ଜୟପୁର: ଗତ ୬ମାସ ମଧ୍ୟରେ ଦ୍ବିତୀୟ ଥର ମାଁ ଭଗବତୀଙ୍କ ମନ୍ଦିରରୁ ଚୋରି ହୋଇଛି। ମନ୍ଦିରରେ ଦୁର୍ବୁତ୍ତ ମାନେ ପଶି ମାଁଙ୍କ ଆସ୍ଥାନ ନିକଟରୁ ୯ଟି ରୁପା ଚୁଡ଼ି ଓ ଦାନହୁଣ୍ଡିକୁ ନେଇ କି ଯାଇଥିଲେ। ତେବେ ମନ୍ଦିରର ପଛ ପାର୍ଶ୍ବରେ ୯ଟି ଯାକ ରୁପା ଚୁଡ଼ି ପିଙ୍ଗି ଦେଇ ଦାନ ହୁଣ୍ଡିରୁ ୫ରୁ ୬ହଜାର ଟଙ୍କା ମଧ୍ୟରେ ଚୋରି କରି ନେଇଯାଇଥିଲେ। ସହରର ଅଧିଷ୍ଠାତ୍ରୀ ଦେବୀ ମନ୍ଦିରରେ ଚୋରୀ ଘଟଣାକୁ ନେଇ ସହରରେ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ତୁରନ୍ତ ଏଭଳି କାଣ୍ଡ ଭିଆଇଥିବା ଦୁର୍ବୁତ୍ତଙ୍କୁ ଧରିବାକୁ ଦାବି ହୋଇଛି।
ସୂଚନା ମୁତାବକ, ଗତକାଲି ଦେବସ୍ନାନ ପୁର୍ଣ୍ଣିମା ରହିଥିବାରୁ ପାର୍ଶ୍ବରେ ଥିବା ଜଗନ୍ନାଥ ମନ୍ଦିର, ବଲ୍ଲଭନାରାୟଣ ମନ୍ଦିର ଓ ମାଁ ଭଗବତୀ ମନ୍ଦିରର ପୂଜକ ଧିରେନ୍ଦ୍ର ନାରାୟଣ ରଥ ଆଦି ରାତି ୧୨ଟା ୪୦ ପର୍ଯ୍ୟନ୍ତ ରହି ଚାରି ଠାକୁରଙ୍କୁ ଅଣସର ଘରକୁ ବିଜେ କରାଇ ଫେରିଥିଲେ। ଆଜି ସକାଳୁ ସେବାୟତମାନେ ମନ୍ଦିରର ଚାବି ଖୋଲି ଦେଖିବା ବେଳେ ସମ୍ମୁଖ କବାଟ୍ ଖୋଲାଥିବା ବେଳେ ଭିତରରେ ମାଁଙ୍କ ବାମହାତର ୫ରୁ ଚାରିଟି ଓ ଡାହାଣ ହାତର ୫ଟି ଏଭଳି ୯ଟି ରୁପା ଚୁଡ଼ି ନଥିବା ଦେଖିଥିଲେ। ସେମାନେ ଏହା ସହ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ବି ନଥିଲା। ଅଳଙ୍କାର ଆଦି ରଖୁଥିବା ଅନ୍ୟ ରୁମକୁ ଯାଇ ଏମାନେ ଯାଂଚ କରିଥିଲେ। ସବୁ ଠିକ୍ ଠାକ୍ ରହିଥିଲା।
ତେବେ ମନ୍ଦିରର ପଛ ପାର୍ଶ୍ବରେ ୯ଟି ଚୁଡ଼ି ତଳେ ପଡ଼ିଥିବା ବେଳେ ଦାନହୁଣ୍ଡି ଖାଲି ଅବସ୍ଥାରେ ପଡ଼ିରହିଥିଲା। ଏହା ଦେଖି ସେବାୟତମାନେ ପୁଜକଙ୍କୁ ସୂଚନା ଦେଇଥିଲେ। ପୂଜକ ତୁରନ୍ତ ଦେବୋତ୍ତର କମିଟିର କର୍ମଚାରୀ କୃଷ୍ଣଚନ୍ଦ୍ର ଦାଶଙ୍କୁ ସୂଚନା ଦେଇଥିଲେ। ସେ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଡ.ମୋନାଲିସା ଆଚର୍ଯ୍ୟୀଙ୍କୁ ଚୋରି ସଂପର୍କରେ ଅବଗତ କରାଇଥିଲେ। ତହସିଲଦାର ଜୟପୁର ଟାଉନଥାନା ପୁଲିସକୁ ଜଣାଇବା ପରେ ଜୟପୁର ଟାଉନଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। କୋରାପୁଟରୁ ପୁଲିସ କୁକୁର ଆଣିଥିବା ବେଳେ କୁକୁରଟି ଚୋରୀ ସାମଗ୍ରୀ ଉଦ୍ଧାର ହୋଇଥିବା ସ୍ଥାନ ଓ ମନ୍ଦିର ମଧ୍ୟରେ ଓ ମନ୍ଦିରର ବାହାରକୁ ଅଳ୍ପ ଦୂରକୁ ଆସି ପୁଣି ଫେରି ଯାଉଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/jpr-bhagbati-mandir-choriee-1-3.jpg)