ପଥର ମାଫିଆଙ୍କ କବଜାରେ ସ୍ଥିତିବାନ ଜମି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ଜମି, ଶ୍ରୀଜଗନ୍ନାଥଙ୍କ ଜମି, ଜଙ୍ଗଲ ଜମି ଉପରେ ଅବୈଧ ଅଧିକାର କରି ପଥର ମାଫିଆ ପଥର ଖୋଳି ନେଉଥବା ଦେଖାଯାଇଥିଲା । କିନ୍ତୁ ବର୍ତମାନ ଲୋକଙ୍କ ଘରୋଇ ଜମି କବଜା କରି ପଥର କାଟିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏନେଇ ପୁଲିସ୍, ପ୍ରଶାସନ ଥରେ ନୁହେଁ ଅନେକ ଥର ଅଭିଯୋଗ ପାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଖୋର୍ଦ୍ଧା ଉପକଣ୍ଠ, ନିରାକାରପୁର, ଟାଙ୍ଗୀ ଆଦି ଅଂଚଳରେ ପଥର ମାଫିଆ ସରକାରୀ ଜମି ସହ ସାଧାରଣ ଲୋକଙ୍କ ସ୍ଥିତିବାନ ଜମି ମଧ୍ୟ କବ୍ଜା କରି ଜମିରୁ ମାଙ୍କଡ଼ା ପଥର, ମୋରମ ଆଦି ଖୋଳି ଚାଲାଣ କରୁଛନ୍ତି । ଅନେକ ସମୟରେ ସାଧାରଣ ଲୋକ ମାଫିଆଙ୍କ ଭୟରେ ପ୍ରତିବାଦ ନକରି ଚୁପ୍ ରହୁଥିବା ବେଳେ କେତେକ ସ୍ଥାନରେ ପ୍ରତିବାଦ କରି ସାଧାରଣ ଲୋକ ମାଫିଆଙ୍କ ଆକ୍ରମଣର ଶିକାର ହେଉଛନ୍ତି ।

ଘଟଣାକ୍ରମେ, ରାମଚଣ୍ଡୀ ବାସିନ୍ଦା ସୁବାସିନୀ ନରେନ୍ଦ୍ର ଜିତସିଂହ ଆଜି ଏଭଳି ଏକ ଅଭିଯୋଗ ନେଇ ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୁବାସିନୀଙ୍କ ଅଭିଯୋଗ ଅନୁସାରେ, ତାଙ୍କର ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ମହତ ପଲ୍ଲା-ନରସିଂହପ୍ରସାଦ ମୌଜାରେ ଥିବା ଖାତା ନଂ ୩୭୭/୦୬ ପ୍ଲଟ ନଂ ୭୬, ୧୪୭, ୧୬, ୮୯୫, ୯୩, ୯୨, ୩୦ ଜମିରେ କାଜୁ ଗଛ ଲଗାଇଥିଲେ । ଗତ କିଛି ମାସ ମଧ୍ୟରେ କେତେକ ଦୁର୍ବୃତ୍ତ ବଳପୂର୍ବକ ସେହି ଜମିରୁ କାଜୁ ଗଛ କାଟି ଦେବା ସହ ସେଠାରୁ ମାଙ୍କଡ଼ା ପଥର ଓ ମୋରମ୍ ଖୋଳି ନେଉଛନ୍ତି । ଏନେଇ ପ୍ରତିବାଦ କରିବାରେ ମଳିପଡ଼ା, ରାମଚଣ୍ଡୀ, ଧଉଳିମୁହଁ ଆଦି ଗାଁର ଧୀରେନ ଭଟ୍ଟ, ରାକେଶ ଜେନା, ଆଶିଷ ପାହାଡ଼ ସିଂହ, ଗୁଣ୍ଡିଆ ବେହେରା, ବସନ୍ତ ଛୁଆଳସିଂହଙ୍କ ନେତୃତ୍ୱରେ ୧୫-୨୦ଜଣ ତାଙ୍କୁ ମୁହଁ ଖୋଲିଲେ ଗୁଳି କରି ମାରିଦେବାକୁ ଧମକ ଦେଇଛନ୍ତି ।

ଶ୍ରୀମତି ନରେନ୍ଦ୍ରଜିତସିଂହଙ୍କ କହିବାନୁସାରେ, ଏନେଇ ସେ ପୂର୍ବରୁ ସଦର ଥାନା ଓ ତହସିଲଦାରଙ୍କୁ ଏକାଧିକ ଥର ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବର୍ତମାନ ପୁଣି ଦୁର୍ବୃତ୍ତମାନେ ସେମାନଙ୍କୁ ଧମକଚମକ ଦେବା ଆରମ୍ଭ କରିଛନ୍ତି । ଦୁର୍ବୃତ୍ତମାନଙ୍କ ଠାରୁ ସୁରକ୍ଷା ସହ ସେମାନଙ୍କ ଜମିର ସୁରକ୍ଷା ପାଇଁ ସେମାନେ ଶ୍ରୀମନ୍ଦିର ପ୍ରଶାସନ, ଏସ୍ଟିଏଫ୍, ଉପଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅନୁରୋଧ କରିଛନ୍ତି । ଏନେଇ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ କହିଛନ୍ତି ଯେ ଏନେଇ ପଦକ୍ଷେପ ନେବାକୁ ସେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିମନ୍ତେ ସୁପାରିଶ କରିଛନ୍ତି ।

ସମ୍ବନ୍ଧିତ ଖବର