ଭୁବନପୁର ଉତ୍ତରମୁଖୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବାଲିଅନ୍ତା : ବାଲିଅନ୍ତା ପଞ୍ଚାୟତ ଅଧୀନସ୍ଥ ଭୁବନପୁର ସ୍ଥିତ ମା’ ଉତ୍ତରମୁଖୀଙ୍କ ମନ୍ଦିରରେ ଆଜି ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ମନ୍ଦିର ପରିସରରେ ଥିବା ଦାନବାକ୍ସ ଭାଙ୍ଗି ସେଥିରେ ଥିବା ସମସ୍ତ ଦାନ ଟଙ୍କା ସମେତ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଏହା ସହିତ ମନ୍ଦିର ରୋଷଘର କବାଟ ତାଲାଭାଙ୍ଗି ସେଠାରେ ଥିବା ପାଖାପାଖି ୧  କ୍ବିଣ୍ଟାଲ ଓଜନରୁ ଅଧିକ ହେବ ରୋଷେଇ ସରଞ୍ଜାମ ଚୋରି କରି ନେଇଛନ୍ତି । ଚୋରି ସାମଗ୍ରୀ ମଧ୍ୟରେ ରହିଛି, ଦୁଇଟି ବଡ଼ ସିଲଭର ଟପ, ଦୁଇଟି କଡ଼େଇ , ବାଲତି , କୁଣ୍ଡ ତଥା ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ସବୁ ଲୁଟି ନେଇଛନ୍ତି । ଏଥିସହିତ ନଳକୂପରେ ଲାଗିଥିବା ୱାନଏଚପି ମଟର ଚୋରି କରି ନେଇଛନ୍ତି ।

ଏସଂପର୍କରେ ମନ୍ଦିର ପରିଚାଳନା କମିଟିର ପ୍ରମୁଖ ସଦସ୍ୟ ନାରାୟଣ ସାହୁ, ଲକ୍ଷ୍ମୀଧର ସାହୁ ଓ କ୍ଷେତ୍ରବାସୀ  ସାହୁଙ୍କ ସମେତ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହ  ମାମଲା ରୁଜୁକରିଛି । ହେଲେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଲୁଟେରାଙ୍କୁ ଠାବ କରିବାରେ ସକ୍ଷମ ହୋଇପାରିନି । କମିଟି ସଦସ୍ୟ ନାରାୟଣ ସାହୁଙ୍କ ସୂଚନା ଅନୁଯାୟୀ ପ୍ରତି ୬ ମାସରେ ଥରେ ଦାନବାକ୍ସ ଖୋଲି ସେଥିରୁ ଦାତାଙ୍କ ଟଙ୍କା ଓ ଅଳଙ୍କାର ସଂଗ୍ରହ ହୋଇଥାଏ ।

ରଜ ମହୋତ୍ସବ ପୂର୍ବରୁ ହୁଣ୍ଡିବାକ୍ସ ଖୋଲାଯାଇଥିଲା । ସେଥିରୁ ୪୦ ହଜାର ଶହେ ଟଙ୍କା ସହିତ ଆଖି , କିରିଟୀ ଭଳି ଅନ୍ୟାନ୍ୟ ସୁନା ଓ ରୂପା ଅଳଙ୍କାର ବାହାରିଥିଲା । ସେବେଠାରୁ ଆଉ ଦାନବାକ୍ସରୁ ଟଙ୍କା ଏବଂ ଗହଣା କଢ଼ାଯାଇନଥିଲା । ଦାନବାକ୍ସ ଖୋଲିବା ପାଇଁ ମନ୍ଦିର କମିଟିର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେଲେ ତା’ ପୂର୍ବରୁ ଦୁର୍ବୃତ୍ତ ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି । ଆଜି ସକାଳେ ପୂଜକ ମହେନ୍ଦ୍ର କୁମାର ପଣ୍ଡା ପୂଜା କରିବାକୁ ଆସି ମନ୍ଦିରରୁ ଲୁଟପାଟ ହୋଇଥିବା ସଂପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ଶ୍ରୀ ପଣ୍ଡା ମନ୍ଦିର ପଞ୍ଚାମୃତ କରି ପୂଜାନୀତି କରିଥିଲେ ।

ସମ୍ବନ୍ଧିତ ଖବର