‘ଡିଜିଟାଲ୍ ପେଡ଼ାଗୋଜି’କୁ ନେଇ ସର୍ବଭାରତୀୟ ଆଲୋଚନାଚକ୍ର

ଜୟପୁର: ସ୍ଥାନୀୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷକ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ସର୍ବଭାରତୀୟ ସ୍ତରରେ ‘ଡିଜିଟାଲ୍ ପେଡ଼ାଗୋଜି’କୁ ନେଇ ପାଂଚ ଦିନିଆ ଭାରଚୁଆଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷକ ପ୍ରଶିକ୍ଷଣ ବିଭାଗର ଅଧ୍ୟାପିକା ପ୍ରତିମା ସାହୁଙ୍କ ଆହ୍ବାନକ୍ରମେ ଏହାକୁ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର ସଭାପତିତ୍ବ କରିଥିବା ବେଳେ କାର୍ଯ୍ୟକ୍ରମକୁ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଡଃ. ନିଳାଦ୍ରୀନାଥ ଦାଶ ସଂଯୋଜନା କରିଥିଲେ।

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୋରାପୁଟ ଉପକୁଳାଧିପତି ପ୍ରାଧ୍ୟାପକ ଆଇ. ରାମବ୍ରହ୍ମମ୍ ସ୍ବାଗତ ଭାଷଣ ଦେଇଥିଲେ। ବିଏଡ୍ ପ୍ରଥମ ବର୍ଷର ଛାତ୍ରୀ ଶୁଭ୍ରା ରାଉତରାୟ ଧନ୍ୟବାଦ ଦେଇଥିଲେ। ଏଥିରେ ସାଧନକର୍ମୀଭାବେ ୟୁଜିସି ମାନବସମ୍ବଳ ଉନ୍ନୟନ କେନ୍ଦ୍ରର ନିର୍ଦେଶକ ଡଃ. ଏସ୍,ସେନ୍ତିଲନାଥନ୍, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କେରଳର ଶିକ୍ଷା ବିଭାଗର ସହକାରୀ ପ୍ରାଧ୍ୟପକ ଡଃ. କେ.ତ୍ୟାଗୁ, ମଧୁରାଇ କାମରାଜ ବିଶ୍ବବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡଃ. ପି.ମୁଥୁପାଣ୍ଡି, ଚେନ୍ନାଇ ଶିବ ନାଦର ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗର ସହକାରୀ ପ୍ରାଧ୍ୟପକ ଡଃ. ଚେରୀ ମାଥ୍ୟ ପିଲିପ୍ସ, ନୂଆଦିଲ୍ଲୀ ଡଃ. ବି.ଆର, ଆମ୍ବଦର ବିଶ୍ବବିଦ୍ୟାଳୟର ଡଃ. ଦୀପକ ବିଶଳା, ଆରଏଲଏସ୍ କଲେଜ ହରିଆନାର ସହକାରୀ ପ୍ରାଧ୍ୟାପିକା ଡଃ. ସୋନମ୍ ବନସଲ୍, ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶବାନି ବାଘଇ, ଓ ପ୍ରବୀଣ କୁମାର ଶର୍ମା ଯୋଗ ଦେଇଥିଲେ।

ସଂପ୍ରତି କରୋନା ମହାମାରୀ ସଂକ୍ରମଣର ଭୟ ଦେଖାଦେବା ପରେ ଶ୍ରେଣୀଗୃହରେ ଆଉ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ନେଇ ଶ୍ରେଣୀ କରାଯାଉନି। ସଂପ୍ରତି ଚାଳିଥିବା ଅନଲାଇନରେ କିଭଳି ବିଭିନ୍ନ ମାଧ୍ୟମରେ ମିଳୁଥିବା ସାଧନକୁ ନେଇ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା କିଭଳି ପ୍ରଦାନ କରାଯାଇ ହେବ ସେ ଦିଗରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଯେଭଳି ଶ୍ରେଣୀଗୃହରେ ବସି ପାଠ ପଢ଼ିଲେ ଯେଉଁ ଅନୁଭବ କରୁଥିଲେ, ମନରେ ଥିବା ଦ୍ବନ୍ଦ, ପ୍ରଶ୍ନ ଦୁର କରି ପାରୁଥିଲେ ସେଭଳି ସାଂପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ଶିକ୍ଷକ ମାନେ ‌ନିଜର ଶୌକ୍ଷିକ ପଦ୍ଧତିକୁ ପରିବର୍ତ୍ତନ କରି ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପଢ଼ିବ ବୋଲି ସାଧନକର୍ମୀ ମାନେ ମତ ଦେଇଥିଲେ। ପରିସ୍ଥିତିକୁ ଲକ୍ଷ୍ୟରେ ରଖି ଆଗାମୀ ଦିନର ଭବିଷ୍ୟତଙ୍କ ଲକ୍ଷ୍ୟ, ଓ ଅଭିମୁଖ୍ୟ ଯେଭଳି ପଥଭ୍ରଷ୍ଟ ନ ‌ହୁଏ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ସାଧନକୁ ଉପଯୋଗ କରି ପାଠ ପଢ଼ାଇବାକୁ ପରାମର୍ଶ ଦେଇଥିଲେ। ସଂପ୍ରତି ବିଭିନ୍ନ ଆପ୍ ଓ ସାମାଜିକ ମାଧ୍ୟମ, ଭିଡିଓ ଆଦି ପ୍ରସ୍ତୁତ କରି ଭାରତର ଶୌକ୍ଷିକ ବ୍ୟବସ୍ଥାର ଗର୍ବ ଓ ଗୌରବକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଏଥିରେ ସର୍ବଭାରତ ସ୍ତରରେ ୨୮୦ଜଣ ପ୍ରାଧ୍ୟପକ, ସହଯୋଗୀ ପ୍ରାଧ୍ୟାପକ, ସହକାରୀ ପ୍ରାଧ୍ୟାପକ, ଅଧ୍ୟାପକ, ଶିକ୍ଷକ, ଶିକ୍ଷା‌କ୍ଷେତ୍ରରେ କାମ କରୁଥିବା କର୍ମଚାରୀ, ଗବେଷଣାରଥ ଛାତ୍ରଛାତ୍ରୀ ଆଦି ଭାଗ ନେଇଥିଲେ। ଉଦଯାପନୀ ଉତ୍ସବକୁ ଆବାହକ ପ୍ରତିମା ସାହୁ ସ୍ବାଗତ କରିଥିବା ବେଳେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ.କପିଳ ଖେମୁଣ୍ଡୁ ଓ ଡ.ରମେନ୍ଦ୍ର କୁମାର ପହି କାର୍ଯ୍ୟକ୍ରମର ସାମ୍ୟକ୍ ବିବରଣୀ ରଖିଥିଲେ।

ସମ୍ବନ୍ଧିତ ଖବର