‌ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଷ୍ଟେସନ୍‌ମାଷ୍ଟର, ଡ୍ରାଇଭରଙ୍କୁ ଜେରା

ବାଲେଶ୍ବର, (ବାହାନଗାରୁ ବିଶ୍ବଜିତ ଦାଶ): ବାହାନଗା ବଜାର ରେଳ ଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ ଅଛି ସେମାନଙ୍କୁ କମିସନ୍ ଅଫ୍ ରେଲ୍‌ ସେଫ୍ଟି (ସିଆର୍‌ଏସ୍‌)ର ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିରେ ବାଲେଶ୍ବର ରେଳ ଷ୍ଟେସନରୁ ବାହାନଗା ବଜାର ରେଳ ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ୍ ମରାମତି ଦାୟିତ୍ବରେ ଥିବା ସଂସ୍ଥାର ସୁପରଭାଇଜରଙ୍କ ଠାରୁ ଆରମ୍ଭ କରି ସିଗ୍‌ନାଲ୍‌ ଇଞ୍ଜିନିୟର, ଷ୍ଟେସନ ମାଷ୍ଟର, ଆସିଷ୍ଟାଣ୍ଟ ‌ଷ୍ଟେସନ ମାଷ୍ଟରଙ୍କ ସମେତ ପ୍ରାୟ ୧୦ରୁ ଅଧିକ କର୍ମଚାରୀଙ୍କୁ ଖଡଗପୁରସ୍ଥିତ ଡିଭିଜନ କାର୍ଯ୍ୟାଳୟରେ ଜଣ ଜଣ କରି ଜେରା କରାଯାଉଛି।

ଏପଟେ ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ଆଜି ଗୁଜୁରାଟର ଗାନ୍ଧୀନଗରସ୍ଥିତ ନାସନାଲ୍ ଫରେନସିକ୍ ସାଇ‌େନ୍ସସ୍ ୟୁନିଭର୍ସିଟି (ଏନ୍‌ଏଫ୍‌ଏସ୍‌ୟୁ)ର ୪ଜଣିଆ ଟିମ୍‌ ଜେରା କରିଛନ୍ତି। ହେଲେ ଷ୍ଟେସନ ମାଷ୍ଟର ଏସ୍‌.ବି ମହାନ୍ତିଙ୍କର ଗୋଟିଏ ଉତ୍ତର ‘ମୁଁ କରମଣ୍ଡଳ ଏକ୍ସପ୍ରେସ୍‌କୁ ପ୍ଲାଟଫର୍ମ-୨ରେ ଆସିବାକୁ ଗ୍ରିନ୍ ସିଗ୍‌ନାଲ୍ ଦେଇଥିଲି। ଲୁପ୍‌ ଲାଇନ୍‌ରେ କେମିତି ଆସିଲା ମୁଁ ଜାଣିନି’।

‘ମୁଁ ପ୍ଲାଟଫର୍ମ-୨ରେ ଗ୍ରିନ ସିଗ୍‌ନାଲ୍ ଦେଇଛି’: ଷ୍ଟେସନ ମାଷ୍ଟର
ଗ୍ରିନ୍ ସିଗ୍‌ନାଲ୍ ଦେଖି ଆମେ ଗାଡ଼ିର ଗତି କମାଇନଥିଲୁ: ଲୋକୋ ପାଇଲଟ୍
ସିଆର୍‌ଏସ୍‌ ତଦନ୍ତ ପାଇଁ ୧୦ରୁ ଅଧିକ କର୍ମଚାରୀଙ୍କୁ ଖଡଗପୁରରେ ଜେରା
କରମଣ୍ଡଳ ଲୋକୋ ପାଇଲଟ୍‌ଙ୍କୁ ଏମ୍‌ସରେ ଜେରା କଲା ସିଆର୍‌ଏସ୍‌
ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତଦେହ ଖୋଜିବାକୁ କମ୍ବିଂ ଅପରେସନ୍

ସେହିପରି ଏମ୍‌ସ, ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ର ଇଞ୍ଜିନ ଡ୍ରାଇଭର ତଥା ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଏବଂ ସହକାରୀ ଲୋକୋ ପାଇଲଟ୍ ହଜାରୀ ବେହେରାଙ୍କୁ ଆଜି ସିଆ‌ର୍‌ଏସ୍‌ ଟିମ୍ ଜେରା କରିଛି। କିପରି ଦୁର୍ଘଟଣା ହେଲା ସେନେଇ ସେମାନଙ୍କର ବୟାନ ରେକର୍ଡ ହୋଇଛି। ଗୁଣନିଧି ଆଇସିୟୁରୁ ବାହାରିବା ପରେ ଆଜି ତାଙ୍କର ବୟାନ ରେକର୍ଡ କରିବାକୁ ସିଆର୍‌ଏସ୍‌ ଟିମ୍ ଏମ୍‌ସରେ ପହଞ୍ଚିଥିଲା। ମିଳିଥିବା ସୂଚନା ଅନୁଯା‌ୟୀ, ‌େଲାକୋ ପାଇଲଟ୍ ଓ ତାଙ୍କ ସହଯୋଗୀ ବୟାନ ଦେଇଛନ୍ତି ଯେ, ଗ୍ରିନ ସିଗ୍‌ନାଲ୍‌ ଥିବାରୁ ସେମାନେ ପ୍ଲାଟଫର୍ମ ୨ ଅଭିମୁ‌େଖ ଦ୍ରୁତ ଗତିରେ ଆସୁଥିଲେ। ଗ୍ରିନ୍ ସିଗନାଲ୍‌ ଥିବାରୁ ଗାଡ଼ିର ଗତି କମାଇନଥିଲେ। ହେଲେ ହଠାତ୍ ଲୁପ୍‌ ଲାଇନ୍‌ରେ ଟ୍ରେନ୍ ଚାଲିଗଲା ଏବଂ ମାଲ୍‌ବାହୀ ଟ୍ରେନ୍‌କୁ ପଛରୁ ଜୋର୍‌ରେ ଧକ୍କା ଦେଇଥିଲା। ଏହାପରେ କ’ଣ ହୋଇଛି ସେମାନେ ଜାଣିନାହାନ୍ତି।

ଦକ୍ଷିଣ ପୂର୍ବ ରେଳପଥର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଲୁପ୍‌ ଲାଇନ୍‌ କାହା ଅବହେଳାରୁ ଖୋଲା ରହିଲା ଏବଂ ଏହା ଖୋଲାଥିବାବେଳେ କିପରି ଗ୍ରିନ୍‌ ସିଗ୍‌ନାଲ୍‌ ଆସିଲା ତାହାକୁ ନେଇ ସମ‌ସ୍ତେ ଦ୍ବନ୍ଦ୍ବରେ ଅଛନ୍ତି।

ଅପରପକ୍ଷେ ଆଜି ଫରେନ୍‌ସିକ୍ ଟିମ୍ ଅନ୍ୟ ଅଧିକାରୀଙ୍କୁ ପଚରାଉଚରା କରିବାକୁ ଆସିଥିଲେ ବି ସମ୍ଭବ ହୋଇନି। ସେମାନେ ଦୁର୍ଘଟଣାସ୍ଥଳର ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରିଛନ୍ତି। ଆଜି ଖଡ଼ଗପୁରରେ ପ୍ରାୟ ୧୦ରୁ ଅଧିକ କର୍ମଚାରୀଙ୍କର ଜେରା ହୋଇଥିବାବେଳେ ସେମାନେ ଲିଖିତ ଭାବେ ଦୁର୍ଘଟଣା ଦିନର ପ୍ରାଥମିକ ରିପୋର୍ଟ ‌ଦେଇଛନ୍ତି। ‌ଦୁର୍ଘଟଣା ଦିନ କିଏ ସିଗ୍‌ନାଲ୍‌ କାମ କରୁଥିଲେ କି? ଯଦି କାମ କରୁଥିଲେ କାହିଁକି ଷ୍ଟେସନ ମାଷ୍ଟରଙ୍କୁ ଅବଗତ କଲେନି? ଯଦି ସିଗ୍‌ନାଲ୍ କାମ ହେଉନଥିଲା ତେବେ ଫେସିଂ ପଏଣ୍ଟରେ ଇଣ୍ଟରଲକ୍ ‌େକମିତି ଫେଲ୍‌ ହେଲା ସେନେଇ ପଚରାଉଚରା କରାଯାଇଛି।

ଅପରପକ୍ଷେ ବହୁ ଲୋକ ସେମାନଙ୍କ ସମ୍ପର୍କୀୟଙ୍କୁ ପାଉନଥିବା ନେଇ ଅଭିଯୋଗ କରିବା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍‌ପିଏଫ୍‌ ସହାୟତାରେ ବାହାନଗା ବଜାର ଷ୍ଟେସନର ଦୁର୍ଘଟଣାସ୍ଥଳର ୫୦୦ମିଟର ଆଗକୁ ଏବଂ ପଛକୁ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ୍ କରାଯାଇଛି। ପୁଲିସ ଅଧିକାରୀମାନେ ସବୁ ବଣବୁଦା ଖୋଜାଖୋଜି କରିଥିବାବେଳେ ଉପରୁ ଡ୍ରୋନ୍‌ ମାଧ୍ୟମରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଏବେ କୌଣସି ମୃତଦେହ ମିଳିନଥିବାରୁ ଆସନ୍ତାକାଲି ଦୁର୍ଘଟଣାସ୍ଥଳରୁ ଷ୍ଟେସନ ପର୍ଯ୍ୟନ୍ତ ଅଞ୍ଚଳକୁ ବିଶୋଧନ କରାଯିବ। ଏହାପରେ ଏହି ଅଞ୍ଚଳକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର