ହନୁମାନ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି 

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ପ୍ରମୁଖ ସ୍ଥାନ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଟିଏଲ୍ସି ଖେଳ ପଡ଼ିଆ ସମ୍ମୁଖ ହନୁମାନ ମନ୍ଦିରରୁ ଗତକାଲି ରାତିରେ ଏକ ବଡ଼ଧରଣର ଚୋରି ହୋଇଛି । ଦୁର୍ବୃତ୍ତ ମନ୍ଦିରରେ ଲାଗିଥିବା ତିନିଟି ତାଲାଭାଙ୍ଗି ଗର୍ଭଗୃହରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରାଇ ନେଇଛନ୍ତି ।
ଅଭିଯୋଗ ଅନୁସାରେ, ଆଜି ସକାଳେ ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଯିବା ବେଳେ ମନ୍ଦିରର ପ୍ରମୁଖ ଫାଟକର ତାଲା ଭାଙ୍ଗି ତଳେ ପଡ଼ିଥିବା ଦେଖିଥିଲେ । ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ହନୁମାନଙ୍କ ମୂର୍ତିରେ ଲାଗିଥିବା ରୁପା ମୁକୁଟ, ସୁନା କୁଣ୍ଡଳ ସହିତ ପିତ୍ତଳ ଘଂଟ, ଘଂଟା, ଥାଳି, ପୂଜା ସାମଗ୍ରୀ, ପିତଳ କୁଣ୍ଡ, ଚାମର, ସାଉଣ୍ଡ ବକ୍ସ ଆଦି ନଥିବା ଦେଖିବାକୁ ପାଇଥିଲେ । କେବଳ ଏହାନୁହେଁ ମନ୍ଦିରର ଦାନବକ୍ସକୁ ମଧ୍ୟ ଭାଙ୍ଗିବାକୁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ, ତେବେ ଏଥିରେ ବିଫଳ ହୋଇଥିଲେ ।

ଚୋରି ଯାଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି ମନ୍ଦିର କିମଟି ପକ୍ଷରୁ ପ୍ରମୋଦ ବାରିକ, ଶରତ ମହାପାତ୍ର ପ୍ରମୁଖ ମତପ୍ରକାଶ କରିଛନ୍ତି ।
ଏନେଇ ପୂଜକଙ୍କ ପକ୍ଷରୁ ଖୋର୍ଦ୍ଧା ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୭୫/୨୦୨୨ରେ ଏକ ମାମଲା ରୁଜୁ କରିଛି । ମାମଲାର ତଦନ୍ତ ଭାର ଏସ୍ଆଇ ପିଏନ୍ ବେହେରାଙ୍କୁ ଦିଆଯାଇଛି । ପ୍ରାଥମିକ ଅନୁସନ୍ଧାନରେ, ଏହା କୌଣସି ନିଶାଡ଼ିଙ୍କ କାମ ହୋଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ମନ୍ଦିରର ତାଲା କଟର ଦ୍ୱାରା କଟାଯାଇଥିବା ଓ ଏଥିରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ଏହା କୌଣସି ପେଷାଦାର ଅପରାଧୀଙ୍କ କାର୍ଯ୍ୟ ବୋଲି ସନେ୍ଦହ ସୃଷ୍ଟି ହୋଇଛି ।

 

 

 

 

 

 

 

 

 

ସମ୍ବନ୍ଧିତ ଖବର