ମୟୁରଭଞ୍ଜ କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ କର୍ତ୍ତୃପକ୍ଷ, ପୂର୍ବରୁ ଦିନକୁ ୪-୫ଜଣ ମୃତ୍ୟୁବରଣ କରୁଥିଲେ, ଏବେ କମିଛି: ମେଡିକାଲ୍ ଅଧିକାରୀ

ବାରିପଦା : ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର କୋଭିଡ୍ ହସ୍ପିଟାଲରେ ରୋଗୀସେବାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଚିକିତ୍ସା ସେବା ଯୋଗାଇବାରେ ଅବହେଳା ସହିତ ଅକ୍ସିଜେନ୍ ଅଭାବ ଭଳି ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସିବାରେ ଲାଗିଛି। ଏନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପରେ ଆଜି ମୁହଁ ଖୋଲିଛନ୍ତି ବାରିପଦା ବାଙ୍କିଶୋଳ କୋଭିଡ୍ ହସ୍ପିଟାଲ ମେଡିକାଲ୍ ଅଧିକାରୀ ଡ. ଖଗେଶ୍ବର ରାଉତ। ଏହି କୋଭିଡ୍ ହସ୍ପିଟାଲରେ ୧୩ଜଣ ଡାକ୍ତର, ୪୦ ନର୍ସଙ୍କ ସମେତ ୧୫୬ ଜଣ କର୍ମଚାରୀ କାର୍ୟ୍ୟରତ ଅଛନ୍ତି। ଚଳିତ ବର୍ଷର କରୋନାର ଦ୍ବିତୀୟ ଲହର ବିପଦଜନକ ହେଉଥିବାରୁ ହସ୍ପିଟାଲ ଆସୁଥିବା ରୋଗୀମାନେ ସଙ୍କଟଜନକ ସ୍ଥିତିରେ ଏଠାକୁ ଆସୁଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। ଶ୍ରୀ ରାଉତଙ୍କ ସୂଚନା ଅନୁସାରେ ଏହି ହସ୍ପିଟାଲରେ ପୂର୍ବରୁ ଦିନକୁ ପ୍ରାୟ ୪-୫ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଉଥିଲା। ଆଜିକା ଦିନରେ ଏହି ସଂଖ୍ୟା କମୁଛି। ସେହିପରି ଏଠାରେ ଭର୍ତ୍ତି ହେଉଥିବା ରୋଗୀମାନେ ଭୟରେ ଅଧିକ ଅମ୍ଳଜାନ ମାଗୁଛନ୍ତି। ମାତ୍ର ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ଅନୁସାରେ ଆବଶ୍ୟକ ଅନୁଯାୟୀ ଅମ୍ଳଜାନ ଯୋଗାଯାଉଛି। ତଥାପି ରୋଗୀଙ୍କ ସମ୍ପର୍କୀୟମାନେ ବିଭିନ୍ନ କ୍ଷେତ୍ରରୁ ହସ୍ପିଟାଲ ଉପରେ ଚାପ ପ୍ରୟୋଗ କରୁଛନ୍ତି। ସେହିପରି ରୋଗୀ କିମ୍ବା ସମ୍ପର୍କୀୟ ଡାକ୍ତରମାନଙ୍କୁ ସହଯୋଗ କରିବାକୁ ଶ୍ରୀ ରାଉତ ଆହ୍ବାନ କରିଛନ୍ତି। ହସ୍ପିଟାଲରେ ଅମ୍ଳଜାନ ଅଭାବ ନଥିବା ସେ କହିଛନ୍ତି। ଆଜିକା ଦିନରେ ଏଠାରେ ୩୯୬ଟି ଅକ୍ସିଜେନ୍ ସିଲିଣ୍ଡର୍ ମହଜୁଦ୍ ଅଛି। ଶହେ ଶଯ୍ୟା ବିଶିଷ୍ଟ ହୋଇଥିଲେ ମଧ୍ୟ ଆଜିକା ଦିନରେ ଦେଢ଼ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। ଭେଣ୍ଟିଲେଟର ବ୍ୟବସ୍ଥା ବୃଦ୍ଧି ପାଇଁ ଚେଷ୍ଟା ଜାରି ରହିଛି। ଅଥଚ ନକରାତ୍ମକ ଟିପ୍ପଣୀ କାରଣରୁ ଏଠାରେ କାର୍ୟ୍ୟରତ ଡାକ୍ତର ଓ କର୍ମଚାରୀ ଚାପରେ ରହୁଥିବା ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ଏହି ଅବସରରେ ମୃତ୍ୟୁ ସଂଖ୍ୟାକୁ ନେଇ ସତ ମାନିଛନ୍ତି। ଜିଲ୍ଲାପ୍ରଶାସନ ଏଯାବତ କୋଭିଡ୍ ହସ୍ପିଟାଲର କ‌େରୋନାଜନିତ ମୃତ୍ୟୁ ସଂଖ୍ୟାର ହିସାବ ଦେଉନାହାନ୍ତି। କିନ୍ତୁ ମେଡିକାଲ ଅଧିକାରୀ ଶ୍ରୀ ରାଉତ କହିଛନ୍ତି ଯେ ହସ୍ପିଟାଲରେ ପୂର୍ବରୁ ୪-୫ଜଣ ମୃତ୍ୟୁବରଣ କରୁଥିଲେ। ଏବେ କମିଛି। ଅଥଚ ସୂଚନା ଅନୁସାରେ ଏବେ ବି ଏହି ସଂଖ୍ୟା ପୂର୍ବ ଭଳି ରହିଛି। ସେହିପରି ଅକ୍ସିଜେନ୍ ଅଭାବ ନଥିବା କହୁଥିଲେ ମଧ୍ୟ ବିଭିନ୍ନ ସମୟରେ ଏହି ସମସ୍ୟା ଦେଖାଯାଇଥିବା ଅଭିଯୋଗ ହୋଇଆସୁଛି। ଜିଲ୍ଲାବାସୀ କାର୍ୟ୍ୟରତ ଡାକ୍ତର ଓ କର୍ମଚାରୀଙ୍କୁ କୌଣସି ସମାଲୋଚନା କରୁନାହାନ୍ତି। ଅଥଚ ରୋଗୀମାନେ ସଠିକ ଚିକିତ୍ସା ପାଇବା ପ୍ରାଥମିକତା ବୋଲି ମତପ୍ରକାଶ ପାଇଛି। ସେହିପରି ପ୍ରତିଦିନ ରାତି ସାଢ଼େ ୩ରୁ ୪ ମଧ୍ୟରେ ଅଧିକାଂଶ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। କାରଣ ଉକ୍ତ ସମୟରେ ରୋଗୀଙ୍କ ଅକ୍ସିଜେନ୍ ସରିଥାଏ। ମାତ୍ର ଏହି ସମୟରେ ରୋଗୀଙ୍କର ଅକ୍ସିଜେନ୍ ବଦଳାଇବା ପାଇଁ ନାକୌଣସି ଡାକ୍ତର କିମ୍ବା କର୍ମଚାରୀ ରହୁନାହାନ୍ତି। ମିଳିଥିବା ସୂଚନା ଅନୁସାରେ ଏକାଥରେ ସକାଳେ ହିଁ ଅକ୍ସିଜେନ୍ ଲାଗୁଛି। ଫଳରେ ରୋଗୀଙ୍କର ଅକାଳରେ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। କର୍ମଚାରୀ କିମ୍ବା ଅକ୍ସିଜେନ୍ ସଙ୍କଟ ନଥିବାବେଳେ ଏପରି ଅବ୍ୟବସ୍ଥା ପ୍ରତି କିନ୍ତୁ କେହି ଦୃଷ୍ଟିଗୋଚର କରୁନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର