ବାଲିଅନ୍ତା: ସ୍ଥାନୀୟ ପାହାଳ ଫାଣ୍ଡି ଅଧୀନ ହରିଦାସପୁର ଗ୍ରାମ ସ୍ଥିତ ସ୍ବପ୍ନେଶ୍ବର ଦେବଙ୍କ ମନ୍ଦିର ଗତକାଲି ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ମନ୍ଦିର କବାଟ ତାଲା ଭାଙ୍ଗି ୭ଟି ଦେବ ଦେବୀଙ୍କର ଅଷ୍ଟଧାତୁ ତଥା ପିତ୍ତଳ ନିର୍ମିତ ପ୍ରତିମୂର୍ତ୍ତି ସମେତ ଅନ୍ୟାନ୍ୟ ଧାତୁ ନିର୍ମିତ ପୂଜା ସାମଗ୍ରୀମାନ ଲୁଟି ନେଇଛନ୍ତି। ଚୋରିଯାଇଥିବା ମୂଲ୍ୟବାନ ମୂର୍ତ୍ତିଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମନ୍ଦିର ପୂଜକ ଚନ୍ଦ୍ରଶେଖର ପଣ୍ଡା ସୂଚନା ଦେଇଛନ୍ତି। ମନ୍ଦିର ଲୁଟ ସଂପର୍କରେ ମାର୍ଫତଦାର ଉର୍ମିଳା ପଣ୍ଡା, ମନ୍ଦିର କମିଟି ପ୍ରମୁଖ ସୌରଜିତ୍ ପଟ୍ଟନାୟକ ଓ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟମାନେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ପାଇ ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ ସାଇଣ୍ଟିଫିକ ଟିମ ନେଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ। ତେବେ ବର୍ଷା ଯୋଗୁ ପୁଲିସ ସନ୍ଧାନୀ କୁକୁରର ସହଯୋଗ ନେଇନଥିବା ଜଣାପଡ଼ିଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ସଂପୃକ୍ତ ଲୁଟେରାଙ୍କ ସଂପର୍କରେ ଟେର ପାଇପାରି ନାହିଁ। ସୂଚନା ମୁତାବକ ଏହି ଏତିହ୍ୟସଂପନ୍ନ ମନ୍ଦିରରୁ ଦେଢ଼ଫୁଟ ଉଚ୍ଚତାରେ ୪୦ କିଲ ଓଜନର ଚନ୍ଦ୍ରଶେଖରଙ୍କ ଅଷ୍ଟଧାତୁ ନିର୍ମିତ ବିଗ୍ରହ , ସମାନ ଉଚ୍ଚତାର ରାଧା କୃଷ୍ଣଙ୍କ ଏକକ ବିଗ୍ରହ, ଆଣ୍ଠୁଆଗୋପାଳଙ୍କ ପ୍ରତିମୂର୍ତ୍ତି ସହିତ ଅନ୍ୟାନ୍ୟ ପାର୍ଶ୍ବ ପ୍ରତିମୂର୍ତ୍ତି ,ଏବଂ ୩ଫୁଟ ଲମ୍ବର ପିତ୍ତଳ ନିର୍ମିତ ସିଂହାସନ ଆଦି । ପୂଜକ ଚନ୍ଦ୍ରଶେଖରଙ୍କ କହିବାନୁଯାୟୀ ସବୁଦିନ ଭଳି ଗତକାଲି ସଂଧ୍ୟାରେ ସେ ମନ୍ଦିରର ୩ ପାର୍ଶ୍ବର ଗେଟରେ ତାଲା ପକାଇ ଘରକୁ ପଳାଇଥିଲେ।

ଆଜି ସକାଳୁ ଗେଟ ତାଲା ଖୋଲି ଦେଖିଲା ବେଳକୁ ସିଂହାସନ ସହିତ ପ୍ରତିମୂର୍ତ୍ତି ଲୁଟ ହୋଇଯାଇଛି। ହେଲେ ଦାନବାକ୍ସ କିନ୍ତୁ ଚୋରିଯାଇନଥିବା ଦେଖିବାକୁ ପାଇଥିଲେ। ମନ୍ଦିର ଚୋରି ଯାଇଥିବା ସଂପର୍କରେ ଚନ୍ଦ୍ରଶେଖର ମାର୍ଫତଦାରଙ୍କ ସମେତ କମିଟି କାର୍ଯ୍ୟକର୍ତ୍ତାଙ୍କୁ ଜଣାଇଥିଲେ। କମିଟି ଏସଂପର୍କରେ ଫାଣ୍ଡିରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ପହଞ୍ଚି ତଦନ୍ତ କରିଥିଲା। ଉଲ୍ଲେଖଯୋଗ୍ୟ ଆଖାପାଖ ଅଞ୍ଚଳର ଆରାଧ୍ୟ ଦେବତା ସ୍ବପ୍ନେଶ୍ବର ମନ୍ଦିର ଲୁଟ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ମନ୍ଦିର ପଞ୍ଚାମୃତ କରି ପୂଜାର୍ଚ୍ଚନ କରାଯାଇଥିଲା। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ମଦ, ଗଞେଇ ଓ ବ୍ରାଉନସୁଗାର ନିଶାଡ଼ିମାନେ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ହୋଇଉଠିଛନ୍ତି। ଆଉ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରାଚୀର ଡେଇଁ ବେଧଡ଼କ ଭାବେ ଲୁଟ କରିଥିଲେ। ହେଲେ ବାହାର ପଟେ ୩ଟିଯାକ ଗେଟରେ କିନ୍ତୁ ତାଲା ଝୁଲୁଥିଲା।