ରାଉରକେଲା: ରାଉରକେଲାସ୍ଥ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ବରିଷ୍ଠ ରାଙ୍କିଙ୍ଗ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ପାରସ ମାଥୁର(ଭୁବନେଶ୍ବର) ଓ ମହିଳା ଏକକ ବର୍ଗରେ ଶ୍ରୁତି ସ୍ବାଇଁ(କଟକ) ଚାମ୍ପିଅନ ହୋଇଛନ୍ତି। ପୁରୁଷ ଏକକ ବର୍ଗର ଫାଇନାଲ୍ ମ୍ୟାଚ୍ ପାରସ ଓ ଅନିର୍ବାଣ ମଣ୍ଡଳ(ଭୁବନେଶ୍ବର)ଙ୍କ ମଧ୍ୟରେ ଖେଳାଯାଇଥିଲା। ପ୍ରଥମ ସେଟ୍କୁ ଅନିର୍ବାଣ ୨୧-୧୭ ପଏଣ୍ଟ୍ରେ ଜିତିଥିଲେ। ତେବେ ପ୍ରଥମ ସେଟ୍ରେ ପଛେଇ ଯାଇଥିବା ପାରସ କିନ୍ତୁ ପରବର୍ତ୍ତୀ ସେଟ୍ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଶେଷ ଦୁଇ ସେଟ୍କୁ ଯଥାକ୍ରମେ ୨୧-୧୯, ଓ ୨୧-୧୫ ପଏଣ୍ଟ୍ରେ ଜିତିନେଇଥିଲେ। ମହିଳା ଏକକ ବର୍ଗର ଫାଇନାଲ ମ୍ୟାଚ୍ ଶ୍ରୁତି ଓ ୟଶଶ୍ରୀ ସାମଲ(ଖୋର୍ଦ୍ଦା)ଙ୍କ ମଧ୍ୟରେ ଖେଳାଯାଇଥିଲା।
ପ୍ରଥମ ସେଟ୍କୁ ଶ୍ରୁତି ୨୧-୭ ପଏଣ୍ଟ୍ରେ ଜିତିଥିବାବେବେଳ ଦ୍ବିତୀୟ ସେଟ୍କୁ କିନ୍ତୁ ୟଶଶ୍ରୀ ୨୨-୧୦ ପଏଣ୍ଟ୍ରେ ଜିତିଥିଲେ। ନିର୍ଣ୍ଣାୟକ ତୃତୀୟ ସେଟ୍କୁ କିନ୍ତୁ ଶ୍ରୁତି ଏକତରଫାଭାବେ ୨୧-୩ ପଏଣ୍ଟ୍ରେ ଜିତି ଚାମ୍ପିଅନ ହେବାର ଗୌରବ ହାସଲ କରିଥିଲେ। ପୁରୁଷ ଯୁଗଳ ବର୍ଗ ଫାଇନାଲ ମ୍ୟାଚ୍ରେ ଅନିର୍ବାଣ ମଣ୍ଡଳ ଓ ପାରସ ମାଥୁରଙ୍କ ଯୋଡ଼ି ସିଧାସଳଖ ୨୧-୧୯ ଓ ୨୧-୧୦ ପଏଣ୍ଟ୍ରେ ଅଭିଜିତ ମହାରଣା(ଭୁବନେଶ୍ବର) ଓ ସମ୍ବିତ(କଟକ) ଯୋଡ଼ିକୁ ପରାସ୍ତ କରିଥିଲେ। ମହିଳା ଯୁଗଳ ବର୍ଗରେ ଅନୂଜା ଦାସମହାପାତ୍ର(ଅନୁଗୁଳ) ଓ ୟଶଶ୍ରୀ ସାମଲ(ଖୋର୍ଦ୍ଦା)ଙ୍କ ଯୋଡ଼ି ୨୧-୬ ଓ ୨୧-୮ ପଏଣ୍ଟ୍ରେ ଅଙ୍କିତା ଶର୍ମା ଓ ପ୍ରିୟଙ୍କା ସିଂହ(ଝାରସୁଗୁଡ଼ା) ଯୋଡ଼ିକୁ ପରାସ୍ତ କରିଥିବାବେଳେ ମିଶ୍ରିତ ଯୁଗଳ ବର୍ଗରେ ଅନିର୍ବାଣ ମଣ୍ଡଳ ଓ ଶ୍ରୁତି ସ୍ବାଇଁଙ୍କ ଯୋଡ଼ି ୨୧-୧୮ ଓ ୨୧-୧୦ ପଏଣ୍ଟ୍ରେ ଅମ୍ରିତ ମହାନ୍ତି(ଖୋର୍ଦ୍ଦା) ଓ ଅନୂଜା ମହାପାତ୍ର(ଅନୁଗୁଳ)ଙ୍କ ଯୋଡ଼ିକୁ ପରାସ୍ତ କରିଛନ୍ତି। ସୁଧୀର ମିଶ୍ର ମୁଖ୍ୟ ରେଫରୀ ଦାୟିତ୍ବ ନିର୍ବାହ କରିଥିଲେ।
ପୁରସ୍କାର ବିତରଣୀ ଉତ୍ସବରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅରୁଣ ମିଶ୍ର, ରାଉରକେଲା ବଣିକ ସଂଘ ସଭାପତି ସୁବ୍ରତ ପଟ୍ଟନାୟକ, ଦୀପକ ଦାସ, ବସନ୍ତ ପାଢ଼ୀ, ଆୟୋଜକ କମିଟି ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ଜିଲ୍ଲା ବ୍ୟାଡ୍ମିଣ୍ଟନ ସଂଘ ସଭାପତି ମିହିର ରାୟ, ସାଧାରଣ ସମ୍ପାଦକ ବିଶ୍ବେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ତିନି ଦିନ ଧରି ଚାଲିଥିବା ଓଡିଶା ଷ୍ଟେଟ୍ ବ୍ୟାଡମିଣ୍ଟନ ଆସୋସିଏସନ ଓ ସୁନ୍ଦରଗଡ଼ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ନାମୀଦାମୀ ୧୪୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ସଂଘର ଜେମ୍ସ କୁଜୁର, ବଳରାମ ନାୟକ, ଗୌତମ ମହାନ୍ତି, ନିଖିଳ ଅଗ୍ରୱାଲ, ପ୍ରଶାନ୍ତ ବେହେରା, ମହମ୍ମଦ ରସିଦ, ଧନଞ୍ଜୟ ଦଣ୍ଡପାଟ, ଦେବାଶିଷ ପରିଡ଼ା, ରାଜୀବ ନାୟକ, ସୌମେନ ଦାସ, ଶୁଭମ ନାୟକ, ଲଲାଟ ବେହେରା, ମହମ୍ମଦ ହାସୀମ ପ୍ରମୁଖ ଭୂମିକା ତୁଲାଇଥିଲେ।