ମାଓ ସଂଗଠନର ଓଡ଼ିଶା ଷ୍ଟେଟ୍ କମିଟି କମାଣ୍ଡର ଛତିଶଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କଲା

୨ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ଆଜି ଆଦିବାସୀ ଦିବସ ଅବସରରେ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ଷ୍ଟେଟ କମିଟିର ମାଓ କମାଣ୍ଡର ରାଜୁ କାରାମ (୨୪) ଏବଂ ସୁନିତା କାରାମ (୨୧) ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି କମଳଲୋଚନ କଶ୍ୟପ, ସିଆରପିଏଫ୍‌ କମାଣ୍ଡାଣ୍ଟ ୟାଦବେନ୍ଦ୍ର ସିଂହଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ ଡିଭିଜନ ଏବଂ ତେଲେଙ୍ଗାନା ଡିଭିଜନର ସେଣ୍ଟ୍ରାଲ ବ୍ୟୁରୋ କମିଟିରେ କମାଣ୍ଡର ଭାବେ କାମ କରୁଥିଲେ। ଏମାନଙ୍କ ନାମରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।

Sambad

ଏହି ଦୁଇ ମାଓବାଦୀ ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନାରେ ବହୁ ହିଂସାକାଣ୍ଡ ଘଟାଇଥିବା ପୁଲିସ କହିଛି। ତେବେ ସଂଗଠନରେ ପୂର୍ବଭଳି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାମ କରାଯାଉନଥିବାରୁ ଏମାନେ ସଂଗଠନ ଛାଡିବାକୁ ଚିନ୍ତା କରିଥିଲେ। ଏବେ ସଂଗଠନରେ କରୋନାର ଭୟ ଗ୍ରାସ କରିଛି। ପୁଣି ସଂଗଠନରେ ଭେଦଭାବ, ନିର୍ଯାତନା ବଢି ବଢି ଚାଲିଛି। ତେଣୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବେ ବୋଲି ଏମାନେ କହିଛନ୍ତି। ପୁଲିସ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର