ବାଲେଶ୍ବର: ଓଡ଼ିଶା ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି ବାଲେଶ୍ବରର ଦୁଇଜଣ ଖେଳାଳି ଏସ୍ବି ଲୋରେନ୍ସ ଓ ଅଙ୍କିତା ଗିରି। ଜଣେ ବାଲେଶ୍ବର ସହର ମାନସିଂବଜାର ଅଞ୍ଚଳର ବିଶ୍ବଜିତ୍ ଦେ ଓ ମା’ ସଂଘମିତ୍ରା ଦେଙ୍କ ସାନଝିଅ ଲୋରେନ୍ସ(୧୭) ହୋଇଥିବା ବେଳେ ଅନ୍ୟଜଣେ ହେଉଛନ୍ତି ପାତ୍ରପଡ଼ା ଅଞ୍ଚଳର ଅଜିତ କୁମାର ଓ ବସୁମତୀ ଗିରିଙ୍କ ଝିଅ ଅଙ୍କିତା। ସମଗ୍ର ଓଡ଼ିଶାରୁ ୫୦ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ଏଥିରୁ ୧୫ ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଥିବା ବେଳେ ବାଲେଶ୍ବରରୁ ଏହି ଦୁଇଜଣ ଖେଳାଳି ମନୋନୀତ ହୋଇଛନ୍ତି।
ଏହି ମନୋନୟନ ପ୍ରକ୍ରିୟା ସେପ୍ଟେମ୍ବର ୧୭ ତାରିଖରେ ଝାଡ଼ଖଣ୍ଡ ଜାମସେଦପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଇଜଣ ଖେଳାଳି ଦମ୍ଦାର ପ୍ରଦର୍ଶନ ଦେଖାଇ ରାଜ୍ୟ ଦଳ ପାଇଁ ମନୋନୀତ ହୋଇଛନ୍ତି। ଲୋରେନ୍ସ ବାମହାତୀ ବ୍ୟାଟ୍ସମ୍ୟାନ୍ ଓ ସ୍ପିନର ହୋଇଥିବା ବେଳେ ଅଙ୍କିତା ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଓ ଦ୍ରୁତ ବୋଲର। ଅଙ୍କିତା ମହର୍ଷି ସ୍କୁଲରୁ ଦଶମ ପାସ୍ କରିଥିବା ବେଳେ ଲୋରେନ୍ସ ଫକୀରମୋହନ କଲେଜରେ ଯୁକ୍ତଦୁଇରେ ପଢ଼ୁଛନ୍ତି। ଏହି ଦୁଇ ଖେଳାଳିଙ୍କୁ ମେଘଡମ୍ବରୁ ଅଞ୍ଚଳର କୋଚ୍ ଦିଲ୍ଲୀପ କୁମାର ଦାସ ପ୍ରଶିକ୍ଷଣ ଦେଇଆସୁଛନ୍ତି। ଆସନ୍ତା ୧ ତାରିଖରୁ ହାଇଦ୍ରାବାଦ ବିଜୟୱାଡ଼ାରେ ଜାତୀୟସ୍ତରୀୟ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏହି ସଫଳତା ପାଇଁ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/d2bf5e7c-5fef-471f-8d1e-798cb07f20da.jpg)