ବାଇପାସ୍ ଛକରେ ସ୍ଥାପନ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତି ଓ ଉଦ୍ୟାନ

ଭଦ୍ରକ: ମାଟିର ମହକ ତଥା ଓଡ଼ିଶାର ଗର୍ବ ଓ ଗୌରବ, ରାଜ୍ୟ ସଂଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଆଜି ସ୍ଥାନ ପରିଦର୍ଶନ କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଜିଲ୍ଲା ପ୍ରଶାସନ | ଆଗାମୀ ୧୦ ଦିନରେ କାମ ଆରମ୍ଭ ହୋଇ ଯଥାଶୀଘ୍ର ନୂତନ ପ୍ରତିମୂର୍ତ୍ତି ସ୍ଥାପନ ସହ ପାର୍କ ଓ ଏଲିଡି ଲାଇଟ୍ ରେ ବ୍ୟବସ୍ଥା କରାଯିବା ସହ ସାତ ଦିନ ମଧ୍ୟରେ ୩ ଡି ହୋଡିଙ୍ଗ୍ ଲାଗିବ ବୋଲି କହିଛନ୍ତି ବିଧାୟକ। କଟକର ଏକ ଆର୍କିଟେକ ସଂସ୍ଥାର ଯନ୍ତ୍ରୀଙ୍କ ଉପସ୍ଥିତିରେ ଭଦ୍ରକ ସହରର ବାଇପାସ୍ ଛକରେ ସ୍ଥାନ ପରିଦର୍ଶନ କରିବା ସହ କାନ୍ତକବିଙ୍କ ପ୍ରତମୂର୍ତ୍ତି ସ୍ଥାପନ ନେଇ ଆଲୋଚନା କରିଥଲେ ବିଧାୟକ |

ଏହି ସମୟରେ ଭଦ୍ରକ ତହସିଲଦାର, ପୌରପାଳିକା ନିର୍ବାହୀଯନ୍ତ୍ର ପ୍ରତିମୂର୍ତ୍ତି ସ୍ଥାପନା ଦାବି ଉଠାଇଥିବା କାନ୍ତକବି ମଞ୍ଚ ଆବାହକ ଲକ୍ଷ୍ମୀଧର ବିଶ୍ବାଳ, ସଂଯୋଜକ ସୁଦାମ ଭୂଇଁ, ପ୍ରକାଶ ସ୍ବାଇଁ ଓ କାନ୍ତକବିଙ୍କ ନାତି ଉମାକଲ୍ୟାଣ ମହାପାତ୍ର ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପସ୍ଥିତ ଥିଲେ | ନିରୂପଣ ସ୍ଥାନର ୩ଡି ମ୍ୟାପ୍ ପ୍ରସ୍ତୁତ କରାଯାଇ ଖୁବ ଶୀଘ୍ର କାନ୍ତକବିଙ୍କୁ ଯଥୋଚିତ ସମ୍ମାନ ଦେବାର ବ୍ୟବସ୍ଥା ହେବ | ଅନ୍ୟପଟେ ବିଧାୟକ ଓ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ମୂର୍ତ୍ତି କାର୍ଯ୍ୟ ଖୁବ ଶୀଘ୍ର ସାରିବାକୁ କାନ୍ତକବି ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

ରାସ୍ତା ସମ୍ପ୍ରସାରଣ ନାମରେ ଦୀର୍ଘ ଦୁଇ ବର୍ଷ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତିକୁ ହଟାଯାଇ ପୁନଃ ପ୍ରତିଷ୍ଠା କରାଯାଇନଥିଲା । ଯାହାଫଳରେ ବିଭିନ୍ନ ସମୟରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଉଥିଲା । କିଛି ଦିନ ତଳେ କାନ୍ତକବି ମଞ୍ଚ ଏନେଇ ବାରମ୍ବାର ସ୍ବର ଉଠାଇବା ସହ ଧାରଣା ଦେଇଥିଲା । ହେଲେ ଏନେଇ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିନଥିଲା ।

ଜିଲ୍ଲା ନୁହେଁ ରାଜ୍ୟ ପାଇଁ ଖୁସିର ଖବର ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକ ନିଜ ତରଫରୁ ଏନେଇ ଉଦ୍ୟମ କରି କାନ୍ତକବିଙ୍କ ପ୍ରତିମୂର୍ତ୍ତି ତୁରନ୍ତ ସ୍ଥାପନ ଓ ଅନ୍ୟ ଦାବି ଗୁଡିକ ପ୍ରତି ଗୁରୁତ୍ୱ ଦେଇଥିଲେ । କାନ୍ତକବି ମଞ୍ଚର କର୍ମକର୍ତ୍ତା, ଜିଲ୍ଲା ପ୍ରଶାସନକୁ ସାଥିରେ ନେଇ ବିଧାୟକ ବାଇପାସ୍ ଛକରେ ଯେଉଁ ସ୍ଥାନରେ କାନ୍ତକବିଙ୍କ ମୂର୍ତ୍ତି ସ୍ଥାପନ ହେବା ସହ ପାର୍କ, ଲାଇଟ୍ ଦ୍ବାରା ସୌନ୍ଦର୍ଯ୍ୟ କରଣ ହେବ ସେଇ ସ୍ଥାନ ପରିଦର୍ଶନ କରିଥିଲେ । କାନ୍ତକବିଙ୍କ ନାମରେ ଭଦ୍ରକ ମୁଖ୍ୟାଳୟରେ ପାଠ ଭବନ ଓ ଯୁବ ସାହିତ୍ୟକ ଓ ସଂସ୍କୃତି ରକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ବିଧାୟକ ନିଜ ହାତପାଣ୍ଠିରୁ କରିବାକୁ ପ୍ରତିଶୃତି ଦେଇଛନ୍ତି । ଅପରାହ୍ନରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ବାଇପାସ୍ ଛକରେ କାନ୍ତକବିଙ୍କ ମୂର୍ତ୍ତି ସ୍ଥଳକୁ ବୁଲି ଦେଖିବା ଅବସରରେ କାନ୍ତକବି ମଞ୍ଚ ପକ୍ଷରୁ ଦାବି ପ୍ରଦାନ ସହ ଅନ୍ୟ ଦାବିକୁ ଦୋହରାଯାଇଥିଲା ।

ସମ୍ବନ୍ଧିତ ଖବର