ୟବହାର ପାଇଁ ଷ୍ଟାର୍ଟ୍ଅପ୍ ‘ପ୍ରକୃତି ଗୌ ଅନୁସନ୍ଧାନ କେନ୍ଦ୍ର ପ୍ରାଇଭେଟ ଲିମିଟେଡ’ ଗବେଷଣା ଜାରି ରଖିଛି। ଏହି କମ୍ପାନି ଦ୍ବାରା ବିଭିନ୍ନ କିସମର ଜୈବିକ ଖତ ଓ କୀଟନାଶକ ଉତ୍ପାଦନ କରାଯାଉଛି। ୨୦୨୦ ନଭେମ୍ବରରେ ଗୋକୁଳ ମିଞ୍ଜ ଏହି ଷ୍ଟାର୍ଟ ଅପ୍ ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏ କ୍ଷେତ୍ରରେ ଷ୍ଟାର୍ଟ୍ ଅପ୍ କାର୍ଯ୍ୟରତ।
ଉଲ୍ଲେଖଯୋଗ୍ୟ, ଏହି ଷ୍ଟାର୍ଟ୍ ଅପ୍ ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଥିବାବେଳେ ସ୍ଥାନୀୟ ଏନ୍ଆଇଟିର ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ୍ ବିଜିନେସ ଇନକ୍ୟୁବେଶନ ସେଣ୍ଟର(ଏଫ୍ଟିବିଆଇ)ରେ ଏହାକୁ ବୈଷୟିକ ସହାୟତା ପ୍ରଦାନ କରାଯାଉଛି।
ଏକ ସୁପରିକଳ୍ପିତ ଯାନ୍ତ୍ରିକ ଉପକରଣରେ ଖତ ମିଶ୍ରଣକୁ ସହଜ ପରିଚାଳନା ଓ ବ୍ୟବହାର ପାଇଁ ଗ୍ରାନୁଲେଟ କରାଯାଇଥାଏ। ଏହି ଖତ ଏକ ସପର ଦେଇ ଗତି କରେ; ଯାହା କ୍ଷୁଦ୍ର, ଶୁଷ୍କ ଓ ଏକକ ପରିମାପ ବିଶିଷ୍ଟ ଗ୍ରାନ୍ୟୁଲକୁ ଛୋଟ ପ୍ୟାକେଟରେ ପ୍ୟାକେଜିଂ ହୋଇଥାଏ। ଏହି ଉତ୍ପାଦ ‘ପ୍ରକୃତି ସଞ୍ଜିବନୀ’ ନାମରେ ଉପଲବ୍ଧ। ଉକ୍ତ ମେସିନର ମାସିକ ଉତ୍ପାଦନ କ୍ଷମତା ହେଉଛି ୧୦ ଟନ। ରାସାୟନିକ କୀଟନାଶକ ଓ କୀଟନାଶନକୁ ଦୂରେଇ ରଖିବା ପାଇଁ କ୍ଷେତରେ ବ୍ୟବହାର କରିବା ଉଦ୍ଦେଶ୍ୟରେ କମ୍ପାନି ପକ୍ଷରୁ ଜୈବିକ ପୋକ ନିୟନ୍ତ୍ରଣ ଉତ୍ପାଦ ‘ରକ୍ଷକ’ ତିଆରି କରାଯାଇଛି। କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ମିଞ୍ଜ କହିଛନ୍ତି, କୃଷିକ୍ଷେତ୍ରରେ କ୍ଷତିକାରକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଦ୍ବାରା ବହୁ କ୍ଷୟକ୍ଷତି ହେଉଛି।
ନାଇଟ୍ରୋଜେନ, ଫସଫରସ ଓ ପୋଟାସିୟମ ଜନିତ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟି, ଜଳ, ଫସଲ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁମାତ୍ରାରେ ହାନୀ ଘଟୁଛି। ଏଣୁ ପରିବେଶ ଅନୁକୂଳ ଜୈବିକ ଖତ ଓ କୀଟନାଶକ ପ୍ରସ୍ତୁତି ପଦ୍ଧତି ପାଇଁ ପରିକଳ୍ପନା କରାଯାଇଥିଲା। ପରେ ଦଳ ସହ ମିଶି ଗୋବର ଖତ, ଗୋମୁତ୍ର ତଥା ଅନ୍ୟାନ୍ୟ ଜୈବିକ ଉପାଦାନ ଓ ପଥର ଫସଫେଟର ନିର୍ଦ୍ଧିଷ୍ଟ ମିଶ୍ରଣରେ ବିଭିନ୍ନ ଉତ୍ପାଦ ତିଆରି କରାଯାଉଥିବା ଶ୍ରୀ ମିଞ୍ଜ କହିଛନ୍ତି।