ଚୋରି କରିବା ପରେ ଧରା ନପଡ଼ିବା ପାଇଁ ଛେଳି ମୁହଁରେ ସେଲୋ ଟେପ୍ ମାରି କରାଯାଉଛି ଚାଲାଣ

ପୁରୀ: ଆପଣ ଚୋରି ଦେଖିଥିବେ । ହେଲେ ଏପରି ଚୋରି ବିଷୟରେ ଆପଣ କେବେ ଶୁଣି ନଥିବେ । ଛେଳି ଚୋରି କରିବାର ଏକ ଅଭିନବ ଉପାୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଟପୁର ଅଞ୍ଚଳରେ । ରାତିରେ ଆଖପାଖ ଅଞ୍ଚଳରୁ ଛେଳି ଚୋରି କରିବା ପରେ ଧରା ନପଡିବା ପାଇଁ ଛେଳି ମୁହଁରେ ସେଲୋ ଟେପ୍ ମାରି କରାଯାଉଛି ଚାଲାଣ ।

ଛେଳିଙ୍କ ମୁହଁରେ ସେଲୋ ଟେପ୍ । ହଳଦିଆ ରଙ୍ଗର ଏହି ସେଲୋ ଟେପକୁ ଛେଳିଙ୍କ ମୁହଁରେ ଲଗାଇ ଗାଡିରେ ଭର୍ତି କରାଯାଇଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଛେଳିଙ୍କ ମୁହଁରେ ସେଲୋ ଟେପ୍ ମାରି ଚୋରାଚାଲାଣ କରାଯାଉଛି । ଚାଲାଣବେଳେ ଛେଳିମାନେ ଯେପରି ନ ବୋବାଇ ପାରିବେ ସେଥିପାଇଁ ସେମାନଙ୍କ ମୁହଁରେ ଏହି ସେଲୋ ଟେପ୍ ଲଗାଯାଇଛି । କାକଟପୁର, ଅସ୍ତରଙ୍ଗ, କୋଣାର୍କ, ନିଆଳି ସମେତ କଟକ ଏବଂ ପୁରୀ ଜିଲ୍ଲାର କେତେକ ଅଞ୍ଚଳରୁ ବିଗତ କିଛି ଦିନ ହେବ ଏମିତି ଢଙ୍ଗରେ ଛେଳି ଚୋରି କରାଯାଉଥିବା ବେଳେ ଧରାପଡିଛି ।

ଏସବୁ ଅଞ୍ଚଳରୁ ଛେଳି ଚୋରି ନେଇ ବାରମ୍ବାର ଅଭିଯୋଗ କରିବା ପରେ ପୁଲିସ ଚୋରକୁ ଧରିବା ପାଇଁ ସଜାଗ ରହିଥିଲା । ଛେଳିମାନଙ୍କୁ ବାହାରକୁ ଚାଲାଣ କରାଯାଉଥିବା ବେଳେ କାକଟପୁର ପୁଲିସ ଚଢାଉ କରିଥିଲା । ଏକ ଗୁହାଳ ଘରୁ ୨୨ଟି ଛେଳି ଜବତ କରିଥିଲା ପୁଲିସ । ଛେଳିଙ୍କ ମୁହଁରେ ସେଲୋ ଟେପ୍ ମରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର