ଭାଷାଭିତ୍ତିକ ରାଜ୍ୟ ଗଠନରେ ମୟୂରଭଞ୍ଜର ଭୂମିକା ଅବିସ୍ମରଣୀୟ

ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ସମାରୋହ, ପ୍ରସ୍ତୁତି ପଥେ ଓଡ଼ିଶା-୧୦୦ ଭିଜନ ଡକ୍ୟୁମେଣ୍ଟ୍‌

‌ବାରିପଦା: ଭାଷାଭିତ୍ତିକ ରାଜ୍ୟ ଗଠନରେ ମୟୂରଭଞ୍ଜର ଭୂମିକା ଅବିସ୍ମରଣୀୟ। ନବଉତ୍କଳର ସଂରଚନାରେ ଯେଉଁ କେତେଜଣ ମହାମନିଷୀ ନେତୃତ୍ବ ନେଉଥିଲେ ସେମାନଙ୍କ ମଧ୍ୟରେ ମୟୂରଭଞ୍ଜ ମହାରାଜା ପ୍ରାତଃସ୍ମରଣୀୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୂମିକା ଥିଲା ଅନସ୍ବିକାର୍ଯ୍ୟ। ବାରିପଦାରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଏପରି ମତବ୍ୟକ୍ତ କରିଥିଲେ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରତାପ ଜେନା। ଜିଲ୍ଲା ପ୍ରଶାସନର ପ୍ର‌ତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ବାରିପଦା ପୌରପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପ୍ରୟାସଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ପଂଚାୟତିରାଜ, ଆଇନ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ। ୨୦୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶହେ ବର୍ଷ ପାଳନ ଅବସରରେ ଓଡ଼ିଶା ୧୦୦ ନାମରେ ଏକ ଭିଜନ ଡକ୍ୟୁମେଣ୍ଟ୍‌ ତିଆରି କରାଯାଉଥିବା ଶ୍ରୀ ଜେନା ସୂଚନା ଦେଇଥିଲେ।

Sambad

ଯାହା କି ଶତବାର୍ଷିକୀ ଅବସରରେ ଏକ ସାମଗ୍ରୀକ ବିକଶିତ ଓଡ଼ିଶାର ପ୍ରତିଛବି ହେବ। ମୋରଡା ବିଧାୟକ ରାଜ କିଶୋର ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାରିପଦା ଉପଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀ ପି ଅନ୍ବେଷା ରେଡ୍ଡୀ ଉପସ୍ଥିତ ଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ପିଡି ଡିଆରଡିଏ ଭବେଶ କୁମାର ନାୟକ, ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଏସଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର