ଐତିହାସିକ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡି ଟଙ୍କା ଚୋରି

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଉପକଣ୍ଠ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଗଡ଼ ଖୋର୍ଦ୍ଧାରେ ଥିବା ୪ଶତ ବର୍ଷ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ୯ ତାରିଖ ସକାଳେ ମନ୍ଦିରର ପୂଜକ ମନ୍ଦିର ଖୋଲିବା ବେଳେ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗିଥିବା ଦେଖିଥିଲେ । ଏହାପରେ ମନ୍ଦିର ଭିତରକୁ ଯାଇ ଅନ୍ୟ ସାମଗ୍ରୀ ଯାଂଚ କରିବା ବେଳେ ମନ୍ଦିର ହୁଣ୍ଡି ମଧ୍ୟ ଭାଙ୍ଗିଥିବା ଜାଣି ପରିଚାଳକଙ୍କୁ ସୂଚନା ଦେଇଥିଲେ । ତେବେ ଏନେଇ ଆଜି ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଲିଖିତ ଅଭିଯୋଗ ଦିଆଯାଇଛି ।

ପରିଚାଳନା କମିଟି ସଭାପତି ବିଶ୍ୱମ୍ବର ମହାରାଜ କହିଛନ୍ତି ଯେ ଏହି ମନ୍ଦିରକୁ ଗଜପତି ରାମଚନ୍ଦ୍ର ଦେବ ପ୍ରଥମ ପ୍ରତିଷ୍ଠା କରିଥିଲେ । ୧୫୭୫ରେ ମୁସଲିମ ଆକ୍ରମଣକାରୀଙ୍କ ଯୋଗୁଁ ଏଠାରେ ଶ୍ରୀଜଗନ୍ନାଥଙ୍କୁ ରଖାଯିବା ସହ ନବକଳେବର ମଧ୍ୟ ହୋଇଥିଲା । ଏଭଳି ଏକ ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ମନ୍ଦିରରୁ ଗତ ୫ ବର୍ଷ ମଧ୍ୟରେ ୮ ଥର ଚୋରି ହୋଇଛି । ଦୁଇବର୍ଷ ପୂର୍ବେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଗୋପାଳଜୀଉ, ରାଧାରାଣୀ ଆଦି ୮ଟି ବିରଳ ଅଷ୍ଟଧାତୁ ମୂର୍ତି ଚୋରି ହୋଇଯାଇଥିଲା ।

ସେହିଭଳି କିଛି ବର୍ଷ ପୂର୍ବେ କୁଂଜ ବିହାରୀ ମନ୍ଦିରରୁ ଅଷ୍ଟଧାତୁ ବିଗ୍ରହ ଚୋରି ହୋଇଥିଲା । ଏହି ସମସ୍ତ ଘଟଣାର ଅପରାଧି ଏଯାଏଁ ଧରାପଡ଼ିନାହାନ୍ତି । ତୁରନ୍ତ ଅପରାଧୀଙ୍କୁ ଧରି ମନ୍ଦିର ମୂର୍ତି ଉଦ୍ଧାର କରିବାକୁ ପରିଚାଳକ ରମାକାନ୍ତ ପାଟ୍ଟଯୋଶୀ, କାର୍ଯ୍ୟକାରୀ ସଭାପତି ଅଜିତ ପଟ୍ଟନାୟକ, ସମ୍ପାଦକ ଗୋପାଳକୃଷ୍ଣ ଦାସ ପ୍ରମୁଖ ଦାବି କରିଛନ୍ତି ।

ଅପରପକ୍ଷରେ ଏନେଇ ଶିଳ୍ପାଂଚଳ ଫାଣ୍ଡି ଅଧିକାରୀ କହିଛନ୍ତି ୮ ତାରିଖ ରାତିରେ ଚୋରି ହୋଇଥିଲା । ଆଜି ଏନେଇ ଲିଖିତ ଅଭିଯୋଗ ଦିଆଯାଇଛି । ଅଭିଯୋଗ ଅନୁସାରେ ପ୍ରାୟ ୭ହଜାର ଟଙ୍କା ଚୋରି ହୋଇଛି । ଅଭିଯୋଗ ଭିତ୍‌ତିରେ ୧୯୦/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଗୋଟିଏ ମନ୍ଦିରରୁ କ୍ରମାଗତ ଭାବେ ଚୋରି ହେବା ଘଟଣା ରହସ୍ୟମୟ ଲାଗୁଛି ଏଦିଗଟିକୁ ପୁଲିସ ତଦନ୍ତର ପରିସରକୁ ଆଣିଛି ।

ସମ୍ବନ୍ଧିତ ଖବର