ଧଳାପଥର/ଖୋର୍ଦ୍ଧା: ଭଜୁକିନା ରାମ ନାମରେ ଗୋବିନ୍ଦ, ଭଜୁକିନା ରାମ ନାମ। ଭଜି ନ ପାରିଲେ କୂଳଚନ୍ଦ୍ରମାରେ ବାନ୍ଧିନେବ କାଳଯମ। ଚତୁର୍ମାସିଆ ଶେଷ ହେବା ପରେ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ପୌଷ ମକର ସଂକ୍ରାନ୍ତି ଯାଏଁ ଓଡ଼ିଶାର ଗାଁ ଗହଳିରେ ଶୁଣାଯାଉଥିଲା ଏହି ଗୀତ । କେନ୍ଦରାର ସୁମଧୁର ତାନ ସହ ସୁଲଳିତ କଣ୍ଠରେ ବଙ୍ଗଳାଶ୍ରୀ ରାଗର ଏହି ଗୀତ ଯିଏ ଥରେ ଶୁଣିଛି ସେ ନିଶ୍ଚିତ ଭାବେ ଆତ୍ମବିଭୋର ହୋଇଛି। ଆଧୁନିକତାର ପ୍ରବାହରେ ଏହି ନାଥଯୋଗୀ ପରମ୍ପରା ପ୍ରାୟତଃ ଲୋପ ପାଇଯାଇଛି, ତେବେ ଖୋର୍ଦ୍ଧା-ବାଙ୍କୀ ସୀମାନ୍ତର ଅନେକ ଗାଁ ଗହଳିରେ କତିପୟ ଯୋଗୀ ସମ୍ପ୍ରଦାୟଙ୍କ ଦ୍ବାରା ଏହା ଆଜି ମଧ୍ୟ ଜୀବିତ ରହିଛି।
ଓଡ଼ିଶାରେ ଯୋଗୀ ପରମ୍ପରା ଅନେକ ପୁରାତନ। ଜଗନ୍ନାଥଙ୍କ ତାନ୍ତ୍ରିକ ପୂଜା ଏହି ନାଥଯୋଗୀ ବା ଅବଧୁତ ପରମ୍ପରାର ପ୍ରଭାବ। ପ୍ରାଚୀନ ଓଡ଼ିଶାର ନାଗାର୍ଜୁନଙ୍କ ଠାରୁ ହାଡ଼ିପା, କାହ୍ନୁପା ଭଳି ମହାନ ତାନ୍ତ୍ରିକ ଓ ବୈରାଗୀ (ସଂସାର ତ୍ୟାଗୀ) ଏହି ପରମ୍ପରାର ଏକ ଏକ ମହାନ ଗୁରୁ। ସେହିଭଳି ୧୪ଶ-୧୫ଶ ଶତାବ୍ଦୀର ଅତି ରହସ୍ୟବାଦୀ ଅରକ୍ଷିତ, ଅଚ୍ୟୁତ, ଅନନ୍ତ, ବଳରାମ ଓ ଜଗନ୍ନାଥ ଦାସ ଏହି ନାଥଯୋଗୀ ପରମ୍ପରାର ଅନୁଗାମୀ ଥିଲେ। ଉତ୍ତରପୂର୍ବ ଭାରତର ଗୋରଖନାଥଙ୍କ ଠାରୁ ଏହି ଅବଧୁତ ପରମ୍ପରା ଓଡ଼ିଶାକୁ ଆସିଥିବା ଓ ଏଠାରେ ଏହା ନାଥଯୋଗୀ ପରମ୍ପରାରେ ପରିବର୍ତିତ ହୋଇଥିବା ଅନେକ ଐତିହାସିକ ମତ ଦିଅନ୍ତି। ଭଜୁ କିନା ରାମ ନାମରେ ଗୋବିନ୍ଦର ଗୀତ ପଛରେ ଏକ ଐତିହାସିକ କଥା କୁହାଯାଇଥାଏ। ଏକଦା ଓଡ଼ିଶାର ଜଣେ ରାଜା ଥିଲେ। ତାଙ୍କର ଏକମାତ୍ର ପୁତ୍ର ଗୋବିନ୍ଦଚନ୍ଦ୍ର ଅଳ୍ପାୟୁ ବୋଲି ଜ୍ୟୋତିଷୀମାନେ କହିବା ପରେ ତାଙ୍କ ମା’ ସଂସାର ତ୍ୟାଗ କରିବାକୁ ଉପଦେଶ ଦେବା ସହ ହାଡ଼ିପାଙ୍କୁ ଗୁରୁ କରିବାକୁ ପରାମର୍ଶ ଦେଇଥିଲେ। ଗୋବିନ୍ଦଚନ୍ଦ୍ରଙ୍କୁ ଗୈରିକ ବସ୍ତ୍ରରେ ସଜାଇ ତାଙ୍କ ମା’ ପଠାଇବା ବେଳେ ଯେଉଁ ଉପଦେଶ ଦେଇଥିଲେ ତାହା ଏହି ଗୀତିରେ ପ୍ରତିଫଳିତ ହୋଇଛି। ସେହିଭଳି ନାଥ ସମ୍ପ୍ରଦାୟର ଅନ୍ୟଏକ ଐତିହାସିକ ଆଖ୍ୟାନ ‘ଖୁଲଣା ସୁନ୍ଦରୀ’ ଓଡ଼ିଶାର ଧାର୍ମିକ ପରମ୍ପରା ସହ ମିଶିଯାଇଛି।
ଆଜି ମଧ୍ୟ ଯେତେବେଳେ ଗାଁଗହଳିକୁ ଏହି ନାଥଯୋଗୀମାନେ କେନ୍ଦରା ବଜାଇ ଘର ଦାଣ୍ଡକୁ ଆସିଥାନ୍ତି, ମା’ ମାନେ ନିଜର ସନ୍ତାନଙ୍କ ଦୀର୍ଘଜୀବନ ଓ ସୁଖମୟ ଜୀବନର କାମନା କରି ସେମାନଙ୍କୁ ଦାନ ଆଦି ଦେଇଥାନ୍ତି। ବର୍ତମାନ ବାଙ୍କୀ ଅଞ୍ଚଳର ରଗଡ଼ି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁରରେ କେତେକ ଅଞ୍ଚଳରେ ଏହି ସମ୍ପ୍ରଦାୟର ଅନୁଗାମୀ ବସବାସ କରନ୍ତି। ଯୁବପିଢ଼ିଙ୍କ ମଧ୍ୟରେ କାଁଭାଁ ଏହି ସମୟରେ ଏହି ବୃତ୍ତି ସହ ଦେଖାଯାଉଥିବା ବେଳେ ନିକଟରେ ଧଳାପଥର ଗାଁରେ ଆସିଥିବା କେତେକ ନାଥ ସମ୍ପ୍ରଦାୟଙ୍କ ମଧ୍ୟରେ ଯୁବକଙ୍କୁ ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ବୟୋବୃଦ୍ଧ ଓ ଗବେଷକ କହନ୍ତି, ଏହି ନାଥଯୋଗୀ ସମ୍ପ୍ରଦାୟଙ୍କ ଦ୍ବାରା ସମାଜରେ ଶୃଙ୍ଖଳା ରହୁଥିଲା। ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହେବାରେ ସହାୟକ ହେଉଥିଲା। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି ପରମ୍ପରାକୁ ପରବର୍ତୀ ପିଢ଼ିଙ୍କ ପାଇଁ ବଞ୍ଚାଇ ରଖିବାକୁ ପଦକ୍ଷେପ ନେବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Yogi-parampara-Dhalapathar-Khordha.jpg)