ସିମୁଳିଆ: ସିମୁଳିଆ ବ୍ଲକ୍‌ ମାର୍କୋଣା ରଘୁନାରାୟଣ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଖୋଖୋ, ସଫ୍‌ଟ ବଲ୍‌ ଓ ଟେନିକଏଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ୧୭ ବର୍ଷରୁ କମ୍‌ ସଫ୍‌ଟ ବଲ୍‌ ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗରେ ବାଲେଶ୍ୱର ଚାମ୍ପିଅନ୍‌ ହୋଇଥିବା ବେଳେ ଖୋର୍ଦ୍ଧା ରନର୍ସ-ଅପ୍‌ ହୋଇଛି। ସେହିପରି ୧୪ ବର୍ଷରୁ କମ୍‌ ଖୋଖୋ ପ୍ରତିଯୋଗିତାରେ ବାଳକ ବିଭାଗରେ ବଲାଙ୍ଗୀର ଚାମ୍ପିଅନ୍‌ ହୋଇଥିବା ବେଳେ ପୁରୀ ରନର୍ସ-ଅପ୍‌ ହୋଇଛି। ଅନ୍ୟପଟେ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିଅନ୍‌ ଏବଂ କେନ୍ଦୁଝର ରନର୍ସ-ଅପ୍‌ ହୋଇଛି।

Advertisment

ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ମାର୍କୋଣା ଆଥ୍‌ଲେଟିକ୍‌ ଆସୋସିଏସନ୍‌ର ସଭାପତି ଗଦାଧର ଜେନା, ସମ୍ପାଦକ ରମାକାନ୍ତ ପଣ୍ଡା ଓ ମାର୍କୋଣା ରଘୁନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରଣତୀ ମହାନ୍ତି ଏବଂ ଅତିଥି ଭାବେ ସିମୁଳିଆ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସିମୁଳିଆ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ବାଲେଶ୍ବର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଓ ଧରଣୀଧର ପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଭାଗୀୟ ରାଜ୍ୟ ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ପ୍ରଧାନ ବିବରଣୀ ପାଠ ଏବଂ ବାଲେଶ୍ବର ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ ଧନ୍ୟବାଦ ଦେଇଥିଲେ। ରଘୁନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୂଦତ୍ତ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରତିଯୋଗିତା ହୋଇଥିଲା।